ସୁନ୍ଦରଗଡ଼ର ଚାଷୀଙ୍କୁ ମିଳୁନି ଋଣ! ରାଜ୍ୟ ସମବାୟ ବିଭାଗର ହସ୍ତକ୍ଷେପ ଲୋଡ଼ିଲେ କୁସୁମ

ସୁନ୍ଦରଗଡ଼: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଟାଳଟୁଳ ନୀତି ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାରେ ଖରିଫ ଓ ରବି ଚାଷୀଙ୍କୁ ଆବଶ୍ୟକତା ଅନୁସାରେ ଋଣ ମିଳୁ ନାହିଁ। ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକଙ୍କ ନିଯୁକ୍ତିରେ ଅନିୟମିତତା ହୋଇଥିବା  ରାଜ୍ୟ ସମବାୟ ସମିତି ଓ ସମବାୟ ବିଭାଗ ଦର୍ଶାଇଥିବା ବେଳେ ତାଙ୍କ ହାତରୁ  ଆର୍ଥିକ କ୍ଷମତା କାଢ଼ି ନିଆଯାଇଛି।

ଏସ୍ଥିତିରେ ରାଜ୍ୟ ସମବାୟ ବ୍ୟାଙ୍କ  ପୁନଃ ଲଗାଣ ଋଣ (କନସେନାଲ ରିଫାଇନାନ୍ସ) ବନ୍ଦ କରି ଦେଇଥିବାରୁ ଚଳିତ ଖରିଫ ଋଣ ବହୁ ଭାଗରେ ପ୍ରଭାବିତ ହେବା ନିଶ୍ଚିତ ବୋଲି ପ୍ରକାଶ ପାଇଛି। ଫଳରେ ସାର, ବିହନ, କୀଟନାଶକ, ନଗଦ ଟଙ୍କା ତଥା ଅନ୍ୟ ଚାଷ ଉପକରଣ ପାଇଁ ଲ୍ୟାମ୍ପସ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ ଉପରେ ନିର୍ଭର କରୁଥିବା ସୁନ୍ଦରଗଡ଼ର ହଜାର ହଜାର ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ଏ ସମ୍ପର୍କରେ ସୁନ୍ଦରଗଡ଼ ବିଧାପନସଭା କ୍ଷେତ୍ରର ଚାଷୀମାନେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କୁ ଅଭିଯୋଗ କରିବା ପରେ ସେ ରାଜ୍ୟ ସମବାୟ ବିଭାଗକୁ ପତ୍ର ଲେଖି ମହାମାରୀ କରୋନା ସମୟରେ ଜିଲ୍ଲାର ଚାଷୀମାନଙ୍କୁ ଆଉ ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ନଦେଇ ସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତି ନିବନ୍ଧକଙ୍କୁ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଦାୟିତ୍ବ ଦେଇ ତୁରନ୍ତ ପୁନଃ ଲଗାଣ ଋଣ ଦେବାକୁ ସେ ଦାବି କରିଛନ୍ତି।

ଏହି ଅବସରରେ ବିଧାୟିକା ଶ୍ରୀମତୀ ଟେଟେ ଚାଷୀ  ସୁରେନ୍ଦ୍ର କୁମାର ପଟେଲ, ଦେବାନନ୍ଦ ପଟେଲ, ପ୍ରଦୀପ କୁମାର ନାଏକ, ଦିଲୀପ ପଟେଲ ପ୍ରମୁଖଙ୍କ ସହ ଜିଲ୍ଲାପାଳଙ୍କୁ ଭେଟି ଏ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ। ସୂଚନାଯୋଗ୍ୟ, ୨୦୨୦ ଏପ୍ରିଲ ୧ରୁ ଏହି ବ୍ୟାଙ୍କ ରାଜ୍ୟ ସମବାୟ ବ୍ୟାଙ୍କ ଠାରୁ ପୁନଃ ଲଗାଣ ଋଣ ପାଇବାରେ ବଞ୍ଚିତ ହୋଇ ଆସୁଥିବାରୁ ଜିଲ୍ଲାର ଚାଷୀଙ୍କୁ ଠିକ ପରିମାଣରେ ଋଣ ଦେଇପାରି ନାହିଁ।  ଗତବର୍ଷ ଜିଲ୍ଲାରେ ୯୧ ହଜାର ୬୧୦ ଜଣ ଚାଷୀଙ୍କ ୫୯୫.୬୩ କୋଟିର ଖରିଫ ଋଣ ଦିଆଯାଇଥିଲା। ସେପରି ୬୭ ହଜାର ୮୧୨ ଜଣ ଚାଷୀଙ୍କୁ ୫୦୨.୫୬ କୋଟିର ରବି ଋଣ ଦିଆଯାଇଥିଲା। ନିଜସ୍ବ ପାଣ୍ଠିରୁ ଚାଷୀଙ୍କୁ ଏତେ ପରିମାଣର ଋଣ ଦେଇ କେନ୍ଦ୍ର ସମବାୟ ବ୍ୟାଙ୍କ ଜିଲ୍ଲାର ଶ୍ରେଷ୍ଠସ୍ଥାନରେ ରହିଥିଲା। କିନ୍ତୁ ଚଳିତ ବର୍ଷ ସମବାୟ ବ୍ୟାଙ୍କ ଖରିଫ ଋତୁରେ ଏଯାଏ ମାତ୍ର ୬୫.୯୫ କୋଟି ଋଣ ଯୋଗାଇପାରିଛି। ଯଦି ଓଡ଼ିଶା ସମବାୟ ବ୍ୟାଙ୍କ ପୁନଃ ଲଗାଣ ବନ୍ଦ ରଖେ, ତେବେ ଜିଲ୍ଲାର ହଜାର ହଜାର ଚାଷୀ ଋଣ ପାଇବାରୁ ବଞ୍ଚିତ ହେବା ନିଶ୍ଚିତ।

ସମ୍ବନ୍ଧିତ ଖବର