କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଭିନ୍ନ ଅଘଟଣକୁ ନେଇ ଚର୍ଚ୍ଚାରେ ରହୁଛି। କୌଣସି ଏକ ଅଘଟଣ ଘଟିବା ପରେ କର୍ତ୍ତୃପକ୍ଷ ଚତୁରତାର ସହ ଘଟଣାକୁ ଚାପି ଦେଉଥିବାରୁ ଡାକ୍ତର ଓ କର୍ମଚାରୀମାନେ ଦାୟିତ୍ବହୀନ ହୋଇପଡ଼ୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଗତ ସପ୍ତାହରେ ବିନା ଅନୁମତିରେ ଜଣେ ମହିଳାଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିଲା। ଏନେଇ ମହିଳାଙ୍କ ସ୍ବାମୀ ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାକୁ ଚପେଇ ଦେବାକୁ ସମ୍ପୃକ୍ତ ମହିଳା ପବିତ୍ରାଣୀ ବେହେରା ଓ ତାଙ୍କ ସ୍ଵାମୀ ସୁଶାନ୍ତ କୁମାର ବାରିକଙ୍କ ଉପରେ ବିଭିନ୍ନ ଆଡ଼ୁ ଚାପ ପଡ଼ୁଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଐତିହ୍ୟ ଦିବ୍ୟସିଂହଙ୍କ ନେତୃତ୍ବରେ ସ୍ଥାନୀୟ ଯୁବକମାନେ ତଦନ୍ତ କେତେ ବାଟ ଗଲା ଓ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବୁଝିବାକୁ ସିଡିଏମଓ ଅଫିସକୁ ଯାଇଥିଲେ।

Advertisment

ସିଡିଏମ୍‌ଓଙ୍କୁ ନପାଇ ଏଡିଏମ୍‌ଓଙ୍କ ଅଫିସକୁ ଯାଇଥିଲେ। ସେ ବି ନଥିଲେ। ଏହାକୁ ନେଇ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଡାକ୍ତର ବିବି ମିଶ୍ର ଆସି ଆଲୋଚନା କରିଥିଲେ। ମିଛ କହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଡାକ୍ତରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ତେବେ ସଂପୃକ୍ତ ଡାକ୍ତର ଏପରି କେତେ ପରିବାର ନିୟୋଜନ ଅସ୍ତ୍ରୋପଚାର କଲେଣି, ସରକାରଙ୍କ ଠାରୁ କେତେ ପ୍ରୋତ୍ସାହନ ରାଶି ପାଇଛନ୍ତି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତଦନ୍ତରେ ଆଶାକର୍ମୀ ଓ ଉପସ୍ଥିତ ଲୋକଙ୍କୁ ସାମିଲ କରାଯାଉ ନଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉପରେ ସନ୍ଦେହ ସୃଷ୍ଟି ହେଲାଣି। ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ସିଡିଏମ୍‌ଓଙ୍କ ଅଫିସ ଘେରାଉ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।