୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ମାଙ୍କଡ଼, ଚାଷୀ ମୃତ
କ୍ଷତିପୂରଣ ଦାବିରେ ଗ୍ରିଡ୍ ଘେରାଉ, ୬ଘଣ୍ଟା ଶବ ଅଟକ
କିଶନନଗର: କିଶନନଗର ଥାନା ଅନ୍ତର୍ଗତ ଓଡ଼ପଡ଼ା ଆଦିବାସୀସାହି ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ୧୧କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ଯାଇଥିବା ଏକ ମାଙ୍କଡ଼ ବିଦ୍ୟୁତ୍ ଆଘାତରେ ଜଳି ଯାଇଥିଲା ବେଳେ ତାର ଛିଡ଼ି ପଡ଼ିଥିଲା। ଏହି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାରଦା ପଞ୍ଚାୟତ ଶଗଡ଼ିପାଟଣା ଭୋଇସାହିର କାଳିନ୍ଦୀ ଭୋଇ (୫୨) ନାମକ ଚାଷୀ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ କ୍ଷତିପୂରଣ ଦାବି ନେଇ ୬ଘଣ୍ଟା ଶବ ଅଟକ ରଖିବା ସହ କିଶନନଗର ଗ୍ରିଡ୍ ଘେରାଉ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଓଡ଼ପଡା ଆଦିବାସୀସାହି ନିକଟରେ ଶଗଡ଼ିପାଟଣା ଭୋଇସାହିର କାଳିନ୍ଦୀ ଭୋଇ ପରିବା ଚାଷ କରିଥିଲେ। ଶୁକ୍ରବାର ସକାଳ ପ୍ରାୟ ୮ଟାରେ ସେ ନିଜ ପରିବା କିଆରିକୁ ଆସି କାକୁଡ଼ି ତୋଳୁଥିଲେ। ଏହି ସମୟରେ ଏକ ମାଙ୍କଡ଼ ଦୌଡ଼ି ଆସି କିଆରୀ ଭିତରେ ଥିବା ୧୧କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ଯାଇଥିଲା। ମାଙ୍କଡ଼ଟି ବିଦ୍ୟୁତ୍ ତାରକୁ ଛୁଇଁବା ମାତ୍ରେ ଜଳି ତଳକୁ ଖସି ପଡ଼ିଥିଲା। ଏହା ସହିତ ବିଦ୍ୟୁତ୍ ତାର ମଧ୍ୟ ଛିଡ଼ି ଯାଇଥିଲା। ଜଳନ୍ତା ବିଦ୍ୟୁତ୍ ତାର ତଳେ ପଡ଼ିବାରୁ କଞ୍ଚା ଘାସ, ମୁଗ ଗଛ ଆଦି ମଧ୍ୟ ଜଳି ଯାଇଥିଲା। ଏହା ଦେଖି କାଳିନ୍ଦୀ ଜୀବନ ବଞ୍ଚାଇବା ପାଇଁ ପରିବା କିଆରୀରୁ ଦୌଡ଼ି ପଳାଇଥିଲେ। ହେଲେ, ଗୋରୁଙ୍କ ଦାଉରୁ ଫସଲର ସୁରକ୍ଷା ପାଇଁ ପରିବା କିଆରୀ ଚାରିପଟେ ଲାଗିଥିବା ଜିଆଇ ତାର ସହ ୧୧ କେଭି ତାର ଲାଗି ଯାଇଥିଲା।
ଦୁର୍ଯୋଗକୁ କାଳିନ୍ଦୀ ଜିଆଇ ତାର ସଂସ୍ପର୍ଶରେ ଆସି ଜଳି ଯାଇଥିଲେ। ଆଖପାଖରେ ଥିବା ଲୋକମାନେ ଏହା ଦେଖୁଥିଲେ ମଧ୍ୟ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ନିକଟକୁ ଯାଇ ତାଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇ ନ ଥିଲା। ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ। ଏ ସମ୍ପର୍କରେ ପ୍ରଚାରିତ ହେବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ କିଶନନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ହେଲେ, କ୍ଷତିପୂରଣ ଦାବି ନେଇ କାଳିନ୍ଦୀଙ୍କ ପରିବାର ଓ ଅଞ୍ଚଳବାସୀ ଶବ ଅଟକ ରଖିଥିଲେ। ବହୁ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଭାଗ ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଉତ୍କଳ ବିକାଶ ପରିଷଦ ସଭାପତି ଇଞ୍ଜିନିୟର୍ ପ୍ରକାଶଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ପରିଷଦର ସଦସ୍ୟ, ସାହି ବାସିନ୍ଦା ଓ ଅଞ୍ଚଳବାସୀ କିଶନନଗର ବିଦ୍ୟୁତ୍ ଗ୍ରୀଡ୍ ଘେରାଉ କରିଥିଲେ। ଏହି ଅବସରରେ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଜଣକୁ ବିଦ୍ୟୁତ୍ ବିଭାଗରେ ଚାକିରି ପାଇଁ ଦାବି କରାଯାଇଥିଲା। ମଧ୍ୟାହ୍ନରେ କିଶନନଗର ତହସିଲଦାର ମଧୁସୂଦନ ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିବା ସହ ରେଡ୍କ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଦାବି ମୁତାବକ କ୍ଷତିପୂରଣ ଏବଂ ଜଣଙ୍କୁ ବିଦ୍ୟୁତ୍ ବିଭାଗରେ ଚାକିରି ଦେବା ପାଇଁ ଟାଟା ପାୱାର୍ ସହ ଆଲୋଚନା କରିବା ଲାଗି ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ଣ ୩ଟାରେ ବ୍ୟବଚ୍ଛେଦ ପାଇଁ ଅଞ୍ଚଳବାସୀ ଶବ ଛାଡ଼ିଥିବା ଜଣାଯାଇଛି। ଅପରପକ୍ଷରେ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା କାଳିନ୍ଦୀଙ୍କ ପରିବାରକୁ ୨୦ହଜାର ଟଙ୍କା ସହାୟତା ଯୋଗାଇ ଦେଇଥିବା ଜଣାପଡ଼ିଛି। ସେହିପରି ସଦର ବ୍ଲକ୍ କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଛାୟତ ଆଜି କିଶନନଗର ତହସିଲଦାର ମଧୁସୂଦନ ନାୟକଙ୍କୁ ସାକ୍ଷାତ କରି ମୃତ କାଳିନ୍ଦୀଙ୍କ ପୁଅକୁ ବିଦ୍ୟୁତ୍ ବିଭାଗରେ ଚାକିରି ଓ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି। ତାଙ୍କ ସହ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ ଉପସ୍ଥିତ ଥିଲେ।