ଟ୍ରାକ୍ଟର ଚାପି ହୋଇ ଜୀବନ ଗଲା, ମୃତଦେହ କଲା ଉଦ୍ଧାର ଅଗ୍ନିଶମ ବିଭାଗ

ମାଲକାନଗିରି: ନିଜ ଚାଷ ଜମିରେ ଟ୍ରାକଟର ସାହାଯ୍ୟରେ ଚାଷ କରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଚାପି ହୋଇଯାଇଥିଲା ଚାଷୀ ଉପରେ। କେଇ କ୍ଷଣ ଛଟପଟ ଓ ଚିତ୍କାର ପରେ ଚାଲିଗଲା ଚାଷୀର ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି ୫୯ ଗ୍ରାମରେ।

ସୂଚନା ମୁତାବକ ଆଜି ସକାଳ ପ୍ରାୟ ୧୦ଟା ବେଳେ ଏହି ଗ୍ରାମର ତପନ ଢାଲୀ ନାମକ ଜଣେ ଚାଷୀ ନିଜର ଚାଷ ଜମିରେ ଟ୍ରାକ୍ଟର ସାହାଯ୍ୟରେ ଚାଷ କରୁଥିଲେ। ଖାଲଢିପ ଭରା ଏହି ଜମିରେ ଚାଷ କରୁଥିବାବେଳେ ହଠାତ୍ ଟ୍ରାକ୍ଟର ଭାରସାମ୍ୟ ହରାଇ ତପନଙ୍କ ଉପରେ ଚାପି ହୋଇଯାଇଥିଲା। ଏତିକି ବେଳେ ତପନ ଜୋର୍‌ରେ ଚିତ୍କାର କରିବା ସହ କେଇ କ୍ଷଣ ଛଟପଟ ହୋଇ ଜୀବନ ହରାଇଥିଲେ। ଚିତ୍କାର ଶୁଣି କିଛି ଦୂରରେ ଥିବା ଚାଷୀ ଓ ତପନର ଭାଇ ରତନ ଘଟଣା ସ୍ଥଳରେ ପହଞ୍ଚି ପଡିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିଶମ ଅଧିକାରୀ ଶିଶୀରକାନ୍ତ ସିଂହ ଏକ ଅଗ୍ନିଶମ ଟିମ୍ ସହ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ତଳେ ଚାପି ହୋଇ ରହିଥିବା ତପନକୁ ଉଦ୍ଧାର କରିବା ପରେ ପଡିଆ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ତେବେ ସେଠାରେ ଡ଼ାକ୍ତର ତପନକୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମୃତ ତପନର ଶବ ଜବତ କରି କାଲିମେଳାରେ ବ୍ୟବଚ୍ଛେଦ କରାଇବା ପରେ ପୁଣି ପରିବାରକୁ ହସ୍ତାନ୍ତର କରିଥିଲେ। ଏ ନେଇ ପଡିଆ ଥାନାରେ ମାମଲା ସଂଖ୍ୟା ୪୭/୨୧ ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ପଡିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା କହିଛନ୍ତି।

ସମ୍ବନ୍ଧିତ ଖବର