ଧାନର ଅଭାବି ବିକ୍ରିକୁ ନେଇ ତେଜିଲେ ଚାଷୀ, ଧାନବସ୍ତା ରଖି ରାସ୍ତାରୋକ୍  

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରଂଜାଗୋଳ ସେବା ସମବାୟ ସମିତି ଅଧିନରେ ଥିବା ରଂଜାଗୋଳ, ଅସରଡା, କନ୍ତିମିଲି, କୁକୁଟା ଓ ଠୋ କର ଆଦି ୫ଟି ପଞ୍ଚାୟତର ଚାଷୀମାନେ ଧାନର ଅଭାବି ବିକ୍ରିକୁ ନେଇ ଆନ୍ଦୋଳନ କରିଥିବା ଜଣାପଡିଛି। ଏଠିକାର ଚାଷୀମାନେ ପ୍ରଥମେ ହିନ୍ଦୋଳ ଉପଜିଲ୍ଲାପାଳ, ସମବାୟ ସମିତି ସେକ୍ରେଟାରୀ, ବାଲିମି ଥାନା ଅଧିକାରୀ ସବୁଠି ଲିଖିତ ଅଭିଯୋଗ କଲାପରେ କୌଣସିି ସୁଫଳ ମିଳିନଥିଲା। ଏଣୁ ରଂଜାଗୋଳ ପଞ୍ଚାୟତର ପୂର୍ବତ୍ତନ ସରପଞ୍ଚ କ୍ଷେତ୍ରବାସୀ ବିଶ୍ବାଳ ଓ ରଂଜାଗୋଳ ଗ୍ରାମର ଧନି ସାହୁ, ସରୋଜ ସାହୁ, ଅରଖିତ ସାହୁ, ଗୋଲେଖ ସାହୁ, ବିଶ୍ବମ୍ବର ଦେହୁରୀ, ଚଉରି ସାହୁ, ଠୋକର ପଞ୍ଚାୟତର କୃଷ୍ଣଚନ୍ଦ୍ର ସାମଲ, ବିମ୍ବାଧର ମାଝି, ପ୍ରତାପ ସାମଲ, ଶ୍ରୀକାନ୍ତ ମାଝି, ବିନୋଦ ମାଝି, ପ୍ରଫୁଲ ମାଝି, ବାରସିଙ୍ଗା ପଞ୍ଚାୟତର ସୋମନାଥ ବିଶ୍ବାଳ, ରବି ସାହୁ ଓ କୁକୁଟା କନ୍ତିମିଲି ଆଦି ଗ୍ରାମ ପଞ୍ଚାୟତ ମାନଙ୍କରୁ ଶତାଧିକ ଚାଷୀମାନେ ରାସ୍ତାରୋକ୍‌ରେ ସାମିଲ ଥିଲେ।

ଆଜି ପୂର୍ବାହ୍ନ ୮ଟାରୁ ଗୁଡିଆକାଟେଣି ହିନ୍ଦୋଳ ମୁଖ୍ୟ ରାସ୍ତାର କୁକୁଟା ଛକଠାରେ ରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ୍ କରିଥିବା ଦେଖିବାକୁ ମିଳିଥିଲା। ରାସ୍ତାରୋକ୍ ଫଳରେ ରାସ୍ତା ଦୁଇ ପାଖରେ ଶତାଧିକ ଯାନବାହାନ ଅଟକି ରହିଥିବା ବେଳେ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ରାମ ଗୋବିନ୍ଦ ପରିଡା, ହିନ୍ଦୋଳ ଯୋଗାଣ ବିଭାଗ ଅଧିକାରୀ ଅସିତ୍ ଅମିତାଭ ବେହେରା, ବାଲିମି ଥାନା ଅଧିକାରୀ ବ୍ରହ୍ମାନନ୍ଦ ପାତ୍ର ପ୍ରମୁଖ ପହଞ୍ଚି ଆନ୍ଦୋଳନ ରତ ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। ଚାଷୀମାନଙ୍କ ଠାରୁ ଧାନ କିଣାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ରାସ୍ତାରୋକ୍ରୁ ଦିନ ୧୨ଟା ବେଳେ ଓହରିଥିଲେ।

ସମ୍ବନ୍ଧିତ ଖବର