ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବାର ୭୦ ଦିନ ମଧ୍ୟରେ ଜିଲ୍ଲା ପାଇଁ ଯେତିକି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ତା’ର ୮୫ ପ୍ରତିଶତ ଧାନ ସଂଗ୍ରହ ହୋଇସାରିଛି, କିନ୍ତୁ ପଂଜୀକୃତ ହୋଇଥିବା ମୋଟ ଚାଷୀଙ୍କ ମଧ୍ୟରୁ ୨୫ ପ୍ରତିଶତ ଚାଷୀ ଧାନ ବିକ୍ରି କରିନପାରି ଅପେକ୍ଷା କରି ରହିଛନ୍ତି । ଯଦି ଏକର ପିଛା ଧାନ ସଂଗ୍ରହକୁ ଆକଳନ କରାଯାଏ ତେବେ ପଂଜୀକୃତ ଚାଷୀଙ୍କ ଠାରୁ ଯେତିକି ପରିମାଣରେ ଧାନ କିଣାଯାଇଛି ସେଥିରେ ପ୍ରାୟ ୪ଲକ୍ଷ କ୍ୱିଂଟାଲ୍ ଧାନ ଚାଷୀମାନେ କଟନିଛଟନି ଆଦିରେ ହରାଇଛନ୍ତି । କୃଷି ବିଭାଗର ସୂଚନାନୁସାରେ ଖୋର୍ଦ୍ଧା ଜିଲ୍ଲାରେ ୧ ହେକ୍ଟର (୨.୪୭ ଏକର) ଠାରୁ କମ୍ ଜମି ଥିବା ନାମମାତ୍ର ଚାଷୀଙ୍କ ସଂଖ୍ୟା ୬୫, ୮୧୩ । ୧ ହେକ୍ଟରରୁ ୨ ହେକ୍ଟର ଜମି ଥିବା କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୪୭,୧୯୪ । ୨ ହେକ୍ଟରରୁ ଅଧିକ ଚାଷ ଜମି ଥିବା ଚାଷୀଙ୍କ ସଂଖ୍ୟା ୧୧, ୭୬୧ । ମୋଟ ୧ଲକ୍ଷ ୨୪ ହଜାର ୭୬୮ଟି ଚାଷୀ ପରିବାର ମଧ୍ୟରୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ୨୫ରୁ ୩୦ ପ୍ରତିଶତ ଚାଷୀ ହିଁ ପଂଜୀକରଣ କରିଥାନ୍ତି ।
ବଳକା ଚାଷୀ ନିଜର ପରିବାର ପାଇଁ ଧାନ ଉତ୍ପାଦନ କରନ୍ତି କିମ୍ବା ବାହାର ବଜାରରେ ବିକି୍ର କରନ୍ତି । ଜିଲ୍ଲାରେ ପ୍ରତି ଚାଷୀଙ୍କ ପିଛା ହାରହାରି ଚାଷ ଜମିର ପରିମାଣ ପ୍ରାୟ ୧ ହେକ୍ଟର । ଧାନ ସଂଗ୍ରହ ନୀତିରେ ପ୍ରତି ଏକର ପିଛା ଅଣ ଜଳସେଚିତ ଜମିର ଚାଷୀ ୧୩ କ୍ୱିଂଟାଲ୍ ଓ ଜଳସେଚିତ ଜମିର ଚାଷୀ ୧୯ କ୍ୱିଂଟାଲ୍ ଧାନ ବିକ୍ରି କରିପାରିବ । ଅର୍ଥାତ୍ ହାରାହାରି ୧୮.୫ କ୍ୱିଂଟାଲ୍ ଧାନ ପ୍ରତି ଏକର ଓ ପ୍ରତି ଚାଷୀ ଠାରୁ କିଣାଯାଇଥାଏ । ଚଳିତ ବର୍ଷ ୪୬, ୪୧୨ଜଣ ଚାଷୀ ୧୩୮ଟି ପ୍ୟାକ୍ସ ଜରିଆରେ ପଂଜୀକରଣ କରିଥିଲେ । ଆକଳନ ହିସାବରେ, ୪୬, ୪୧୨ଜଣ ଚାଷୀଙ୍କ ଠାରୁ ହାରାହାରି ୧ ହେକ୍ଟର ପିଛା ୪୫ କ୍ୱିଂଟାଲ୍ ହିସାବରେ ୨୧ଲକ୍ଷ ୨୦ହଜାର ୭୯୬ କ୍ୱିଂଟାଲ୍ ଧାନ ସଂଗ୍ରହ କରାଯିବା କଥା । କିନ୍ତୁ ସରକାର ଖୋର୍ଦ୍ଧା ଜିଲ୍ଲା ପାଇଁ ୧୫ଲକ୍ଷ କ୍ୱିଂଟାଲ୍ ଧାନ ସଂଗ୍ରହ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।
ଅପରପକ୍ଷରେ, ଧାନ ସଂଗ୍ରହ ଶେଷ ହେବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି । ଏହା ମଧ୍ୟରେ ୩୬,୮୭୮ଜଣ ଚାଷୀ ନିଜର ଧାନ ବିକ୍ରି କରିସାରିଥିବା ବେଳେ ପ୍ରାୟ ୧୦ହଜାର ଚାଷୀ ଅପେକ୍ଷାରେ ଅଛନ୍ତି । ଯଦି ୩୬,୮୭୮ଜଣ ଚାଷୀଙ୍କ ଠାରୁ ହାରାହାରି ୪୫ କ୍ୱିଂଟାଲ୍ ଧାନ କିଣାଯାଇଥାଏ ତେବେ ୧୬ଲକ୍ଷ ୫୯ କ୍ୱିଂଟାଲ୍ ଧାନ କିଣାଯିବା କଥା, କିନ୍ତୁ ଆଜି ସୁଦ୍ଧା ୧୨ଲକ୍ଷ ୩୪୪୯ କ୍ୱିଂଟାଲ୍ ଧାନ ସଂଗ୍ରହ ହୋଇଛି । ଅର୍ଥାତ୍ ପ୍ରାୟ ୪ ଲକ୍ଷ କ୍ୱିଂଟାଲ୍ ଧାନ କଟିନିଛଟିନି ଆଦିରେ କିମ୍ବା ଅନ୍ୟ କୌଣସି ବୈଷୟିକ କାରଣରୁ ଚାଷୀମାନେ ହରାଇଛନ୍ତି । ଯାହାର ଆନୁମାନିକ ବଜାର ମୂଲ୍ୟ କ୍ୱିଂଟାଲ୍ ପିଛା ୧୪୦୦ଟଙ୍କା ହିସାବରେ ୫ହଜାର ୬୦୦ କୋଟି ଟଙ୍କା ହେବ । ଧାନମଣ୍ଡି, ମିଲର ଓ ପ୍ରଶାସନର ଏହି ଘଟସୂତ୍ରରେ ଚାଷୀ ହରାଉଥିବା ଧାନର ବିଧବଦ୍ଧ ତଦନ୍ତ କରାଯିବା ପାଇଁ ବିଭିନ୍ନ ଚାଷୀମହଲରେ ଦାବି ହେଉଛି ।