ବିଦ୍ୟାଳୟରେ ଛାତ୍ରଙ୍କ ଆଙ୍ଗୁଳି କଟିଲା: ଧାରଣା ଦେଲା ପରିବାର

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ୍‌ ମାଳଦା ପଞ୍ଚାୟତ ସାରସ୍ୱତ ଉଚ୍ଚ ବିଦ୍ୟାପୀଠ ଜଳହରିଠାରେ ଜଣେ ଛାତ୍ରଙ୍କ ଆଙ୍ଗୁଳି କଟିବା ଘଟଣାକୁ ନେଇ ବିବାଦ ଏବେ ସୁଦ୍ଧା ଲାଗିରହିଛି। ସୂଚନା ଅନୁସାରେ ଗତ ୨୭ ତାରିଖ ଦିନ ୩ଟା ସମୟରେ ବିଦ୍ୟାଳୟ କକ୍ଷରେ କୌଣସି ଶିକ୍ଷକ ନଥିବା ବେଳେ ଛାତ୍ର ଅଭିଳାଷ ମଲ୍ଲିକ କବାଟ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଅନ୍ୟ ଦୁଇଜଣ ପିଲା କବାଟ ପେଲିଦେବାରୁ ଅଭିଳାଶଙ୍କ ଡାହାଣ ହାତର ତିନି ଗୋଟି ଆଙ୍ଗୁଳି କଟି ଯାଇଥିଲା। ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପର ପ୍ରକାଶ କରିନଥିବାବେଳେ ସ୍ଥାନୀୟ ଲୋକେ ଅଭିଳାଷକୁ ନେଇ ଯାଜପୁର ମେଡିକାଲକୁ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଛାତ୍ରଙ୍କୁ କଟକ ପଠାଯାଇଥିଲା। ଅସ୍ତ୍ରୋପଚାର ପରେ ଅଭିଳାଷ ଏବେ ଘରକୁ ଆସିଥିବା ବେଳେ ମାନବିକତା ଦୃଷ୍ଟିରୁ ସ୍କୁଲ କର୍ତ୍ତୃପକ୍ଷ ଅଭିଳାଷଙ୍କୁ ଅନୁକମ୍ପା ମୂଳକ ସାହାଯ୍ୟ ପ୍ରଦାନ ନକରିବା ପରିତାପର ବିଷୟ ପାଲଟିଛି। ଅଭିଳାଶଙ୍କ ବାପା ବିନୋଦ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଧାର ଉଦ୍ଧାର କରି ପୁଅର ଚିକିତ୍ସା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିସାରିଲେଣି।

ଆଗକୁ ଆହୁରି ମଧ୍ୟ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। ଘଟଣା ସମ୍ପର୍କରେ ପରିବାର ପକ୍ଷରୁ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନଥିବାରୁ ନିରାଶ ହୋଇ ଅଭିଳାଷଙ୍କ ପରିବାର ଲୋକେ ମଙ୍ଗଳବାର ସ୍କୁଲ ଆଗରେ ଧାରଣା ଦେଇଛନ୍ତି। ପରିବାର ପକ୍ଷରୁ ଜେଜେବାପା ନିତ୍ୟାନନ୍ଦ ମଲ୍ଲିକ, କାଦମ୍ବିନୀ ମଲ୍ଲିକ, ଲକ୍ଷ୍ମୀ ସାହୁ, ଅନୁସୟା ସାହୁ, ରାନୁଲତା ମଲ୍ଲିକ ପ୍ରମୁଖ ଧାରଣା ଦେଇଥିଲେ। ଧାରଣାରତ ମା ଅର୍ଣ୍ଣପୂର୍ଣା ମଲ୍ଲିକଙ୍କ କହିବା କଥା ହେଲା ଦୁର୍ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ରହିଥିବା ବେଳେ ଏନେଇ ଆପତ୍ତି ଅଭିଯୋଗ କଲେ ଜନୈକ ଶିକ୍ଷୟତ୍ରୀ ଘରକୁ ଯାଇ ଧମକଚମକ ଦେଉଛନ୍ତି।

ପୁଅର ଭବିଷ୍ୟତ ଏବେ ଅନ୍ଧାର ହୋଇ ଯାଇଥିବା ବେଳେ ନିରାଶ ହୋଇ ପରିବାର ଲୋକେ ଧାରଣା ଦେଇଥିବା କହିଛନ୍ତି। ଖବର ପାଇ ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ସହ ଶିକ୍ଷାଧିକାରୀ ଓ ସ୍ଥାନୀୟ ସରପଞ୍ଚ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଘଟଣାସ୍ଥଳରେ ପହଁଚି ପରିବାର ଲୋକଙ୍କୁ ବୁଝାସୁଝା କରିଛନ୍ତି।

ସମ୍ବନ୍ଧିତ ଖବର