ହଟୁନି ରାଜୁଆ ଦୁଃଖ: ଚାଷୀଙ୍କୁ ଭଣ୍ଡାଉଛି ଉଠାଜଳସେଚନ ଓ ଜଳସେଚନ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧାର ଦୁଃଖ ରାଜୁଆ ନଦୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ମହାନଦୀର ଉପନଦୀ ରାଜୁଆରେ ବର୍ଷା ଋତୁରେ ବଢ଼ି ହୋଇ ଚାଷୀଙ୍କ ଫସଲ ନଷ୍ଟ ହୁଏ ଓ ଗ୍ରୀଷ୍ମ ଋତୁରେ ନଦୀରେ ପାଣିଥାଇ ମଧ୍ୟ ଚାଷ ଜମିକୁ ପାଣି ଆସିପାରେ ନାହିଁ । ଗତ ତିନି ଦଶନ୍ଧୀ ଧରି ଚାଷୀମାନେ ଏଭଳି ସମସ୍ୟାରେ ଗତି କରୁଥିଲେ ମଧ୍ୟ ଉଭୟ ଜଳସେଚନ ଓ ଉଠାଜଳସେଚନ ବିଭାଗ ସେମାନଙ୍କୁ ଭଣ୍ଡାଇ ଚାଲିଛନ୍ତି । ୨୦୨୨ ଡିସେମ୍ବରରେ ବ୍ରଜମୋହନପୁ, ଧଉଳିମୁହଁ, ନିଜିଗଡ଼ ତାପଙ୍ଗ, ଓରବରସିଂହ ପଂଚାୟତର ଚାଷୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାଜୁଆ ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଥିଲେ ମଧ୍ୟ ବଳକା ୧୦ ପ୍ରତିଶତ କାମ ଶେଷ ହେଉନଥିବା ଓ ରାଜୁଆ ଦକ୍ଷିଣ କେନାଲରେ ପାଣି ଆସୁନଥିବା ନେଇ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ମଧ୍ୟ ଏନେଇ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଜାନୁଆରୀ ମାସରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଳା ଉନ୍ନୟନ ସମନ୍ୱୟ ବୈଠକରେ ଏନେଇ ଆଲୋଚନା ବେଳେ ବିଭାଗୀୟ କର୍ତୃପକ୍ଷ ଅନୁପସ୍ଥିତ ରହିଥିବା ଓ ସଠିକ ତଥ୍ୟ ଦେଇନପାରିବାରୁ ଗଭୀର କ୍ଷୋଭ ପ୍ରକାଶ ପାଇଥିଲା । ଏହା ମଧ୍ୟରେ ଦୁଇ ମାସ ବିତିଯାଇଛି କିନ୍ତୁ ରାଜୁଆ ଦକ୍ଷିଣ କେନାଲ୍ରେ ପାଣି ଆସିପାରିଲା ନାହିଁ ।

ଅପରପକ୍ଷରେ ଉଠାଜଳସେଚନ ବିଭାଗ ପକ୍ଷରୁ ରବି ଫସଲ ନିମନ୍ତେ ସାମୟିକ ଜଳଯୋଗାଣର ବ୍ୟବସ୍ଥା କରି ଦୁଇଟି ପମ୍ପ ବସାଯାଇଛି । କେନାଲରେ ଆବଶ୍ୟକ ପାଣି ଛଡ଼ାଯାଉନଥିବାରୁ ଏହାକୁ ଦିନକୁ ଦୁଇ-ତିନିଘଂଟା ଚଲାଇ ବନ୍ଦ କରିଦିଆଯାଉଛି । ଆଜି ଏନେଇ ଖୋର୍ଦ୍ଧା ଜିଲ୍ଲାର ତିନିଟି ପଂଚାୟତ ତଥା ପୁରୀ ଜିଲ୍ଲାର ଗଡ଼ସାନପୁଟ ପଂଚାୟତର ଚାଷୀମାନେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ଅଭିଯୋଗ କରିଛନ୍ତି । ଚାଷୀଙ୍କ କହିବା କଥା ହେଲା, ବ୍ୟାରେଜ୍ ଯେଉଁଠି ନିର୍ମାଣ ହୋଇଛି ତାହା ତଳିଆ ଅଂଚଳ । ସେଠାରେ ଯଦି ପାଣି ଜମା ହୁଏ ତେବେ ଦକ୍ଷିଣ କେନାଲ୍ରେ ପାଣି ଆସିବ ଓ ଉପରି ଅଂଚଳରେ ଥିବା ଚାଷ ଜମିକୁ ପାଣି ମିଳିବ । କିନ୍ତୁ ତଳମୁଣ୍ଡରେ ଥିବା ବ୍ୟାରେଜରେ ପାଣି ରହିଲେ ତଳିଆ ଅଂଚଳର ଜମିରେ ପାଣି ମାଡ଼ିଯିବ ଓ ଚାଷୀ କ୍ଷତିଗ୍ରସ୍ତ ହେବେ । ଏଣୁ ଡିସେମ୍ବର ମାସରେ ଏନେଇ ଅଭିଯୋଗ ଓ ଆଲୋଚନା ପରେ ଉଠାଜଳସେଚନ ଦ୍ୱାରା ଉପରମୁଣ୍ଡ ଜମିକୁ ପମ୍ପ ଦ୍ୱାରା ଜଳ ଉଠାଇ ଜଳ ଯୋଗାଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ତେବେ ଉଠାଜଳସେଚନ ବିଭାଗ ଯେଉଁ ଠିକାଦାରଙ୍କୁ ଏନେଇ ଦାୟିତ୍ୱ ଦେଇଛି ସେମାନେ ଦିନକୁ ୨-୩ଘଂଟା କେବଳ ପମ୍ପ ଚଳାଇ ବନ୍ଦ କରିଦେଉଛନ୍ତି । ଜମିକୁ ଯେତିକି ପାଣି ଆସିବା କଥା ଆସିପାରୁନାହିଁ, ଫଳରେ ଭରସା କରି ଯେଉଁ ଚାଷୀ ରବି ଫସଲ କରିଛନ୍ତି ତାହା ବର୍ତମାନ ପାଣି ଅଭାବରେ ଶୁଖିବାକୁ ବସିଛି । ତେବେ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଉଠାଜଳସେଚନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଆଜି ପମ୍ପ ଚଲାଯାଇଛି ବୋଲି ଚାଷୀ ଅବକାଶ ମହାନ୍ତି କହିଛନ୍ତି ।

ସମ୍ବନ୍ଧିତ ଖବର