ଜିଆରଏସଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟଣା: ନ୍ୟାୟ ନମିଳିଲେ ସପରିବାର ଆତ୍ମହୁତି ଦେବୁ

ମାଲକାନଗିରି: ମାଥିଲି ବ୍ଲକର ପାଙ୍ଗାମର ସିରାଗୁଡା ପାଖରେ ଗତ ୨୦୨୦ ସେପ୍ଟେମ୍ବର ୮ ତାରିଖ ଦିନ ପୁଲିସ ଗାଡି ଏବଂ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଜଣେ ଜିଆରଏସର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜିଆରଏସର ପରିବାର ଲୋକଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିପାରିଲା ନାହିଁ। ଯାହାଫଳରେ ଆଜି ସାମ୍ବାଦିକ ସମ୍ମିଳନୀ କରି ସପରିବାର ୧୫ ଦିନ ମଧ୍ୟରେ ନ୍ୟାୟ ନମିଳିଲେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଘଟଣା ଅନୁଯାୟୀ ଗତ ୨୦୨୦ ସେପ୍ଟେମ୍ବର ୮ ତାରିଖ ଦିନ ସକାଳେ ପାଙ୍ଗାମର ସୂର୍ଯ୍ୟ ନାରାୟଣ ସାହୁଙ୍କ ପୁଅ ବଳରାମ ସାହୁ ନିଜ ସ୍କୁଟି  (ଓଡି-୧୦-ଇ-୧୪୫୯)କୁ ନେଇ ଯାଉଥିବା ବେଳେ ଅପରପଟରୁ ଦ୍ରୁତ ଗତିରେ ଆସୁଥିବା ପୁଲିସ ଗାଡି (ଓଡି-୫-ଜି-୯୬୩୫) ସହ ଧକ୍କା ହୋଇଥିଲା, ଯାହାଫଳରେ ସ୍କୁଟି ଗୋଟିଏ ପଟେ ଓଲଟି ପଡିଥିବା ବେଳେ ବଲେରୋ ମଧ୍ୟ ଅନ୍ୟ ପଟେ ଓଲଟି ପଡିଥିଲା। ବଳରାମ ଗୁରୁତର ହେବାରୁ ତାଂକୁ ତୁରନ୍ତ ମାଥିଲି ମେଡିକାଲକୁ ନିଆଯାଇଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବଳରାମଙ୍କର ମୃତ୍ୟୁ ହୋଇଯାଇଥିଲା।ଏହାପରେ ସ୍ଥାନୀୟ ଲୋକେ ମାଲକାନଗିରି ଜୟପୁର ଜାତୀୟ ରାଜପଥକୁ ଅବରୋଧ କରିଥିଲେ।ପ ରେ ଲୋକ ପ୍ରତିନିଧି ଏବଂ ପୁଲିସ ତଥା ବିଡିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ, ପୁଲିସ ତରଫରୁ ଏବଂ ରେଡକ୍ରସର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା। ଲୋକମାନଙ୍କ ଆଗରେ ପ୍ରଶାସନ ତରଫରୁ ଜଣକୁ ଚାକିରି ଏବଂ ୨୦ରୁ ୨୫ ଲକ୍ଷ ଟଂକା ବୀମା ବାବଦକୁ ଟଂକା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା।

ଏହି ଘଟଣାର ଭାର ଡିଏସପି ବଳଭଦ୍ର ଦୀପ ନେଇଥିଲେ। ତଦନ୍ତରେ କୁହାଗଲା ଯେ ବଳରାମ ସାହୁ ଯେଉଁ ସ୍କୁଟିଟି ନେଇ ଯାଉଥିଲେ ଆଗକୁ ଏକ ମଇଁଷି ଆସିବାରୁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା ଯାହାଫଳରେ ବଳରାମଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ନିଜକୁ ଲୁଚାଇବାକୁ ଯାଇ ମଇଁଷିର ନାମ ନେଇଥିଲା। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଏହି ଅଂଚଳରେ ମଇଁଷି ହିଁ ନାହିଁ। ଯାହାକୁ ପୁଲିସ ଜାଣିନାହିଁ। ଏଭଳି ମିଥ୍ୟା ତଦନ୍ତ ରିପୋର୍ଟ ପ୍ରଦାନ କରି କେଶକୁ ରଦ୍ଦ କରିଦିଆଯାଇଥିବା ଅଭିଯୋଗ କରାଯାଇଛି।

ଏହି ଦୁର୍ଘଟଣାରେ ପୁଲିସ ଗାଡି ଏବଂ ଏହି ଗାଡିକୁ ଚଲାଉଥିବା ପୁଲିସ କର୍ମଚାରୀ ଅଭିଯୁକ୍ତ ହେବେ ଜାଣିବା ପରେ ତଦନ୍ତରେ ମଇଁଷିକୁ ଭର୍ତ୍ତି କରାଯାଇଛି। ନିଜେ ପୁଲିସ ଯଦି ଭୁଲ କରି ଏଭଳି ମିଥ୍ୟା ତଦନ୍ତ କରି ରିପୋର୍ଟତକୁ ଓଲଟପାଲଟ କରିବ ତେବେ ସାଧାରଣ ଲୋକଙ୍କ ପକ୍ଷରେ କଣ କରାଯାଉଥିବ ତାହା ସହଜରେ ଅନୁମେୟ।

ଆଜି ସ୍ଥାନୀୟ ଲୋକେ ସ୍ବର୍ଗତ ବଳରାମଙ୍କ ପରିବାର ଲୋକଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଲିସକୁ ଟାର୍ଗେଟ କରିଛନ୍ତି। ଯଦି ଆସନ୍ତା ପନ୍ଦର ଦିନ ମଧ୍ୟରେ ଏହାକୁ ତଦନ୍ତ କରି ଉଚିତ ନ୍ୟାୟ ପ୍ରଦାନ କରାନଯାଏ ତେବେ ଆଗାମୀ ଦିନରେ ସପରିବାର ଆତ୍ମହୁତି ଦେବୁ ବୋଲି ଧମକ ଦିଆଯାଇଛି। ଏହାର ତଦନ୍ତ ପାଇଁ ପୁଲିସ ଡିଜି, ଡିଆଇଜି,ଏସପି ଏବଂ ଆଇଆଇସିଙ୍କୁ ତଦନ୍ତ ପାଇଁ ନିବେଦନ କରିଥିଲେ ମଧ୍ୟ କେହି ଶୁଣିନଥିଲେ।ଏବେ କିନ୍ତୁ ପରିବାର ଲୋକେ ଯିଦ ଧରି ବସିଛନ୍ତି ଯେ ତୁରନ୍ତ ସ୍ବର୍ଗତ ବଳରାମଙ୍କୁ ନ୍ୟାୟ ମିଳୁ। ଆଜିର ସାମ୍ବାଦିକ ସମ୍ମିଳନୀରେ ସ୍ବର୍ଗତ ବଳରାମଙ୍କ ପରିବାର ସମେତ ସମାଜସେବୀ ଶରତ ଚନ୍ଦ୍ର ବୁରୁଦା, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ଖଇରପୁଟ ବ୍ଲକ ଅଧ୍ୟକ୍ଷା କୁମୁଦିନି କିରସାନି, ପାଙ୍ଗାମ ସରପଞ୍ଚ ଉଜାଲା ପେରମା, ସ୍ଥାନୀୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର