ଖରିଫ ଧାନ ସଂଗ୍ରହ ଶେଷ ହେବ, କିନ୍ତୁ ତୁଟୁନି ଚାଷୀଙ୍କ ସମସ୍ୟା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା । ଏହି ଧାନ ସଂଗ୍ରହ ଆଉ ୧୦ ଦିନ ଗଲେ ଶେଷ ହେବ, କିନ୍ତୁ ଏଯାଏଁ ଧାନମଣ୍ଡିରେ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ଏପରିକି ଅନେକ ମଣ୍ଡିରେ ଶତାଧିକ ଚାଷୀ ନିଜର ଧାନ ବିକ୍ରି କରିନପାରି ଅପେକ୍ଷା କରିଥିବା ବେଳେ ଅନେକ କୃଷି ସେବା ସମବାୟ ସମିତିରେ ଚାଷୀଙ୍କୁ ଘରୋଇ ମିଲରଙ୍କୁ ନେଇ ଧାନ ବିକ୍ରି କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଆଜି ବାଣପୁର କୋଲଥଡିହର ଚାଷୀ ଈଶ୍ୱରଚନ୍ଦ୍ର ଦାସ ଏକ ସାଂଘାତିକ ଅଭିଯୋଗ ନେଇ ଖୋର୍ଦ୍ଧା ଏଆର୍ସିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ତାଙ୍କ କହିବାନୁସାରେ, ସେ ହଳନ୍ଦା ସୋସାଇଟିରେ ପଂଜୀକରଣ କରିଥିଲେ । ୧୮ ଫେବ୍ରୁଆରୀରେ ତାଙ୍କୁ ୬୧.୧୩ କ୍ୱିଂଟାଲ୍ ଧାନ ବିକ୍ରି କରିବା ପାଇଁ ମେସେଜ୍ ଆସିଥିଲା । ଏହାପରେ ସେ ୩-୪ ଥର ଧାନ ନେଇ ମଣ୍ଡିରୁ ଫେରିଆସିଛନ୍ତି । ତାଙ୍କର ଧାନ କିଣିବାକୁ ସୋସାଇଟି ସେକ୍ରେଟାରୀଙ୍କୁ କହିବାରୁ ସେ ପ୍ରଥମେ କୌଣସି ଗୁରୁତ୍ୱ ଦେଇନଥିଲେ, ଶେଷରେ କହିଛନ୍ତି ଯେ୧୦ କ୍ୱିଂଟାଲ୍ ଧାନ ନେଇ ଚଣ୍ଡେଶ୍ୱର ମିଲରେ ବିକ୍ରି କର, ନଚେତ୍ ଧାନ ବିକ୍ରି କରିବା କଥା ଭୁଲିଯାଅ । ଏହା କେବଳ ତାଙ୍କ କ୍ଷେତ୍ରରେ ନୁହେଁ ଏକାଧିକ ଚାଷୀଙ୍କ କ୍ଷେତ୍ରରେ ଘରୋଇ ମିଲରେ ଧାନ ବିକ୍ରି କରିବାକୁ ଅନୁରୂପ ଚାପ ପକାଯାଇଥିବା ସେ ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ସେହିଭଳି କୁଂଜୁରୀ ଗ୍ରାମର ପ୍ରାୟ ୭୦ରୁ ଉଦ୍ଧ୍ୱର୍ ଚାଷୀ ଆଜି ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଦେଖା କରି ନିଜର କୁହୁଡ଼ି ସେବା ସମବାୟ ସମିତିର ଧାନମଣ୍ଡିର ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଅଭିଯୋଗ ହେଲା ସୋସାଇଟିରେ ୬୧୪ଜଣ ଚାଷୀ ପଂଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ୪୩୮ ଜଣ ଚାଷୀ ନିଜର ଧାନ ବିକ୍ରି କରିସାରିଥିବା ବେଳେ ୧୬୭ଜଣ ଚାଷୀ ନିଜର ଧାନ ବିକ୍ରି କରିପାରିନାହାନ୍ତି । ୧୬୭ଜଣ ଚାଷୀଙ୍କ ମଧ୍ୟରୁ ୬୨ଜଣ ଟୋକେନ୍ ପାଇଛନ୍ତି, କିନ୍ତୁ ମଣ୍ଡିର ଟାର୍ଗେଟ୍ ଶେଷ ହୋଇଥିବା ସମ୍ପାଦକ କହିଛନ୍ତି । ବଳକା ଚାଷୀଙ୍କ ପ୍ରାୟ ୪୮୦୦ କ୍ୱିଂଟାଲ୍ ଧାନ ପଡ଼ିରହିଛି, ଏଣୁ ଏହି ସୋସାଇଟିରେ ଧାନ ଟାର୍ଗେଟକୁ ଉକ୍ତ ପରିମାଣରେ ବଢ଼ାଇବାକୁ ସେମାନେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର