ଡାବୁଗାଁ: ଭାଲୁ କାମୁଡ଼ାରେ ମୃତ୍ୟୁ ହୋଇଥିବା ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀ ଗ୍ରାମର ନରସିଂହ ଜାନିଙ୍କ ପରିବାର ଲୋକଙ୍କୁ ବନ ବିଭାଗ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ନବରଙ୍ଗପୁର ବନ ଖଣ୍ଡ ଅଧିକାରୀ ରଞ୍ଜିତ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗ ଆଜି ନରସିଂହ ଜାନିଙ୍କ ବିଧବା ପତ୍ନୀ ପାର୍ବତୀ ଜାନି ଓ ପୁଅ ଗଣେଶ ଜାନିଙ୍କୁ ୪ ଲକ୍ଷ ଟଙ୍କାର ଏକ ସହାୟତା ରାଶି ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ଡାବୁଗାଁ ବ୍ଲକ୍ ଚଚରାଗୁଡ଼ା ସରପଞ୍ଚ ଧରମା ନନ୍ଦ ନାୟକ ଓ ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ହଳଦୀ ଗ୍ରାମର ନରସିଂହ ଜାନି ରାତ୍ରି ୮ଟାରେ ଖାଇ ସାରି ନିଜ ଜମିକୁ ଧାନ ତଳି ଦେଖିବାକୁ ଯାଇଥିବା ସମୟରେ ପାଖ ଜଙ୍ଗଲରୁ ଏକ ଭାଲୁ ଆସି ନରସିଂହଙ୍କୁ ଆକ୍ରମଣ କରିଥିଲା। ସେଦିନ ରାତିରେ ନରସିଂହ ଘରକୁ ଫେରି ନ ଥିଲେ। ପରିବାର ଲୋକେ ମଧ୍ୟ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇ ନ ଥିଲେ।
ତେବେ ପରଦିନ ସକାଳୁ ଭାଲୁ ଆକ୍ରମଣରେ କ୍ଷତାକ୍ତ ଅବସ୍ଥାରେ ଗ୍ରାମ ଠାରୁ ୪୦୦ ମିଟର ଦୂର ଏକ କାଜୁ ବାଡ଼ି ନିକଟରେ ନରସିଂହ ପଡ଼ିଥିବା ଲୋକମାନେ ଦେଖିଥିଲେ। ତାକୁ ତୁରନ୍ତ ଗ୍ରାମବାସୀ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ନରସିଂହଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/IMG20200130130346.jpg)