ରୋଗ ପୋକ ଦାଉରେ ଚାଷୀ ସର୍ବସ୍ୱାନ୍ତ

ଲୋଇସିଂହା: ଲୋଇସିଂହା ବ୍ଲକ୍‌ ଅଞ୍ଚଳରେ ଚଳିତ ବର୍ଷ ଆବଶ୍ୟକତା ଠାରୁ କମ୍‌ ବର୍ଷା ହୋଇ ଥିବା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ଥିଲା। ଯାହା କିଛି ରକ୍ଷା ପାଇଥିଲା ଏବେ ରୋଗ ପୋକ ଦାଉରେ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି। ରୋଗ ପୋକ ଦମନ ପାଇଁ ଚାଷୀ ଅଧିକ ଖର୍ଚ୍ଚାନ୍ତ ହୋଇ ବଜାରରୁ କିଣି ଆଣୁଥିବା ବିଷାକ୍ତ ଔଷଧ ଆଦୌ କାମ କରୁ ନଥିବା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ି ଯାଇଛି। ସ୍ଥାନୀୟ ବ୍ଲକ୍‌ କୃଷି ଅଧିକାରୀ ବର୍ଷା ଅଭାବ ଯୋଗୁଁ ଏବଂ ଚକଡ଼ା ପୋକ ଦାଉରେ ଚାଷୀ ଅଧିକ କ୍ଷତିର ସମ୍ମୁଖୀନ ହୋଇଥିବା ସ୍ୱୀକାର କରିଛନ୍ତି । ବହୁ ପରିମାଣ ଜମିରେ ବର୍ଷା ଭାବ ଯୋଗୁଁ ରୁଆ ବିହୁଡ଼ା ଏବଂ ଏପରିକି କିଛି ଜମିରେ ଆଦୌ ଚାଷ ଆରମ୍ଭ କରାଯାଇ ପାରି ନଥିବା ବେଳେ ଯାହା କିଛି ଖାଲୁଆ ଜମିରେ ଚାଷ ହୋଇଥିଲା ତାହା ଏବେ ଚକଡ଼ା ପୋକ ଯୋଗୁଁ ନଷ୍ଟ ହେବାରେ ଲାଗିଛି।

ବର୍ତ୍ତମାନ ପରିସ୍ଥିତିରେ ଚାଷ ହୋଇ ପାରିଥିବା ଜମିରେ ୫୦ ପ୍ରତିଶତରୁ ଅଧିକ କ୍ଷତି ହେବା ଅନୁମାନ କରାଯାଉଛି ବୋଲି ସେ ସ୍ୱୀକାର କରିଛନ୍ତି। ରାଜ୍ୟ ସରକାରଙ୍କ ଅନୁମୋଦିତ କୀଟନାଶକ ଆବଶ୍ୟକ ପରିମାଣରେ ବ୍ୟବହାର କରୁ ନ ଥିବା ଏବଂ କେତେକ ଚାଷୀ ବଜାରରୁ କମ୍‌ ଦରରେ ନକଲି କୀଟନାଶକ କିଣି ବ୍ୟବହାର କରୁ ଥିବାରୁ ରୋଗ ପୋକ ନିୟନ୍ତ୍ରଣ ହୋଇ ପାରୁ ନାହିଁ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଲୋଇସିଂହା ଅଞ୍ଚଳରେ ଜଳସେଚନର ବ୍ୟବସ୍ଥା ଆଦୌ ହୋଇ ପାରି ନ ଥିବାରୁ ଚାଷୀମାନେ ପ୍ରତି ବର୍ଷ ବର୍ଷାକୁ ଭରସା କରିଥାନ୍ତି। ଏଣୁ ଉକ୍ତ ବ୍ଲକ୍‌ ଅଞ୍ଚଳରେ ପ୍ରାୟ ପ୍ରତି ବର୍ଷ ବର୍ଷା ଅଭାବରୁ ଚାଷୀ କ୍ଷତିର ସମ୍ମୁଖୀନ ହୋଇ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡୁଥିବା ଲକ୍ଷ୍ୟ କରାଯାଉଛି।

 

ସମ୍ବନ୍ଧିତ ଖବର