ମାଛ ମାରିବାକୁ ମାଡ଼ି ବସିଛନ୍ତି ଆନିକଟ, ରାସ୍ତା ଅବରୋଧ କରି ପ୍ରତିବାଦ କଲେ ଚାଷୀ

କେନ୍ଦ୍ରାପଡ଼ା: ଗଣ୍ତାଖିଆ କେନାଲର କଂସାର ପଞ୍ଚାୟତ ଶେଷମୁଣ୍ତ କାଙ୍କଦିଆଠାରେ ଜଳସେଚନ ବିଭାଗର ଆନିକଟକୁ ବନ୍ଦ କରି କେତେକ ଅସାମାଜିକ ଲୋକ ମାଛ ମାରୁଛନ୍ତି। ଏହାଦ୍ବାରା ପୁରୁଷୋତ୍ତମପୁର ଓ ଆୟବା ପଞ୍ଚାୟତର ୧୦ଟି ଗ୍ରାମର ଚାଷ ଜମିକୁ ପାଣି ମାଡ଼ୁନାହିଁ। ଫଳରେ ଏହି ଦୁଇ ପଞ୍ଚାୟତର ଶହଶହ ଏକର ଧାନ ଫସଲ ମରିବାକୁ ବସିଲାଣି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶତାଧିକ ଚାଷୀ ଆଜି ଗଣ୍ତାଖିଆ-ସାନ୍ତସାହି ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ଏ ନେଇ ପ୍ରତିବାଦ ଜଣାଇଛନ୍ତି। ସୂଚନା ଅନୁସାରେ, ଉପରୋକ୍ତ ଦୁଇ ପଞ୍ଚାୟତର ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, କାଙ୍କଦିଆ ଆନିକଟକୁ ବନ୍ଦ କରି ଲୋକେ ମାଛ ମାରିବା ଫଳରେ ସେମାନଙ୍କ ଚାଷ କାର୍ଯ୍ୟ ପ୍ରଭାବିତ ହେଉଛି।

ଏକର ଏକର ଧାନ ଫସଲ ଏବେ ପାଣି ଅଭାବରୁ ନଷ୍ଟ ହେବାକୁ ବସିଛି।ଏ ସମ୍ପର୍କରେ ସେମାନେ ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳୁନି। ଏହାଛଡ଼ା ଏ ସମ୍ପର୍କରେ ଜଳସେଚନ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି କେହି ଶୁଣୁ ନାହାନ୍ତି। ସେମାନେ ଜିଲ୍ଲାପାଳଙ୍କୁ ଭେଟି ଆନିକଟକୁ ୨୪ ଘଣ୍ଟା ମଧ୍ୟରେ ଅବରୋଧ ମୁକ୍ତ କରା ନ ଗଲେ ରାସ୍ତାକୁ ଅବରୋଧ କରିବା ନେଇ ଦାବିପତ୍ର ପ୍ରଦାନ କରି ଚେତାବନୀ ଦେଇଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ କିମ୍ବା ଜଳସେଚନ ବିଭାଗ ସେମାନଙ୍କ ସମସ୍ୟା ପ୍ରତି ଗୁରୁତ୍ବ ନ ‌ଦେବାରୁ ଚାଷୀମାନେ ଆଜି ଗଣ୍ତାଖିଆ–ସାନ୍ତସାହି ମୁଖ୍ୟରାସ୍ତାକୁ ଆୟବାଠାରେ ଅବରୋଧ କରିଥିଲେ। ଏ ସମ୍ପର୍କରେ ଖବରପାଇ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ସେଠୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ବୁଝାସୁଝା କରିବା ସହିତ କାଙ୍କଦିଆ ଆନିକଟକୁ ଅବରୋଧ ମୁକ୍ତ କରିଥିଲେ। ଏହାଦ୍ବାରା ପୁରୁଷୋତ୍ତମପୁର ଓ ଆୟବାର ଦଶଟି ଗ୍ରାମର ଚାଷଜମିକୁ ଜଳ ଯୋଗାଣ ସ୍ବାଭାବିକ ହୋଇପାରିଛି।

ସମ୍ବନ୍ଧିତ ଖବର