ଭଙ୍ଗା ଚାଳିଆରେ ବାଦ୍ୟକାର ପରିବାର

ଭୁବନ: ଭୁବନ ବ୍ଲକ୍ ମାର୍ଥାପୁର ପଞ୍ଚାୟତର ଆଦିପୁରା ଗ୍ରାମର ରୋହିତ ନାଏକ (୫୫) ଜଣେ ବିଶିଷ୍ଟ ବାଦ୍ୟକାର। ହେଲେ ସେ ଅର୍ଥ ଅଭାବରୁ ୬ ପ୍ରାଣୀ କୁଟୁମ୍ବକୁ ନେଇ ଏକ ଭଙ୍ଗା ଚାଳ ଘରେ ଜୀବନ ବିତାଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରୋହିତ ବାଜା ବଜାଇ ପରିବାର ପୋଷଣ କରୁଥିଲେ। ନିଖୁଣ ବାଦ୍ୟ ପରିବେଷଣ କରି ୨୦୦୬ ମସିହାରେ ରାଜ୍ୟ କଳା ବିକାଶ ପରିଷଦ ପକ୍ଷରୁ ସମ୍ମାନୀତ ହୋଇଥିଲେ। କପାଳ ଲେଖନ ଥିଲା କିନ୍ତୁ ଅଲଗା। ୨୦୦୯ ମସିହାରେ ହଠାତ୍ ପକ୍ଷାଘାତରେ ସେ ଆକ୍ରାନ୍ତ ହୋଇଗଲେ। ପରିବାରର ବୋଝ ମୁଣ୍ଡାଉଥିବା ମଣିଷ ପରିବାର ପାଇଁ ବୋଝ ପାଲଟିଲେ।

ପରିବାର କହିଲେ ରୋହିତ ନାଏକ, ତାଙ୍କ ପତ୍ନୀ ଦର୍ପଣୀ ନାଏକ ଓ ଦୁଇ ପୁଅ କୁନାଲ ନାଏକ(୨୮) ଓ କାହ୍ନୁ ନାଏକ(୨୨)। ଦୁଇ ପୁଅ ଏବେ ବିବାହିତ। ଦୁଇ ଝିଅ ବି ବିବାହିତା। ରୋହିତ ପକ୍ଷାଘାତରେ ଆକ୍ରାନ୍ତ ହେବା ପରେ ସରକାରଙ୍କ ତରଫରୁ ୭୦ ପ୍ରତିଶତ ଭିନ୍ନକ୍ଷମ ପରିଚୟପତ୍ର ପାଇଛନ୍ତି। ସରକାର ତାଙ୍କୁ ଭତ୍ତା ମଧ୍ୟ ପ୍ରଦାନ କରିଛନ୍ତି I ବଡ ପୁଅ କୁନାଲ ରୋଗରେ ଆକ୍ରାନ୍ତ ହୋଇ ଏକ ବର୍ଷ ହେଲା ଘରେ ବସିଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି I

ବାପାଙ୍କ ଭତ୍ତା ଓ ରାସନ୍ ଭରସାରେ ଚଳୁଛନ୍ତି ଛଅ ପ୍ରାଣୀ କୁଟୁମ୍ବ I ୨୦୧୧ ମସିହାରେ ରୋହିତଙ୍କ ପତ୍ନୀ ଦର୍ପଣୀଙ୍କ ନାମରେ ଇନ୍ଦିରା ଆବାସ ଯୋଜନାରେ ଘର ପାଇଥିଲେ। ହେଲେ ପରିବାରର ଏହି ଦୁଃଖର ଦୁର୍ଦ୍ଦଶା ଯୋଗୁଁ ଘରକୁ ସମ୍ପୂର୍ଣ୍ଣ କରି ପାରିନାହାନ୍ତି। ଭଙ୍ଗା ଚାଳ ଘରେ ଛଅ ପ୍ରାଣୀ କୁଟୁମ୍ବ ମୁଣ୍ଡ ଗୁଞ୍ଜିଛନ୍ତି I

ବର୍ଷା ଦିନ ଆସିଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଦୁଇଟି କିସ୍ତିରେ ରୋହିତ କୋଡିଏ ହଜାର ଟଙ୍କା ଉଠାଇଛନ୍ତି। କିନ୍ତୁ ରୋଗଗ୍ରସ୍ତ ଯୋଗୁଁ ଘର କରିପାରିନାହାନ୍ତି। ପୁଅର ନାମ ଆବାସ ଯୋଜନାରେ ସାମିଲ୍ କରାଗଲେ ସେ ଘର କରିପାରିବେ ବୋଲି ସେ ଆଶା ବାନ୍ଧିଛନ୍ତି। ବଡ଼ ପୁଅର ଚିକିତ୍ସା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବା ସହ ଅନ୍ତୋଦୟ ଯୋଜନାରେ ସାମିଲ କରିବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର