ରାୟଗଡା: ରାୟଗଡା ସହର ମଧ୍ୟ ଦେଇ ଯାଇଛି ୩୨୬ ଜାତୀୟ ରାଜପଥ। ଜାତୀୟ ରାଜପଥ କଡରେ ଅସହାୟ ଅବସ୍ଥାରେ ପଡି ରହିଛନ୍ତି ଏକ ଅବହେଳିତ ପରିବାର। ତିନି ପିଲାଙ୍କୁ ନେଇ ଏକ ଦମ୍ପତି ଦୀର୍ଘଦିନ ହେଲା ରାସ୍ତା କଡରେ ଥିବା ନାଳ ଉପରେ ନିଜର ଆଶ୍ରୟସ୍ଥଳ କରିଛନ୍ତି। ମୁଣ୍ଡ ଉପରେ ଛିଣ୍ଡା ପଲିଥିନ ପଡିଥିବା ବେଳେ ତଳେ ଛିଣ୍ଡା କପଡାରେ ଜୀବନ ବିତୁଛି। ଏହି ପରିବାର ବଲାଙ୍ଗୀରର କକଡାହାଡ ଗ୍ରାମରୁ ଆସିଥିବା ଜଣା ପଡିଛି। ଅତି ଦୟନୀୟ ଭାବେ ପଡି ରହିଥିବା ଏହି ପରିବାରରେ ମୁଖ୍ୟ ହେଲେ ଅଜୟ ଜାଦୁଗର। ଅଜୟ ତାଙ୍କ ପତ୍ନୀ ରଶ୍ମୀ ଏବଂ ତାଙ୍କର ତିନି ସନ୍ତାନକୁ ନେଇ ରାସ୍ତା କଡରେ ପଡି ରହିଛନ୍ତି। କିଏ କିଛି ଦେଲେ ଏହି ପରିବାର ଦୁଇ ମୁଠା ଖାଇ ପାରୁଥିବା ବେଳେ କେହି ସହଯୋଗର ହାତ ନ ବଢାଇଲେ ଭୋକରେ ଦିନ କାଟୁଥିବା କହିଥିଲେ। ୬ ଫୁଟର ଜାଗାରେ ଏହି ପରିବାର ଆଶ୍ରୟ ନେଇଛନ୍ତି। ଅଜୟ ରୋଗାକ୍ରାନ୍ତ ହୋଇଥିବା ବେଳେ କୌଣସି କାମ କରି ପାରୁ ନାହାନ୍ତି। ପତ୍ନୀ ଭିକ ମାଗି ପରିବାର ଚଳାନ୍ତି। ସେହି ରାସ୍ତା ଦେଇ କେହି ଯାଉଥିଲେ ତାଙ୍କୁ ଏହି ପରିବାର ସହଯୋଗ କରିବା ପାଇଁ ନେହୁରା ହୁଅନ୍ତି। ତିନି ପିଲା ମଧ୍ୟ ଗୋଟିଏ ବେଳା ଖାଇଲେ ଆଉ ଗୋଟିଏ ବେଳା ଉପାସରେ ରହିବା ଶିଖି ଗଲେଣି।
/sambad/media/post_attachments/wp-content/uploads/2023/07/Rgda-road-side-life-2.jpg)
ଦୁଇ ବେଳା ଖାଇବାକୁ ଯୋଗାଡ କରି ପାରୁନଥିବା ବେଳେ ଅଜୟର ଚିକିତ୍ସା କରାଇବା ମୁସକିଲ ବୋଲି କହନ୍ତି। ପିଲାଙ୍କ ଦେହରେ ଜାମା ନାହିଁ। ଚିରାଫଟା ପୋଷାକ ଦେହରେ ରହିଛି। ଏବେ ବର୍ଷା ଲାଗି ରହିଥିବା ବେଳେ ମୁଣ୍ଡ ଉପରେ ପଡିଥିବା ଛିଣ୍ଡା ପଲିଥିନରୁ ପାଣି ଝରୁଛି। ମୁଣ୍ଡ ଉପରେ ସିନା ଛିଣ୍ଡା ପଲିଥିନ ରହିଛି, କିନ୍ତୁ ଚାରିପଟ ଖୋଲା। ବର୍ଷା ହେଲେ ସମସ୍ତେ ଜାକିଜୁକି ହୋଇ ଗୋଟିଏ ଜାଗାରେ ବସି ପଡନ୍ତି। ରାତିର ଥଣ୍ଡାରେ ପିଲାମାନେ ସେଭଳି ଖାଲି ଦେହରେ ଶୋଇବାରେ ସିଦ୍ଧହସ୍ତ ହୋଇ ଗଲେଣି। ଅଜୟ ଆର୍ୟୁବେଦ ଔଷଧ ଦିଅନ୍ତି। କିନ୍ତୁ ତାଙ୍କ ଠାରୁ କେହି କେବେ ଔଷଧ କିଣି ନେଉଥିବା ଲକ୍ଷ୍ୟ କରାଯାଏ ନାହିଁ। ଆୟର କୌଣସି ବାଟ ନଥିବାରୁ ଏଠାରେ ପଡି ରହିଥିବା ଏହି ଅସହାୟ ଦମ୍ପତ୍ତି କହନ୍ତି। ପ୍ରଶାସନ ତରଫରୁ ଏହି ପରିବାରକୁ କୌଣସି ଆଶ୍ରୟସ୍ଥଳୀରେ ରଖିବାର କୌଣସି ଯୋଜନା କରୁନଥିବା ଜଣାପଡିଛି। କେବଳ ଅଜୟ ନୁହନ୍ତି, ବରଂ ବହୁ ଅସହାୟ ପରିବାର ଏଭଳି ରାସ୍ତା କଡରେ ଏବଂ ବନ୍ଦ ପଡିଥିବା ଦୋକାନ ଗୁଡିକର ତଳେ ଆଶ୍ରୟ ନେଇଛନ୍ତି। ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏଭଳି ପରିବାର ରହି ଯାଇଛନ୍ତି ନା ପ୍ରଶାସନ ଜାଣି ଅଜଣା ବନିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖାଇବା ପିଇବାକୁ ପାଉ ନଥିବା ଏଭଳି ପରିବାରକୁ ପ୍ରଶାସନ ତରଫରୁ ଚିହ୍ନଟ କରାଯାଇ ସେମାନଙ୍କୁ ଆଶ୍ରୟସ୍ଥଳ ଏବଂ ଦୁଇ ବେଳେ ଖାଦ୍ୟର ଯୋଜନା କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।