ଧାନ ବିକ୍ରି କରି ପ୍ରାପ୍ୟ ପାଇ ନଥିବା ଚାଷୀମାନେ ଏଆରସିଏସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ଚାଷୀ

ଦେବଗଡ଼: ସରକାର ଚାଷୀମାନଙ୍କର ଆର୍ଥିକସ୍ଥିତିକୁ ସୁଦୃଢ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କରି ଅଧିକ ଅମଳ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ସଚେତନ କରାଯାଉଛି ଏବଂ ଶସ୍ୟକୁ ସରକାରୀ ମୂଲ୍ୟରେ ବିକ୍ରି ପାଇଁ ବ୍ୟବସ୍ଥା କରାଯାଉଛି । ପୂର୍ବରୁ ଚାଷୀମାନେ ସମବାୟ ସମିତିରେ ଧାନ ଦେଇ ସରକାରୀ ମୂଲ୍ୟରେ ଧାନ ବିକ୍ରି କରୁଥିଲେ । କିନ୍ତୁ ଗତ ବର୍ଷ ଧାନ ବିକ୍ରିରେ ସ୍ବଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଟୋକନ ବ୍ୟବସ୍ଥା ଆରମ୍ଭ କରିଥିଲେ । ଉକ୍ତ ଟୋକନ ବ୍ୟବସ୍ଥା ଯୋଗୁଁ ପଂଜିକୃତ ଚାଷୀମାନଙ୍କ ମୋବାଇଲରେ ମେସେଜ ମାଧ୍ୟମରେ କ୍ରମିକ ନଂ ଏବଂ ଧାନ ବିକ୍ରି କରିବା ପାଇଁ ସମବା‌ୟ ସମିତିରେ ଦିନ ଧାର୍ଯ୍ୟ ମେସେଜ ମାଧ୍ୟମରେ ଅବଗତ କରିବା ପାଇଁ ସରକାରଙ୍କ ପଦକ୍ଷେପ ନିଆଯାଇଥିଲା ।

ଆଜି ଠାରୁ ଜିଲ୍ଲାରେ ଚଳିତ ବର୍ଷର ଖରିଫ ଧାନ କ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି । ତେବେ ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଟାପାଲି ସେବା ସମବାୟ ସମିତିର ୨୦୧୯-୨୦ରେ ଖରିଫ ଧାନ କ୍ରୟ ସମୟରେ ୪୨ଜଣ ଚାଷୀ ଗତବର୍ଷ ଖରିଫ ଧାନ ବିକ୍ରି କରିବା ପରେ ବି ଆଜି ସେମାନଙ୍କର ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି । କଣ୍ଟାପାଲି ସେବା ସମବାୟ ସମିତିର ଚାଷୀମାନେ ବିକ୍ରି କରିଥିବା ୧୫୬୬ କ୍ବିଣ୍ଟାଲ ୬୬ କେଜି ଧାନ ଓଜନ କରି କଣ୍ଟାପାଲି ସେବା ସମବାୟ ସମିତିର ସଂପାଦକ ଗୋଦାମ ଗୃହରେ ଗଛିତ ରଖିଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଉକ୍ତ ୪୨ ଜଣ ଚାଷୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ସେମାନଙ୍କ ପ୍ରାପ୍ୟ ପାଇପାରିନଥିଲେ । ଯାହ‌ା ଫଳରେ କଣ୍ଟାପାଲି ସେବା ସମବାୟ ସମିତିର ଚାଷୀମାନେ ଆଜି ଏଆରସିଏସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସେମାନଙ୍କର ଦାବି ଯଥାର୍ଥତା ଥିବା ହେତୁ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା କୃଷକ ସଂଘର୍ଷ ସଂଘର ସଭାପତି ସେମ ହେମରମ ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଏଆରସିଏସ ନିମାଇଁ ଚରଣ ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ଗଣେଶ୍ବର ଚୌଧୁରୀ ପଂହଚି ଚାଷୀମାନଙ୍କ ସହିତ ଆଲୋଚନା କରିବା ପରେ ସେମାନଙ୍କର ପ୍ରାପ୍ୟ ପ୍ରଦାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ସମ୍ବନ୍ଧିତ ଖବର