ରାୟଗଡା: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହୋଇଥିବା ବହୁ ଲୋକ କାଶୀପୁର ତହସିଲ ଅଧୀନରେ ରହିଥିବା କିଛି ଗ୍ରାମରେ ଥଇଥାନ କରାଯାଇଛି। ସେମାନଙ୍କୁ ସରକାର ଜମି କିଣି ସେଠାରେ ରହିବାକୁ ଦେଇଛନ୍ତି। ଆଜିକୁ ୪୦ ବର୍ଷ ପୁରି ଯାଇଥିଲେ ମଧ୍ୟ ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇ ନାହିଁ। ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ବଡୁଛି। ଏନେଇ ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣପରିଷଦ ତରଫରୁ ରାୟଗଡା ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଆଜି ପୁଣି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶ ଥାଉକି, ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ବାରା ୬୧୩୩ ଜଣ ପରିବାର ବିସ୍ଥାପିତ ହୋଇଥିଲେ। ଏମାନଙ୍କୁ ଚାରୋଟି ଜିଲ୍ଲାରେ ଥାଇଥାନ କରାଯାଇଥିଲା। ୧୯୮୦ ମସିହାରେ ଏହି ପରିବାରଙ୍କର ସମସ୍ତ ଜମି ଘରକୁ ସରକାର ଅକ୍ତିଆର କରି ନେଇ ଯାଇଥିଲେ। ସମସ୍ତଙ୍କୁ ଜମି ଦେବା ପରେ ଆରଏସି ପଲିସି ଅନୁଯାୟୀ ଜମିର ପଟ୍ଟା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ହୋଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରଥିଲେ।
କାଶୀପୁର ତହସିଲ ଅଧିନରେ ରହିଥିବା ନୂଆଗାଁ, ମାଲିଝରନ, କନେଇଗୁମ୍ମା, ପତିସିଲ, କଣ୍ଡେଇପଡା, ମୁନଡେଗା, ଘାଟଗୁଡା, ଅଣ୍ଡରକାଣ୍ଡ, ଲୋଡିଗୁଡା ଭଳି ବହୁ ଗ୍ରାମରେ ବାସ କରୁଥିବା ବିସ୍ଥାପିତ ପରିବାର ଏବେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ଜମି ପଟ୍ଟା ନ ହେବାରୁ ପୂର୍ବ ଜମି ମାଲିକମାନେ ଆସି ଘର ଭାଙ୍ଗିବା ସହ ହଇରାଣ ହରକତ କରୁଥିବା ଅଭିଯୋଗ କରିଥିଲେ। ୬୧୩୩ ପରିବାର ଲକ୍ଷ ଲକ୍ଷ ଟଙ୍କାର ଜମି ହରାଇ ଏବେ ଦାଣ୍ଡର ଭିକାରୀ ସାଜିଛନ୍ତି। ଅନ୍ୟଦିଗରେ ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ବାରମ୍ବାର ସରକାରଙ୍କୁ ମଧ୍ୟ ଅବଗତ କରାଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଆଜି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ବାରମ୍ବାର ଜିଲ୍ଲାପାଳଙ୍କ ନିକଟକୁ ଆସି ଖର୍ଚ୍ଚାନ୍ତ ହେବା ସହ ମାନସିକ ଦୁଶ୍ଚିନ୍ତାରେ ରହୁଥିବା କହିଥିଲେ।ତେବେ ଏନେଇ ଜିଲ୍ଲାପାଳ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Rgda-Indra-bati-bishapita-1.jpg)