ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ବଣିଆଟାଙ୍ଗୀରେ ଜନୈକ ବ୍ୟକ୍ତି ଚାଷଜମିକୁ ଯିବା ସର୍ବସାଧାରଣ ରାସ୍ତାକୁ ଅବରୋଧ କରି ପ୍ରାଚୀର ନିର୍ମାଣ କରୁଥିବା ଅଭିଯୋଗ କରି ଆଜି ୩୦ରୁ ଉଦ୍ଧ୍ୱର୍ ପୁରୁଷ ଓ ମହିଳା ଚାଷୀ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଆଜି ଅପରାହ୍ଣରେ ଚାଷୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଭେଟିଥିଲେ । ଅଭିଯୋଗକାରୀ ଚାଷୀ ମନୋରଂଜନ ରାୟ, ରାଜେଶ କୁମାର ସାମନ୍ତରାୟ, ନୃସିଂହ ବଳିଆରସିଂହ, ବିନୋଦିନୀ ସେଠୀ, ମିନି କୁମାର ମହାନ୍ତି, ଅଭୟ ବଳିଆରସିଂହ ପ୍ରମୁଖଙ୍କ କହିବା କଥା ଗାଁର ଜନୈକ ବ୍ୟକ୍ତି ଚାଷ ଜମିକୁ ବିକ୍ରି କରିବାକୁ ଯୋଜନା କରି ଚାଷ ଜମିକୁ ଯିବା ପାଇଁ ଉଦ୍ଦିଷ୍ଟ ଭିଡ଼ ରାସ୍ତାକୁ ଭାଙ୍ଗି ପ୍ରାଚୀର ନିର୍ମାଣ କରୁଛି । ୫୦ରୁ ଉଦ୍ଧ୍ୱର୍ ଚାଷୀ ସେମାନଙ୍କ ବିଲକୁ ଯିବାରେ ସମସ୍ୟା ସୃଷ୍ଟି ହୋଇଛି, ଫଳରେ ସେମାନେ ଚଳିତ ବର୍ଷ ଚାଷ କାମ ମଧ୍ୟ ଆରମ୍ଭ କରିପାରିନାହାନ୍ତି ।
ଏନେଇ ସେମାନେ ଜୁନ୍ ୨୫ରେ ତହସିଲଦାର ଓ ଜୁନ୍ ୨୬ରେ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଭାବେ ଜଣାଇଥିଲେ । ୨୭ ଜୁନରେ କୁରାଢ଼ମଲ୍ଲ ରାଜସ୍ୱ ନିରୀକ୍ଷକ ସରଜମିନ ଯାଂଚ କରି ଏହାଦ୍ୱାରା ଅନ୍ୟ ଚାଷଜମିକୁ ଯାତାୟାତ କରିବାରେ ସମସ୍ୟା ହେବ ଓ ଚାଷକାର୍ଯ୍ୟରେ ବାଧା ଉପୁଜିବ ବୋଲି ରିପୋର୍ଟ ଦେଇଥିଲେ । ସେହି ସମୟରେ ସର୍ବସାଧାରଣ ହିଡ଼ରେ ନିର୍ମିତ ପ୍ରାଚୀରକୁ ଭାଙ୍ଗିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ଭଙ୍ଗାନଯିବାରୁ ଜୁଲାଇ ୩ ତାରିଖରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ପ୍ରକୋଷ୍ଠାରେ ସେମାନେ ଅଭିଯୋଗ କରିଥିଲେ ।
ସେଠାରେ ଜିଲ୍ଲାପାଳଙ୍କ ନିକଟରେ ତହସିଲଦାର ନିଜେ ଘଟଣାର ଯାଂଚ କରି ପଦକ୍ଷେପ ନେବି ବୋଲି କହି ୪ ତାରିଖରେ ଯାଂଚ କରି ପୁଣି ମାପଚୁପ କରିବାକୁ କହିଥିଲେ । ବର୍ତ୍ତମାନ ଚାଷ ଜମିରେ ଧାନ ବୁଣା ହୋଇଥିବାରୁ ମାପଚୁପ ହେଲେ ବୁଣାଧାନ ନଷ୍ଟ ହେବା ସମ୍ଭାବନା ରହିଛି, ଏଣୁ ଧାନ ଫସଲ ପରେ ମାପଚୁପ କରାଯାଉ କିନ୍ତୁ ବର୍ତ୍ତମାନ ଚାଷଜମିକୁ ଯାଇଥିବା ଅବରୋଧକୁ ହଟାଯାଉ । ଆଜି ଚାଷୀଙ୍କ ସହ ସାକ୍ଷାତ ବେଳେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଉପସ୍ଥିତ ଥିଲେ । ଜିଲ୍ଲାପାଳ ତହସିଲଦାରଙ୍କ ସହ ଫୋନ ଯୋଗେ କଥା ହେବା ପରେ ତହସିଲଦାରଙ୍କୁ ଭେଟି ଏହାର ସମାଧାନ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।