ସେବତୀ ମୃତ୍ୟୁ ମାମଲା: ବ୍ୟବଚ୍ଛେଦ ରିପୋର୍ଟରେ ହେରଫେର ନେଇ ପରିବାର ସଦସ୍ୟଙ୍କ ଅଭିଯୋଗ

ଖୋର୍ଦ୍ଧା: ଚଳିତ ବର୍ଷ ଅକ୍ଟୋବର ୯ ତାରିଖରେ ବାଘମାରୀ ଥାନା ଅନ୍ତର୍ଗତ ଅଟ୍ରିର ଜହ୍ନଗାଡ଼ିଆ ଠାରେ ସେବତୀ ବାରିକ ନାମ୍ନୀ ଜଣେ ଝିଅର ମୃତ ଦେହ ମିଳିଥିଲା । ସେବତୀକୁ କେହି ମାରି ପୋଖରୀରେ ଫିଙ୍ଗି ଦେଇଥିବା ସନେ୍ଦହ କରାଯାଇଥିଲା । ଏହି ଘଟଣାରେ ଆଜି ସେବତୀଙ୍କ ପରିବାରଙ୍କ ଅଭିଯୋଗ ଏକ ଭିନ୍ନ ମୋଡ଼ ଦେଇଛି । ବାଘମାରୀ ପୁଲିସ ବ୍ୟବଚ୍ଛେଦ ରିପୋର୍ଟକୁ ହେରଫେର କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ବୋଲି ଅଭିଯୋଗ କରିଛନ୍ତି ।

ଆଜି ପୂର୍ବାହ୍ଣରେ ସେବତୀଙ୍କ ପିତା ରମେଶ ବାରିକ(୫୦) ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଓ ସମ୍ପର୍କୀୟ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଦାବିପତ୍ରରେ ଦର୍ଶାଇଛନ୍ତି ଯେ ବ୍ୟବଚ୍ଛେଦ ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କହିଥିଲେ ଯେ ସେବତୀକୁ ତଂଟି ଚିପି ହତ୍ୟାକରିବା ପରେ ପାଣିରେ ପକାଇଦିଆଯାଇଛି । କିନ୍ତୁ ବର୍ତମାନ ସେମାନେ ଥାନା ସହ ଯୋଗାଯୋଗ କରିବାରେ ଏହା ଆତ୍ମହତ୍ୟାଜନିତ ମୃତ୍ୟୁ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିବା ଜାଣିବାକୁ ପାଇଛନ୍ତି । ତାଙ୍କ ଝିଅର ମୃତ୍ୟୁ ପଛରେ ତାଙ୍କ ଗାଁର କେତେକ ନିର୍ଦ୍ଦିଷ୍ଟ ଯୁବକ ସମ୍ପୃକ୍ତ ଥିବା ସେ ଅଭିଯୋଗ କରିବା ସହ ଘଟଣାର ସଠିକ୍ ତଦନ୍ତ ଓ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ପାଇଁ ସେ ଦାବି କରିଛନ୍ତି ।

ଏନେଇ ବାଘମାରି ଥାନା ଆଇଆଇସି ଅର୍ଚ୍ଚନା ମଲ୍ଲିକ କହିଛନ୍ତି ଯେ ଉଭୟଙ୍କ କଲ ରେକର୍ଡ ଯାଂଚ କରାଯାଇଛି । ସେବତୀଙ୍କ ବାପା ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସେମାନଙ୍କ କଲ ରେକର୍ଡରେ ଏଭଳି କଥାବାର୍ତାର କୌଣସି ପ୍ରମାଣ ମିଳିନାହିଁ କିମ୍ବା ତଦନ୍ତରୁ ସେମାନେ ସେହିଦିନ ଗାଁରେ ନଥିବା ସ୍ପଷ୍ଟ ହୋଇଛି । ତେବେ ମାମଲାର ସମ୍ବେଦନଶୀଳତା ଓ ଅତୀତ ମାମଲାକୁ ଦୃଷ୍ଟିରେ ରଖି ମୃତଦେହର ଭିସେରା ଅଧିକ ଅନୁସନ୍ଧାନ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ସ୍ପଷ୍ଟ ହେବ । ସୂଚନାଯୋଗ୍ୟ, ଚଳିତ ବର୍ଷ ଅପ୍ରିଲ୍ ୨୧ ତାରିଖରେ ସେବତୀ ଦୁଷ୍କର୍ମର ଶିକାର ହୋଇଥିଲା । ଏହି ମାମଲାରେ ଜଣେ ଗିରଫ ହୋଇଛି । ଅକ୍ଟୋବର ୭ ତାରିଖରେ ସେବତୀ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ଏନେଇ ଥାନାରେ ନିଖୋଜ ମାମଲା ରୁଜୁ ହୋଇଥିଲା । ଏହାର ୨ ଦିନ ପରେ ସେବତୀଙ୍କ ମୃତ ଦେହ ଗାଁ ନିକଟ ପୋଖରୀରୁ ଉଦ୍ଧାର ହୋଇଥିଲା ।

ସମ୍ବନ୍ଧିତ ଖବର