ଋଣଭାର ସହି ନପାରି ଜୀବନ ହାରିଲେ ଚାଷୀ!

ନୀଳଗିରି/ଭୁବନେଶ୍ୱର: ଲକ୍ଷାଧିକ ଟଙ୍କାର ଋଣଭାରରେ ଅତିଷ୍ଠ ହୋଇ ଶେଷରେ ଜଣେ ଚାଷୀ ଜୀବନ ହାରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ବଡ଼ପୋଖରୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।

ଅଭିଯୋଗ ଅନୁସାରେ ଋଣଭାର ସହି ନପାରି ଚାଷୀ ପ୍ରଦୀପ ପାତ୍ର ଗତ ଶୁକ୍ରବାର ପୂର୍ବାହ୍‌ଣରେ ବିଷପାନ କରିଥିଲେ। ବିଷପାନ କରିବା ପରେ ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ସୋରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବାଲେଶ୍ୱର ମେଡିକାଲ୍‌କୁ ସ୍ଥାନାନ୍ତର କରିଥିଲେ। ଏହା ପରେ ଶନିବାର ସନ୍ଧ୍ୟାରେ ପ୍ରଦୀପଙ୍କୁ ପୁଣି କଟକ ବଡ଼ଡାକ୍ତରଖାନାଙ୍କୁ ସ୍ତାନାନ୍ତର କରିଥିଲେ ଡାକ୍ତର। ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ପ୍ରଦୀପ୍ତ ବଡ଼ପୋଖରୀ ସମବାୟ ସମିତରୁ ଏକ ଲକ୍ଷରୁ ଅଧିକ ଟଙ୍କା ଋଣ କରିଥିଲେ। ସେ ଗତ ୬ ତାରିଖରେ ବିଲକୁ ଚାଷ ଦେଖିବାକୁ ଯାଇଥିଲେ। ତେବେ ଚାଷ ଖରାପ ହୋଇଥିବାରୁ ମାନସିକ ଚିନ୍ତାରେ ବୁଡ଼ି ଯାଇଥିଲେ। ଶେଷରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ବିଷପାନ କରିଥିଲେ ବୋଲି ତାଙ୍କ ବଡ଼ଭାଇ ନରେନ୍ଦ୍ର ପାତ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର