ସୋର: ପରିବାର ବୋଝକୁ ମୁଣ୍ଡେଇ ସ୍ୱଳ୍ପ ବୟସରୁ ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଦୁର୍ଘଟଣା ପରେ ସହାୟତା ପରିବର୍ତ୍ତେ ମୁହଁ ଫେରାଇ ନେଇଥିଲା ସେ କାମ କରୁଥିବା ଘରୋଇ କମ୍ପାନି। ଅର୍ଥ ପାଇଁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଭୁଲିଯାଇଥିଲେ ମଣିଷପଣିଆ। ଅଧାରୁ ଚିକିତ୍ସା ବନ୍ଦ କରିଦେବା ସହ ଟଙ୍କା ଦେଲେ ଯାଇ ଯୁବକଙ୍କୁ ଛାଡ଼ିବେ ବୋଲି କହି ବନ୍ଧକ ରଖିଥିଲେ। ତେଣୁ ଯୁବକଙ୍କ ବାପା ଚାଷ କରିଥିବା ଜମି ବନ୍ଧକ ରଖି ସେହି ଟଙ୍କାରେ ପୁଅକୁ ଡାକ୍ତରଖାନାରୁ ମୁକୁଳାଇଛନ୍ତି। ସେ ଏବେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏପଟେ ଯୁବକଙ୍କ ମାଆ ଓ ଭଉଣୀ ଆମ୍ବୁଲାନ୍‌ସ ଭଡ଼ା ଦେବା ପାଇଁ ଲୋକଙ୍କ ପାଖରୁ ସାହାଯ୍ୟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି।

Advertisment

ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ମଧୁସୂଦନପୁର ପଞ୍ଚାୟତ ବଇଞ୍ଚବାଙ୍କ ଗ୍ରାମର ଦେବେନ୍ଦ୍ର ସିଂ’ଙ୍କ ପୁଅ ପ୍ରତାପ ସିଂ (୨୦)। ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିବାରୁ ସ୍ୱଳ୍ପ ବୟସରେ ପ୍ରତାପ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଅଗଷ୍ଟ ୨୭ ତାରିଖ ରାତିରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ପ୍ରତାପଙ୍କ ହାତଗୋଡ଼ ଭାଙ୍ଗିଯିବା ସହିତ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। କମ୍ପାନି ମାଲିକ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସତ, କିନ୍ତୁ ପରେ ମାନବିକତାକୁ ଜଳାଞ୍ଜଳି ଦେଇ ଉଭାନ୍‌ ହୋଇ ଯାଇଥିଲେ। ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଖବର ପାଇ ବାପା ଦେବେନ୍ଦ୍ର ଧାରକରଜ କରି କିଛି ଟଙ୍କା ଧରି ଡାକ୍ତରଖାନାରେ ପହଞ୍ଚିଥିଲେ। ସେତକ ଟଙ୍କା ସରିଯିବାରୁ ପ୍ରତାପଙ୍କ ମା’ ଘରେ ରଖିଥିବା ଛେଳି, କୁକୁଡ଼ା, ଘୁଷୁରୀ ଓ ଗଛ ବିକ୍ରି କରି କିଛି ଟଙ୍କା ପଠାଇଥିଲେ। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଚିକିତ୍ସା ବାବଦକୁ ୧ ଲକ୍ଷ ଟଙ୍କା ବକେୟା ଥିବା ଦର୍ଶାଇ ପ୍ରତାପଙ୍କର ଚିକିତ୍ସା ଅଧାରୁ ବନ୍ଦ ରଖିବା ସହ ଟଙ୍କା ନଦେଲେ ପ୍ରତାପଙ୍କୁ ଛାଡ଼ିବେ ନାହିଁ କହି ସେଠାରେ ବନ୍ଧକ ରଖିଥିଲେ।

ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍ଥାନୀୟ ପ୍ରଶାସନ ପ୍ରତାପଙ୍କ ଘରକୁ ଯାଇଥିଲା। ହେଲେ କୌଣସି ସରକାରୀ ସହାୟତା ମିଳି ନଥିଲା। ଫଳରେ ପରିବାର ଲୋକ ରୁଆ ଯାଇଥିବା ଚାଷଜମିକୁ ବନ୍ଧକ ରଖି ହାଇଦ୍ରାବାଦ ଟଙ୍କା ପଠାଇଥିଲେ। ଫଳରେ ଦେବେନ୍ଦ୍ର ଡାକ୍ତରଖାନାରେ ଟଙ୍କା ପୈଠ କରି ପୁଅ ପ୍ରତାପଙ୍କୁ ମୁକୁଳାଇଥିଲେ। ଏକ ଆମ୍ବୁଲାନ୍‌ସ ଦ୍ବାରା ପ୍ରତାପଙ୍କୁ ଓଡ଼ିଶା ଅଣାଯାଇଥିବା ବେଳେ ଆଜି ଅପରାହ୍ନରେ ସେ ଭୁବନେଶ୍ୱର ପହଁଚିଛନ୍ତି ଏବଂ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଆମ୍ବୁଲାନ୍‌ସ ଭଡ଼ା ଦେବା ପାଇଁ ପାଖରେ ଟଙ୍କା ନଥିବାରୁ ପ୍ରତାପଙ୍କ ମାଆ ସୂର୍ଯ୍ୟମଣି ଓ ଭଉଣୀ ପୂଜା ଆଜି ଲୋକଙ୍କ ପାଖରୁ ସାହାଯ୍ୟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ତେବେ ଏପରି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ପ୍ରତାପଙ୍କ ପରିବାର। ଏହାଛଡ଼ା କେହି ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଚାହୁଁଥିଲେ ମୋବାଇଲ୍‌ ନମ୍ବର ୭୭୫୧୯୩୪୭୧୦ରେ ଯୋଗାଯୋଗ କରିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି।