ଗୋବିନ୍ଦପାଲ୍ଲୀ: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଗ୍ରାମରେ ବସନ୍ତ ପାତ୍ର ଏବଂ ମମତା ପାତ୍ର ନିଜର ଛୋଟ ପରିବାରକୁ ନେଇ ରହୁଥିଲେ। ତେବେ ଗତ ୨୦୧୮ ମସିହାରେ ସ୍ବାମୀ ବସନ୍ତଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ମମତା ଏକକୀ ହୋଇଯାଇଥିଲେ। ମମତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି। ପୁଅକୁ ଏକ ବର୍ଷ ବୟସ ହୋଇଥିବା ବେଳେ ସ୍ବାମୀ ବସନ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପୂର୍ବରୁ କିନ୍ତୁ ମମତା ସିଲେଇ ଶିକ୍ଷା କରି ପରିବାରର ପ୍ରତିପୋଷଣ କରିଆସୁଥିଲେ। ସ୍ବାମୀଙ୍କର ଦେହାନ୍ତ ପରେ ଏହି କାମ ଦ୍ବିଗୁଣିତ ହୋଇଗଲା। ଦୁଇ ପିଲାଙ୍କୁ ମଣିଷ କରିବା ପାଇଁ ସେ ଅହରହ ପରିଶ୍ରମ କରୁଛନ୍ତି। କେବଳ ସିଲେଇ ନୁହେଁ, ଛୋଟିଆ ତେଜରାତି ଦୋକାନ କରି ମଧ୍ୟ ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି। ମାସକୁ ସିଲେଇ କରି ୫ ହଜାର ଟଂକା ପର୍ଯ୍ୟନ୍ତ ରୋଜଗାର କରିପାରୁଥିବା ବେଳେ ତେଜରାତି ଦୋକାନରୁ ମଧ୍ୟ କିଛି ରୋଜଗାର କରୁଛନ୍ତି। ଏକାକୀ ଲଢେଇ ଶିଖିଗଲେ ମମତା। ଦୁଇ ପିଲାଙ୍କୁ ପାଠ ପଢାଇ ମଣିଷ କରିବା ପାଇଁ ଦିନରାତି ଏକ କରିଦେଉଛନ୍ତି। ତାଂକର ଦେଖାରଖା କରିବା ପାଇଁ ବେଳେ ବେଳେ ବାପା ଆସୁଥିବା ସେ କହନ୍ତି। ସିଲେଇ ସେ ପିଲା ବେଳଠାରୁ ହିଁ ଶିକ୍ଷା ଲାଭ କରିଥିଲେ। ପଡୋଶୀର ଜଣେ ମହିଳା ତାଂକୁ ସିଲେଇ ଶିକ୍ଷା ଦେଇଥିବା କହନ୍ତି। ଏବେ ସେ ଦଶରୁ ଉର୍ଦ୍ଧ୍ବ ମହିଳାଙ୍କୁ ସିଲେଇ ଶିକ୍ଷା ଦେଇ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି।

Advertisment

ତେବେ ଆଗାମୀ ଦିନରେ ଯଦି ତାଂକୁ ପ୍ରଶାସନର ସହଯୋଗ ହେବ ତେବେ ସେ ଆହୁରି ଅନେକ ମହିଳାଙ୍କୁ ସିଲେଇ ଶିକ୍ଷା ଦେବେ ବୋଲି କହିଛନ୍ତି। ତେବେ ଜଣେ ମହିଳା ଚାହିଁଲେ ସେ ପୁରୁଷ ସହ ସମକକ୍ଷ ହୋଇପାରିବ ବୋଲି କହନ୍ତି। ତେଣୁ ପ୍ରତ୍ୟେକ ମହିଳା ନିଜେ ସ୍ବାବଲମ୍ବୀ ହେବା ଆବଶ୍ୟକ। ମୋ କ୍ଷେତ୍ରରେ ଯାହା ଘଟିଲା ମୁଁ ଯଦି ସିଲେଇ ଶିକ୍ଷା କରିନଥାନ୍ତି ତେବେ ମୋର ଅବସ୍ଥା ସଂକଟାପନ୍ନ ହୋଇଯାଇଥାନ୍ତା।ତେଣୁ ଗୋବିନ୍ଦପାଲ୍ଲୀ ଅଂଚଳର ଯୁବତୀ ହେଉ ବା ଗୃହିଣୀ ହୁଅନ୍ତୁ ସମସ୍ତେ ବିଭିନ୍ନ କ୍ଷେତ୍ରରେ ତାଲିମ ନେଇ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ।କୌଣସି ମୁହର୍ତ୍ତରେ ଏହା କାମ ଦେବ ତାହା କେହି କହିପାରିବେ ନାହିଁ ବୋଲି ମମତା କହନ୍ତି। ପ୍ରଶାସନ ତରଫରୁ ଆଗକୁ ତାଲିମ ଦିଆଗଲେ ଆହୁରି ନୂଆ ନୂଆ ଡିଜାଇନର ଜାମାପଟା ସିଲେଇ କରିପାରିବୁ ବୋଲି କହିଥିଲେ। ତେଜରାତି ଦୋକାନ ନିଜର ଥିଲେ ମଧ୍ୟ ସେ ସିଲେଇକୁ ହିଁ ପ୍ରାଧାନ୍ୟ ଦେଇଥାନ୍ତି। ଏହା ଦ୍ବାରା ତାଂକର ପରିବାରର ପ୍ରତିପୋଷଣ ସହଜରେ ହୋଇପାରୁଛି। ଆଗକୁ ବହୁ ମହିଳାଙ୍କୁ ସିଲେଇ ତାଲିମ ଦେଇ ଆତ୍ମନିର୍ଭରଶୀଳ କରାଇବାକୁ ଇଛା ପ୍ରକଟ କରିଛନ୍ତି।