ବିଷାକ୍ତ ସାପ ସହ ବାସ କରୁଛନ୍ତି ପରିବାର ଲୋକେ, ସାପଙ୍କ ପାଇଁ ଛାଡିଦେଇଛନ୍ତି ଅଧା ଘର

ମାଲକାନଗିରି: ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି।କିନ୍ତୁ ମାଲକାନଗିରିଠାରୁ ମାତ୍ର ୯ କିଲୋମିଟର ଦୂରରେ ରହିଥିବା ନିଲିମାରି ଗ୍ରାମରେ ଏମିତି ଏକ ପରିବାର ରୁହନ୍ତି ଯେଉଁମାନେ ନିଜ ବାସଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି। କିଛି ବର୍ଷ ତଳେ ଘର ଭିତରେ ଗୋଟିଏ ଉଈ ହୁଙ୍କା ହେବା ପରେ ସାପମାନେ ଯାତାୟତ ଆରମ୍ଭ କରିଥିଲେ। ଏସବୁକୁ ନୀଳକଣ୍ଠ ଭୁମିଆ ଏବଂ ସୀତା ଭୁମିଆଙ୍କ ପରିବାର ଲୋକେ ଦେଖିବା ପରେ ଉଈ ହୁଙ୍କାକୁ ନଭାଙ୍ଗି ଘରର ବଖରାଟି ସାପଙ୍କ ପାଇଁ ଛାଡି ଦେଇଛନ୍ତି।ନୀଳକଣ୍ଠ ଭୁମିଆଙ୍କ ଝିଅ ଲକ୍ଷ୍ମୀ ଭୁମିଆ ପ୍ରତିଦିନ ସାପଙ୍କୁ ପୂଜା କରୁଥିଲେ। ତେବେ ସେ ଅନ୍ୟତ୍ର ବାହା ହୋଇଚାଲିଯିବା ପରେ ଏହି ସେହି ଉଈ ହୁଙ୍କାରେ ତାଙ୍କ ଭାଇ ଏବଂ ଭାଉଜ ପୂଜା କରୁଥିବା ଦେଖିବାକୁ ମିଳିଛି। ଏପରିକି ପ୍ରତ୍ୟେକ ଦିନ ଘରେ ରହୁଥିବା ନାଗ ଓ ନାଗୁଣୀଙ୍କ ପାଇଁ ଖାଦ୍ୟ ମଧ୍ୟ ଦେଇ ଆସୁଛନ୍ତି ପରିବାର ଲୋକେ। ନିଜର ଦୁଇଟି ବଖରା ସାପଙ୍କୁ ଛାଡି ଗୋଟିଏ ବଖରାରେ ଚାରି ଜଣ ପ୍ରାଣୀ କୁଟୁମ୍ବ ରହିଆସୁଛନ୍ତି।

ସାପକୁ ଭୟ କରି ବାପା ମାଆ ଘରେ ଶୋଉଥିବା ବେଳେ ପିଲାମାନେ କିନ୍ତୁ ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି। ଦିନକୁ ଦିନ ଏହି ହୁଙ୍କା ବଢି ଚାଲିଥିବା ବେଳେ ସାପଙ୍କ ସଂଖ୍ୟା ମଧ୍ୟ ବଢୁଛି। ପ୍ରତ୍ୟେକ ଦିନ ସକାଳୁ ଉଠି ଉଈ ହୁଙ୍କା ନିକଟରେ ପୂଜାର୍ଚ୍ଚନା କରିବା ସହ ଖାଦ୍ୟ ଭୋଗ ଆକାରରେ ଦେଇଥାନ୍ତି। ଏହା ଦେଖିବାକୁ ଆଖପାଖ ଗାଁର ଲୋକେ ମଧ୍ୟ ସେଠାରେ ଭିଡ ଜମାଉଥିବା ଦେଖିବାକୁ ମିଳେ। ପ୍ରତି ସୋମବାର ଏବଂ ଗୁରୁବାର ଦିନ ଏହି ଉଈ ହୁଙ୍କାରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଲୋକେ ଭୋଗ ଆଣି ଏଠାରେ ଛାଡୁଥିବା ମଧ୍ୟ କୁହାଯାଇଛି।

ତେବେ କେବେ ମଧ୍ୟ ସାପ ପରିବାର ଲୋକଙ୍କୁ ଆକ୍ରମଣ କରିନଥିବା କୁହାଯାଇଛି।କିନ୍ତୁ ବିଷାକ୍ତ ସାପକୁ ପାଳିବା ଏକ ବିପଦପୂର୍ଣ୍ଣ ଚ୍ୟାଲେଞ୍ଜ ବୋଲି ଆଲୋଚନା ହେଉଛି। ଯେଉଁଠି ବିଷାକ୍ତ ସାପକୁ ଦେଖିଲେ ଲୋକେ ଭୟ କରନ୍ତି ଏବଂ ତାକୁ ମାରି ଦିଅନ୍ତି।କିନ୍ତୁ ଏଠାରେ ନୀଳକଣ୍ଠ ଏବଂ ତାଙ୍କ ପତ୍ନୀ ସୀତା ସାପକୁ ପାଳିବା ସହ ତାଙ୍କର ଯତ୍ନ ନେଉଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ବିପଦ ହୋଇଥିବା ବେଳେ ସେ କିନ୍ତୁ ଏହାକୁ ଭଗବାନ ଭାବି ସେବା ଯତ୍ନ କରିଆସୁଛନ୍ତି।

ସମ୍ବନ୍ଧିତ ଖବର