କୃଷକ ନେତାଙ୍କ ଦାବି:ଆର୍ଥିକ ସହାୟତା ନୁହେଁ, ଜଳସେଚନ ଓ ମଣ୍ତି ବ୍ୟବସ୍ଥା ହେଲେ ମିଳିବ ସୁଫଳ 

ପାରଳାଖେମୁଣ୍ତି: ଦେଶର ୯କୋଟି ଚାଷୀଙ୍କ ବ୍ୟାଙ୍କ ଖାତାରେ ୧୮ ହଜାରକୋଟି ଟଙ୍କା ସିଧାସଳଖ ପଡିବ ବୋଲି କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଥିଲେ। ତେବେ ଏଭଳି ଯୋଜନା ଗଜପତି ଜିଲ୍ଲାର ଚାଷୀମାନଙ୍କ ପାଇଁ କୌଣସି ମୂଲ୍ୟ ନାହିଁ ବୋଲି ମତ ପ୍ରକାଶ ରଖିଛନ୍ତି ଜିଲ୍ଲା ଚାଷୀ ସ˚ଗଠନର ଜଣେ ପ୍ରମୁଖ ନେତା ଭାବେ ପରିଚିତ ସୂର୍ଯ୍ୟନାରାୟଣ ପଟ୍ଟନାୟକ। ସେ କହିବା  ଅନୁସାରେ ପ୍ରାୟ ୭୦ ପ୍ରତିଶତ ପ୍ରକୃତ ଚାଷୀଙ୍କୁ ପଞ୍ଜୀକରଣ ହେବାରୁ ବାଦ ପଡ଼ିଛନ୍ତି। ରାଜନୈତିକ ଦୃଷ୍ଟିରୁ ମଧ୍ୟ ଅନେକ ପ୍ରକୃତ ଚାଷୀଙ୍କୁ ସରକାରୀ ସହାୟତା ତାଲିକାରୁ ବାଦ ଦିଅଯାଇଛି।  ଅନ୍ୟପଟେ ଅଗ୍ରଣୀ ଚାଷୀ ଇଞ୍ଜିନିୟର ଏମ୍‌.ସି.ରାଓଙ୍କ ମତ ଅନୁସାରେ  ସବୁ ଚାଷ ଜମିରେ କେନାଲ ମାଧ୍ୟମରେ ବର୍ଷ ତମାମ ଜଳ ଯୋଗାଣ ହୋଇପାରିଲେ ଏବ˚ ଉତ୍ପାଦନ ସାମଗ୍ରୀ ନିୟମିତ ଭାବେ କ୍ରୟ କରିବା ପାଇଁ ସରକାରୀ ସହଯୋଗ ମିଳିଲେ ଚାଷୀ ମାନଙ୍କର ୯୫ ପ୍ରତିଶତ ସମସ୍ୟାର ସମାଧାନ ହୋଇଯିବ।
ଗଜପତି ଜିଲ୍ଲାର ଗୋଷାଣୀ, ଗୁମ୍ମା ଏବ˚ କାଶୀନଗର ବ୍ଲକ୍‌ର  ଚାଷୀ ଭାସ୍କର ଶବର, ଯୋସେଫ ମଣ୍ତଳ, ଅଜ୍ଞାତ ନାୟକ, ଏସ. ସିରିପୁରି ରାଓ, ନବଘନ ପ୍ରଧାନ ଓ ସୁଶାନ୍ତ ଜେନା ପ୍ରମୁଖ ଚାଷ ସହ ହରଡ ଡାଲି, ମୁଗ, ରାଶି, ଚିନା ବାଦାମ, ଆଖୁ, ସୂର୍ଯ୍ୟମୂଖୀଫୁଲ ଇତ୍ୟାଦି ଧାନ ଚାଷ  କରୁଛନ୍ତି। ତେବେ ଧାନକୁ ଛାଡି ଦେଲେ  ଅନ୍ୟ ଉତ୍ପାଦନ ଗୁଡିକୁ କ୍ରୟ କରିବା ପାଇଁ ସରକାରୀ ମଣ୍ତି ନଥିବା ଯୋଗୁଁ ଚାଷୀ ମାନେ ବାଧ୍ୟ ହୋଇ ମଧ୍ୟସ୍ଥ ବ୍ୟକ୍ତି କିମ୍ବା ଦଲାଲ ମାନଙ୍କୁ ବିକ୍ରୟ  କରୁଛନ୍ତି।  ତଥ୍ୟ ଅନୁସାରେ ପାରଳାଖେମୁଣ୍ତି ଆଣି ହରଡ ଡାଲି କେଜି.ପିଛା ଚାଷୀ ୩୬ ଟଙ୍କାରେ ବେପାରିକୁ ବିକୁଛନ୍ତି । ଏହି ଡାଲିକୁ ମଧ୍ୟସ୍ଥି  ମାନେ ବିଭିନ୍ନ କମ୍ପାନୀ ଗୁଡିକୁ କେଜି ପିଛା ୮୦ ଟଙ୍କାରେ ବିକ୍ରୟ କରୁଛନ୍ତି।
କମ୍ପାନୀ ପକ୍ଷରୁ ଉକ୍ତ ଡାଲି ପ୍ରୋସେସିଙ୍ଗ ହୋଇ ବଜାରକୁ ଆସିଲା ବେଳେକୁ କେଜି ପିଚ୍ଛା ୧୩୦ ଟଙ୍କାରେ ମୂଲ୍ୟରେ ବିକ୍ରୟ ହେଉଛି। ସମସ୍ତ ସାମଗ୍ରୀ ଏହି ପରି କୃଷକ ମାନେ ଅତ୍ୟନ୍ତ ନିମ୍ନ ଦରରେ ବିକ୍ରୟ କରିବା ପାଇଁ ବାଧ୍ୟ ହେଉଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଦଲାଲ ଏବ˚ ମଧ୍ୟସ୍ଥ ବ୍ୟବସାୟୀ ମାନେ। ଏହି ଜିଲ୍ଲାରେ କପା ଏବ˚ ମକା ଚାଷୀଙ୍କର ସମସ୍ୟା ମଧ୍ୟ ଅନୁରୂପ। ଅନ୍ୟପଟେ ବ୍ୟାଙ୍କ ଗୁଡିକ ଚାଷୀଙ୍କୁ ଋଣ ଦେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା କୃଷକ ନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ କହିଛନ୍ତି। ତେଣୁ  ଜିଲ୍ଲାରେ କୃଷକଙ୍କ ବିକାଶ ପାଇଁ କାଳିଆ ଓ ପିଏମ କିଷାନ ଭଳି ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ କିଛି ସୁଫଳ ମିଳୁନାହିଁ। ଜଳସେଚନ ଓ  ବଜାର ସୁବିଧା ହେଲେ ଚାଷୀଙ୍କ ବିକାଶ ହୋଇପାରିବ ବୋଲି ଦାବି ହୋଇଛି।
ସମ୍ବନ୍ଧିତ ଖବର