ଜୟପୁର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କୁ ନେଇ ଜୟପୁର ନିକଟସ୍ଥ ବାମୁଣୀଗାଁ ଆମ୍ବ ବଗିଚାରେ କୃଷକ ସମାବେଶ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ ସମ୍ମିଳନୀକୁ ସଭାପତିତ୍ବ କରିବା ସହ ସଂଯୋଜନା କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ର ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ତଥା ସାଂସଦ ଜୁଏଲ୍ ଓରାମ, ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ, ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ଇଂ.ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜୟରାମ ପାଙ୍ଗୀ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ବାଳ, ଶର୍ମିଷ୍ଠା ମେହେର, କୋରାପୁଟ ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡ଼ା, ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ରମେଶ ସାହୁ ପ୍ରମୁଖ ଯୋଗ ଦେଇ ଦେଶର ବହୁ ପୁରାତନ କୃଷି ଆଇନ ଦ୍ବାରା ଅଦ୍ୟାବଧି କୃଷକର କୌଣସି ଉନ୍ନତି ସାଧିତ ହେଲା ନାହିଁ।
/sambad/media/post_attachments/wp-content/uploads/2020/12/jpr-bjp-krushak-somabesh-3-1024x576.jpg)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଦାୟୀତ୍ବ ନେବା ପରେ କୃଷକମାନଙ୍କ ଆୟକୁ ୨୦୨୨ ସୁଦ୍ଧା ଦ୍ବିଗୁଣିତ କରିବା ପାଇଁ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତନ୍ମଧରୁ ନୂତନ କୃଷି ଆଇନ ଚାଷୀଙ୍କୁ ସଶକ୍ତ ଓ ସହାୟତା କରିବ। ଏହି ଆଇନ କୃଷକମାନଙ୍କୁ ମଧ୍ୟସ୍ଥିମାନଙ୍କ ଠାରୁ ରକ୍ଷା କରିବ,କାରଣ କୃଷକ ଓ ଖାଉଟିମାନଙ୍କ ମଧ୍ୟରେ ମଧ୍ୟସ୍ଥ ଭାବେ ରହୁଥିବା ବ୍ୟକ୍ତିମାନେ କୃଷି ଉତ୍ପାଦନରୁ ଲାଭବାନ ହେଉଥିବା ବେଳେ ଉଭୟ ଚାଷୀ ଓ ଖାଉଟି କ୍ଷତିଗ୍ରସ୍ତ ହେଉଛନ୍ତି। କୃଷକର ସବୁଠାରୁ ବଡ ସମସ୍ୟା ହେଲା ଅଭାବବିକ୍ରୀ। କୃଷକ ପାଖରେ ତାର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାର ଏକମାତ୍ର ଉପାୟ ଥିଲା ମଣ୍ଡି ବା ଦଲାଲ ବା ମଧ୍ୟସ୍ଥି। ଏବେ ଆସିଥିବା ନୂଆ ଆଇନ ଅନୁଯାୟୀ ମଣ୍ଡି ବ୍ୟବସ୍ଥା ସହିତ ଚାଷୀଙ୍କ ପାଖରେ ଖୋଲା ବଜାରରେ ଚାଷୀ ଜିନିଷ ବିକିବାର ସୁଯୋଗ ରହିବ।ନୂଆ ଆଇନ ଅନୁସାରେ କୃଷକ ସାରା ଦେଶରେ ବଜାରରେ ନିଜର ଜିନିଷକୁ ସ୍ବଇଛାରେ ବିକ୍ରି କରିପାରିବ। ଏଥିସହ କୃଷକ ଯେ କୌଣସି ବେପାରୀକୁ ତାର ଜିନିଷ ବିକ୍ରି କରିପାରିବ। ଚାଷୀ ବେପାରୀଙ୍କ ସହ ଚୁକ୍ତି କରିବ ଏବଂ ତା ନିଜ ଇଛାରେ ଏହାକୁ ବାତିଲ କରି ପାରିବ, ଅଭାବି ବିକ୍ରୀର ଶୀକାର ହେବ ନାହିଁ। କେହି ଚାଷୀର ଜମି ହଡ଼ପ କରିବ ନାହିଁ।
ଏହି ଆଇନରେ ଚାଷୀ ପାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। କେନ୍ଦ୍ର ସରକାର ଏହି ବିଧେୟକ ଆଣିବାର ୨୪ ଘଣ୍ଟା ମଧ୍ୟରେ ଗହମ ସମେତ ୬ ଗୋଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ବାରମ୍ବାର ଏନେଇ ଦୋହରାଉଛନ୍ତି ଯେ ଏମଏସପି ବ୍ୟବସ୍ଥା ଆଗଭଳି ରହିବ। କେନ୍ଦ୍ର ସରକାର କୃଷକର ଉନ୍ନତି ପାଇଁ ବିଶେତକରି ଆୟକୁ ଦ୍ବିଗୁଣିତ କରିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ରାଜ୍ୟସରକାରଙ୍କର ଆନ୍ତରିକତାର ଅଭାବ ଏବଂ ସହଯୋଗ କାରଣରୁ ଓଡିଆ ଚାଷୀ କେନ୍ଦ୍ରୀୟ ପ୍ରଧାନମନ୍ତ୍ରୀ କିଶାନ ଯୋଜନାରୁ ବଂଚିତ ହେଉଛି। ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଲେ ଭୋଟ ବ୍ୟାଙ୍କରେ ବାଧକ ହେବ ଭାବି ଦିଆଯାଉନି କି ବୋଲି ଏମାନେ ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର ଧାନର ଏମଏସପି ୧୮୬୮ ଟଂକା ଦେଉଥିବା ବେଳେ ମଣ୍ଡିରେ ୩ କେଜିରୁ ୮ କେଜି ପର୍ୟ୍ୟନ୍ତ କଟନିଛଟନି କରାଯାଉଛି। ଚାଷୀ ବର୍ଷ ତମାମ ହାଡଭଙ୍ଗା ପରିଶ୍ରମ କରି ନିଜ ଫସଲର ପ୍ରକୃତ ମୂଲ୍ୟ ପାଇପାରୁନାହିଁ। ମଣ୍ଡିର ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାର ଅର୍ଥର ବ୍ୟବସ୍ଥା କରିଥିବା ସ୍ଥଳେ ଓଡିଶାରେ ମଣ୍ଡିର ଭିତ୍ତିଭୂମି ସୁଧୁରିଲା ନାହିଁ। ଧାନ ଅଖା ଠାରୁ ଆରମ୍ଭ କରି ହ୍ୟାଣ୍ଡଲିଂ , ଧାନ ମିଲିଂ କରି ଚାଉଳ ଦେବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ବହନ କରୁଛନ୍ତି। ଅଖା ଟଂକା କେନ୍ଦ୍ର ଦେଉଥିଲେ ମଧ୍ୟ ଚାଷୀ ସେହି ଟଂକା ପାଇପାରୁନାହିଁ।
୩୦ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚିତ କରିବାର ପ୍ରତିଶ୍ରୁତି ଆଜି ବି ପାଳନ କରାଯାଇନି। ଯେତେ ସବୁ ଜଳସେଚନ ପ୍ରକଳ୍ପ କେବଳ ନାଁ କିନ୍ତୁ ଚାଷୀଙ୍କୁ କେବଳ ମଧ୍ୟମ ଜଳସେଚନ ପ୍ରକଳ୍ପରେ ହିଁ ପାଣି ମିଳୁଛି ବୋଲି ଏମାନେ କହିଥିଲେ। କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ମାଲାକାନଗିରୀ ବିଧାୟକ ଆଦିତ୍ୟ ମାଢ଼ି, ଖଗେଶ୍ବର ପୁଜାରୀ, କୁମୁଦ ସାଉନ୍ତା, ରାମଚନ୍ଦ୍ର ପାଙ୍ଗୀ, ପଦ୍ମନ ନାୟକ, ଶିବଶଙ୍କର ଉଲ୍ଲାକା, ବସନ୍ତ ଉଲ୍ଲାକା, ମନୋଜ ମେହେର, ରମେଶ ମାଝୀ, ଅନନ୍ତ ଦେଓ, କୃଷକ ମୋର୍ଚ୍ଚାର ରଜତ ମାଦଲା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ବିପଦଭଂଜନ ଦାଶ ପ୍ରମୁଖ ମଂଚାସୀନଥିଲେ। ନଗର ସଭାପତି ସାଧୁଚରଣ ଦାଶ ଚୌଧୁରୀ ମଂଚକୁ ଅତିଥି ମାନଙ୍କୁ ଆହ୍ବାନ କରିଥିଲେ। ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୌତମ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା , କୃଷକ ଆଦି ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jpr-bjp-krushak-somabesh-5.jpg)