ବିଲକୁ ଯାଉଥିଲେ ଚାଷୀ, କୁକୁଡ଼ା ବୋଝେଇ ଗାଡ଼ି ଧକ୍କାରେ ମୃତ୍ୟୁ

ବିନିକା: କୁକୁଡ଼ା ବୋଝେଇ ଗାଡ଼ି ଧକ୍କାରେ ଆଜି ଜଣେ ବୟସ୍କ ଚାଷୀଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ତୁଲୁଣ୍ଡୁପାଲି ଗାଁର ପଂଚା ଷଣ୍ଢ (୫୫)ଙ୍କ ପ୍ରାଣହାନୀ ଘଟିଛି । ଦୁର୍ଘଟଣା ପରେ ଗାଡ଼ିଟି ସେଠାରୁ ଫେରାର ହୋଇଯାଇଥିଲା ।

ସୂଚନା ଅନୁସାରେ ପଂଚା ଆଜି ତୁଲୁଣ୍ଡୁପାଲି ଛକ ଠାରୁ ଅନିତି ଦୂରରେ ବିଲକୁ ଯାଉଥିବା ବେଳେ କୁକୁଡା ବେଝେଇ ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା । ତାଙ୍କୁ ଗୁରୁତର ଭାବେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ଡାକ୍ତର ପଂଚାଙ୍କୁ ମୃତ ଘୋଷଣା କରିଥିଲେ ।

ପରିବାର ପକ୍ଷରୁ ଥାନାରେ ଲିଖିତ ଭାବେ କୁହାଯାଇଛି ଯେ, ପଂଚା ଚାଷ କାମ କରି କୁଟୁମ୍ବ ପୋଷନ୍ତି । ସେ ଆଜି ବିଲକୁ ଯାଉଥିବା ବେଳେ ଗାଁ ଛକ ନିକଟରେ ଏକ କୁକୁଡ଼ା ବେଛେଇ ଗାଡ଼ି ଧକ୍କା ଦେଇ ସେଠାରୁ ଚାଲିଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଆଇଆଇସି ନିରଂଜନ ଦାଶ ପ୍ରକାଶ କରିଛନ୍ତି । ସେଲେଡି ସରପଂଚ ଭରତ ଗାଇଗରିଆ ହରଶ୍ଚନ୍ଦ୍ର ଯୋଜନାରେ ପରିବାରଙ୍କୁ ୨ ହଜାର ଟଙ୍କା ଦେଇଥିବା କହିଛନ୍ତି । ସେହିପରି ବିନିକା ତହସିଲଦାର ଅଲେଖ ଘୁଟାଙ୍କ ଅନୁରୋଧ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ପରିବାରକୁ ରେଡକ୍ରସରୁ ୧୦ ହଜାର ଟଙ୍କା ଆସନ୍ତା ସୋମବାର ଦିନ ପ୍ରଦାନ କରାଯିବ ବୋଲି ଜଣାଯାଇଛି । ପରିବାର ପକ୍ଷରୁ କୁକୁଡା ଗାଡ଼ି ବିନିକା ଅଂଚଳର ବୋଲି ସଂଦେହ କରାଯାଉଛି । ତୁରନ୍ତ ଗାଡ଼ିକୁ ଠାବ କରି ଡ୍ରାଇଭରଙ୍କୁ ଗିରଫ କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର