ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଫାର୍ମ ପଣ୍ଡ; ସଂରକ୍ଷିତ ଜଳରେ ହେଉଛି ମାଛ, ପନିପରିବା ଓ ସୂର୍ଯ୍ୟମୂଖୀ ଚାଷ

ଚଳିତ ବର୍ଷ ଜିଲ୍ଲାରେ ୪୧୫୨ ଫାର୍ମ ପଣ୍ଡ ନିର୍ମାଣ ଲକ୍ଷ୍ୟ; ୫୮୩ ପ୍ରକଳ୍ପ ସରିଛି, ଡିସେମ୍ବର ସୁଦ୍ଧା ସରିବ ୨୯୨୧

ରାୟଗଡ଼ା: ଗ୍ରାମାଞ୍ଚଳ ଚାଷୀଙ୍କ ମୁହଁରେ ହସ ଫୁଟାଇଛି ‘ଫାର୍ମ ପଣ୍ଡ’। ଚାଷ ଜମିକୁ ଜଳସେଚିତ କରିବା ସହ ପନିପରିବା, ମାଛ ଏବଂ ସୂର୍ଯ୍ୟମୂଖୀ ଚାଷ ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି। ଫଳରେ ଗୋଟିଏ ଋତୁରେ ସମ୍ମନ୍ବିତ କୃଷି ଯୋଜନା ପଦ୍ଧତିରେ ଚାଷ କରି ଉତ୍ପାଦିତ ଫସଲକୁ ବିକ୍ରି କରି ଚାଷୀ ଲାଭବାନ୍ ହେବା ସହ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବାରେ ସକ୍ଷମ ହୋଇଛି। ଯାହାର ଉଦାହରଣ ଗୁଣପୁର ବ୍ଲକ୍ ଗାଡିଆବାଙ୍ଗ ପଞ୍ଚାୟତ ଚିନାସାରି ଗ୍ରାମର ଚାଷୀ ବୁକୁଲା ଶବରଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ସହାୟତାରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧.୨୭ ଲକ୍ଷ ବ୍ୟୟରେ ୨୦୧୯-୨୦ ଆର୍ଥିକ ବର୍ଷରେ ନିଜ ଚାଷ ଜମିର ୨୦ ସେଣ୍ଟ୍ ଜାଗାରେ ଫାର୍ମ ପଣ୍ଡ ଖୋଳିଥିଲେ ବୁକୁଲା ଶବର। ଜମି ଚର୍ତୁପାର୍ଶ୍ବରେ ଥିବା ଖୋଲା ଅଞ୍ଚଳରେ ବୋହି ଯାଉଥିବା ବର୍ଷା ପାଣିକୁ ପୋଖରୀରେ ସଂରକ୍ଷିତ କରି ୧ ଏକର ଜମିରେ ପନିପରିବା ସହ ସୂର୍ଯ୍ୟମୂଖୀ ଚାଷ କରୁଛନ୍ତି ବୁକୁଲା। ଚାଷ ପାଇଁ ଖୋଳା ଯାଇଥିବା ପୋଖରୀରେ ଅତ୍ୟାଧୁନିକ ପ୍ରଣାଳୀରେ ମାଛ ଚାଷ ମଧ୍ୟ କରିଛନ୍ତି। ମାଛଙ୍କୁ ବଗ, ଚିଲ ଏବଂ ଅନ୍ୟ ପକ୍ଷୀଙ୍କ ଦାଉରୁ ରକ୍ଷା କରିବା ପାଇଁ ନେଟିଂ ପ୍ରଣାଳୀ ଆପଣାଇଛନ୍ତି। ପୋଖରୀ ଜଳସ୍ତରରୁ ୨ ଫୁଟ୍ ଉଚ୍ଚରେ ଚତୁପାର୍ଶ୍ବକୁ ନେଟ୍ ଦ୍ବାରା ଆଚ୍ଛାଦିତ କରିବା ଯୋଗୁ ପୂର୍ବ ଭଳି ଆଉ ମାଛ ଚାଷରେ କ୍ଷତି ସହିବାକୁ ପଡୁନି। ମାଛ ଚାଷରୁ ୩୫ ହଜାର ଟଙ୍କା ଲାଭ ପାଉଥିବା ଚାଷୀ ବୁକୁଲା ପ୍ରକାଶ କରିଛନ୍ତି।

Sambad

ସେହିପରି ଜମିରେ ଭେଣ୍ଡି, କଞ୍ଚାଲଙ୍କା, ବାଇଗଣ, ଟମାଟ, କାକୁଡି, ଗାଜର, ଫୁଲକୋବି ଚାଷରୁ ୭ ହଜାର, ସୂର୍ଯ୍ୟମୂଖୀ ଫୁଲ ଚାଷରୁ ୮ ହଜାର ୫୦୦ ଟଙ୍କାର ଲାଭ ପାଉଛନ୍ତି। ପୋଖରୀ ହୁଡ଼ାରେ ଲାଗିଥିବା ଅମୃତଭଣ୍ଡା, ନଡ଼ିଆ, କଦଳୀରୁ ବେଶ୍ ଲାଭବାନ୍ ହେଉଛନ୍ତି ବୁକୁଲା। କରୋନା ସତ୍ତ୍ବେ ଚଳିତ ବର୍ଷ ଗୋଟିଏ ଋତୁରେ ବୁକୁଲା ୫୦ ହଜାର ୫୦୦ ଟଙ୍କା ଲାଭ ପାଇଥିବା କହିଛନ୍ତି। ବୁକୁଲାଙ୍କ ସଫଳତାକୁ ନେଇ ପାଣି ସମସ୍ୟା ଲାଗି ଚାଷରୁ ମୁହଁ ଫେରାଇ ନେଇଥିବା ଚାଷୀଙ୍କୁ ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ଫାର୍ମ ପଣ୍ଡ ଖୋଳି ପୁଣି ଚାଷ ପ୍ରତି ଆକୃଷ୍ଟ କରାଇବାରେ ଲାଗିଛି। ନିକଟରେ ଆପିକଲ୍ ପରିଚାଳନା ନିର୍ଦେଶକ ପ୍ରଭାତ କୁମାର ରାଉଳ ବୁକୁଲାଙ୍କ ଚାଷ ଜମିକୁ ପରିଦର୍ଶନରେ ଯାଇ ଖୁସି ପ୍ରକାଶ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଜଳ ବିଭାଜିକା ବିଭାଗ ପକ୍ଷରୁ ୧୧ ବ୍ଲକରେ ୪୧୫୨ଟି ଫାର୍ମ ପଣ୍ଡ ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି। ସେଥି ମଧ୍ୟରୁ ଆଜି ସୁଦ୍ଧା ୫୮୩ଟି ଫାର୍ମ ପଣ୍ଡର ନିର୍ମାଣ ସରିଛି। ୨୯୬୧ ଫାର୍ମ ପଣ୍ଡର ଜିଓ ଟ୍ୟାଗିଂ ସରିଥିବା ବେଳେ ୨୯୨୧ଟିର ନିର୍ମାଣ କାମ ଆରମ୍ଭ ହୋଇ ୫୦ ପ୍ରତିଶତରୁ ଉର୍ଧ୍ବ କାମ ସରିଛି। ଆସନ୍ତା ଡିସେମ୍ବର ସୁଦ୍ଧା ବାକି ସମସ୍ତ ଫାର୍ମ ପଣ୍ଡର ନିର୍ମାଣ ଶେଷ ହେବ ବୋଲି ମୃର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ କୁମାର ମଲ୍ଲିକ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର