ଭୟରେ ପରିବାର ହେଲେ ଥାନାର ଦ୍ଵାରସ୍ଥ, ପୁର୍ବରୁ ଦୁର୍ବୃତ୍ତ କରିଥିଲା ଶର ବିଦ୍ଧ

ଘର ଜାଗାକୁ ନେଇ ଗଣ୍ଡଗୋଳ, କାଠ-ଡେକିଚି, ଚାଉଳ ନେଇ ଥାନାରେ ପରିବାର

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁସୁମବନ୍ଧ ଫଚାୟତ ପଟାଶିଳା ଗ୍ରାମର ୧୨ ଜଣ ସଦସ୍ୟ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଆମକୁ ସୁରକ୍ଷା ଦିଅନ୍ତୁ ଥାନା ବାବୁ, ନହେଲେ ଆମେ ଥାନାରୁ ଯିବୁ ନାହିଁ କହି ବସି ରହିଛନ୍ତି। ଏପରିକି ସେମାନେ କାଠ, ଡେକଚି, ଚାଉଳ ସହିତ ଛୋଟ ଛୋଟ ୩ଟି ଛୁଆକୁ ନେଇ ଥାନା ପରିସର ମଧ୍ୟରେ ଆଶ୍ରୟ ନେଇଛନ୍ତି।

ଏଠାରେ ସୂଚାଇ ଦିଆଯାଏ କି ଆଜକୁ ୨ ମାସ ହେବ ଉକ୍ତ ଗ୍ରାମର ଟୁଡୁ ପରିବାର ଓ ବିନ୍ଧାଣୀ ପରିବାର ମଧ୍ୟରେ ଏକ ଜାଗାକୁ ନେଇ ଗଣ୍ଡଗୋଳ ଲାଗି ରହିଛି। ଏପରି କି ଟୁଡୁ ପରିବାରର ନିରଞ୍ଜନ ଟୁଡୁ (୪୦), ଚାନ୍ଦୁ ଟୁଡୁ(୪୫) ଜାଗା ପାଇଁ ବିନ୍ଧାଣୀ ପରିବାରର ଜାନକୀ ବିନ୍ଧାଣୀ(୩୦) ଓ ବିଦୁରାମ ବିନ୍ଧାଣୀ (୨୫)ଙ୍କୁ ତୀର ବିଦ୍ଧ କରି ରକ୍ତାକ୍ତ ଆକ୍ରମଣ କରିଥିଲେ। ବିନ୍ଧାଣୀ ପରିବାର ମଧ୍ୟ ପ୍ରତି ଆକ୍ରମଣ କରି ଥାନାର ଦ୍ଵାରସ୍ଥ ହୋଇ ଉଭୟ ପରିବାରର ଚାରି ଜଣ କୋର୍ଟ ଚାଲାଣ ହୋଇଥିଲେ। କୋର୍ଟରୁ ଉଭୟ ପରିବାର ବେଲ ପାଇବା ପରେ ଶନିବାର ନିରଞ୍ଜନ ଟୁଡୁ, ଚାନ୍ଦୁ ଟୁଡୁ, ସାମେଲ ଟୁଡୁ, ବୁଇଦି ଟୁଡୁ ଶ୍ରୀ ବିନ୍ଧାଣୀ ପରିବାର ଘରେ ପଶି ଅମଳ କରିଥିବା ଧାନ କୁ ନଷ୍ଟ କରିବା ସହିତ ଘର ଭାଙ୍ଗି ଘର କାଠକୁ ନେଇ ଯାଇଛନ୍ତି ବୋଲି ଅଭିଯୋଗ ହୋଇଛି। ବିନ୍ଧାଣୀ ପରିବାର ସମସ୍ତ ସଦସ୍ୟଙ୍କୁ ଟୁଡୁ ପରିବାର ହାଣିବେ ବୋଲି ଧମକ ଦେଉ ଥିବାରୁ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଥାନା ଅଧିକାରୀ ଦୟାନିଧି ଦାସ ଘଟଣାର ଗୁରୁତ୍ୱ ବୁଝି ଉଭୟ ପକ୍ଷକୁ ଥାନାକୁ ଡାକିଛନ୍ତି। ଘଟଣାଟି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର