ଖୋର୍ଦ୍ଧା: ରାମେଶ୍ବର ବ୍ୟାରେଜ୍ର ପୁନରୁଦ୍ଧାର, ବ୍ୟାରେଜରୁ ଚାଷ ଜମିକୁ ଜଳ ଯୋଗାଣ ଓ ଚଳିତ ଖରିଫ ଋତୁରେ ନିଅଣ୍ଟିଆ ବର୍ଷାଜନିତ ଧାନଫସଲର କ୍ଷତିପୂରଣ ଦାବିରେ ଦୁଇ ଦିନ ପୂର୍ବେ ନିରାକାରପୁରର ଆଞ୍ଚଳିକ ଚାଷୀ କମିଟି ରାସ୍ତାରୋକ ସହ ଧାରଣା ଦେଇଥିଲେ। ସୋମବାର ଜିଲ୍ଲାପାଳଙ୍କୁ ଭେଟି ଚାଷ ଜମିକୁ ଜଳ ଓ ଧାନ ଫସଲ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଚାଷୀ କମିଟିର ସଭାପତି ବିପିନ ଜୟସିଂହ, ସମ୍ପାଦକ ଧନଞ୍ଜୟ ପାଟ୍ଟଷାଣୀ, ୧୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ଲେଣ୍ଡୋ ସରପଞ୍ଚ ବିନୋଦିନୀ ଦାସ, ଡିଆ ସରପଞ୍ଚ ପ୍ରଶାନ୍ତ ବେହେରା, ପୂର୍ବ ସରପଞ୍ଚ ହୃଷିକେଶ ରାଉତରା, ଶୁଭମ ଦାସ ପ୍ରମୁଖ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟିଥିଲେ। ୧୨ ଦଫା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ଦେଇଥିଲେ। କମିଟିର ସଭାପତି ଶ୍ରୀ ଜୟସିଂହ ଦାବି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାମେଶ୍ବର ବ୍ୟାରେଜରୁ ଉଠାଜଳସେଚନ ମାଧ୍ୟମରେ ଚାଷ ଜମିକୁ ଜଳ ଯୋଗାଣ, ମଲାଗୁଣି ନଦୀକୁ ମହାନଦୀ ସହ ସଂଯୋଗ, ମଲାଗୁଣି ବ୍ୟାରେଜର ପୁନରୁଦ୍ଧାର ଓମରାମତି, ସାହାଡ଼ାଯୋଡ଼ି ନାଳର ପୁନରୁଦ୍ଧାର, ଜଙ୍କିଆ ନାଳର ପୁନରୁଦ୍ଧାର, ଲେଣ୍ଡୋ ନିକଟରେ ଚେକ୍ଡ୍ୟାମ ନିର୍ମାଣ, କପିଳେଶ୍ବର ମୌଜାରେ ଚେକ୍ଡ୍ୟାମ୍, ଯାଜପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ନୂଆ ଜଗନ୍ନାଥସଡ଼କ କେନାଲ୍ ବନ୍ଧ ରାସ୍ତାର ଉନ୍ନତୀକରଣ, ତାଳପଡ଼ା ଆର୍ଡି ରାସ୍ତା ଠଶରୁ ଖଜୁରିପଡ଼ା ବିପିସିଏଲ୍ ପେଟ୍ରୋଲ୍ ପମ୍ପ କେନାଲ୍ ବନ୍ଧ ରାସ୍ତାର ଉନ୍ନତୀକରଣ, ମଲାଗୁଣି ବ୍ୟାରେଜର ଉନ୍ନତି ଓମରାମତି ଆଦି ଦାବି ରହିଛି। ଏନେଇ ଗତ ଦିନରେ ଅନେକ ଥର ଦାବିପତ୍ର ପ୍ରଦାନ ଓଧାରଣା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯଦି ସେମାନଙ୍କ ଦାବି ସମ୍ପର୍କରେ ପ୍ରଶାସନ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।