ରାୟଗଡ଼ା: ହାଇବ୍ରିଡ୍, ସରକାରୀ ଧାନ ବ୍ୟବହାରକୁ ସମସ୍ତେ ଆପଣାଇ ସାରିଲେଣି। ସରକାରୀ ଧାନ ବିହନ ସବୁଠି ଉପଲବ୍ଧ, ଶସ୍ତା ଓ ରୋଇବା ସହଜ ହୋଇଥିବାରୁ ଗାଁ ଗହଳିରେ ଦେଶୀ  ବିହନର ପ୍ରଚଳନ କମିଗଲାଣି। ଲୋପ ପାଇ ଯାଇଥିବା ଦେଶୀ ଧାନକୁ ପୁଣି ଥରେ ପୁନର୍ଜୀବିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ରାୟଗଡ଼ା ଉତ୍ପାଦକ କମ୍ପାନି।

Advertisment

କାଶୀପୁର ବ୍ଲକର ଶଙ୍କରଡ଼ା, ଦୁଡୁକାବାହାଲ ପଞ୍ଚାୟତର ୧୭ ଗ୍ରାମରେ ଦେଶୀ ଧାନ ୧ କେଜି ଲେଖାଏ ମାଗଣାରେ ବିତରଣ କରିଛି କମ୍ପାନି। ଶଙ୍କରଡା ପଞ୍ଚାୟତର ଗୋବରଘାଟି, କର୍ଣିପାଇ, ରାଉଳି, ଶଙ୍କରଡା, ତୋୟାପୁଟ, ମହାରାଜଗୁଡ଼ା, ପାଞ୍ଚାଳି, ନିଶିଖାଲ ଓ ଦୁଙ୍ଗୁରିଝୋଡ଼ି ଏବଂ ଦୁଡୁକାବାହାଲର ତଳକାଳିଆପଡ଼ା, ସର୍ଗିଗୁଡ଼ା, ତୋଟାଗୁଡ଼ା, ଡେଙ୍ଗାଗୁଡ଼ା, ଥୁଟିବର୍, ଟିଟିଗୁଡା ଓ ରାମଗୁଡ଼ା ଗ୍ରାମର ପ୍ରାୟ ୧୭୧ ଚାଷୀଙ୍କୁ ୪ ପ୍ରକାର ଦେଶୀ ଧାନ ବିହନ (ମାଛକଣ୍ଟା, କୁଡେଇଚୁଡ଼ି, କଳାମଲି, କଳାଜିରା) ବିତରଣ କରାଯାଇଛି। ଏହି ସବୁ ଚାଷ ପାଇଁ ଜୈବିକ ଖତ ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଭିଁଏ ଦେଶୀ ଧାନ ଖାଇବେ ଓ ଆଗାମୀ ପିଢ଼ି ପାଇଁ ସାଇତି ରଖିବେ। ଯାହା ଦ୍ଵାରା ଲୋପ ହୋଇଯାଉଥିବା ଦେଶୀ ଧାନ ବିହନକୁ ପୁଣି ଥରେ ପୁନର୍ଜୀବିତ କରିହେବ।

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ଆଦିବାସୀ ପ୍ରାୟତଃ ଧାନ ଚାଷ ଉପରେ ନିର୍ଭରଶୀଳ। ଧାନ ଚାଷକୁ ସହିତ ଶସ୍ୟ ଜାତୀୟ ଚାଷ ମକା, ବାଜରା, ସୁଆଁ, ଧାନ, ମାଣ୍ଡିଆ, ଡାଲି ଜାତୀୟ ଶସ୍ୟ ହରଡା, କାନ୍ଦୁଲ, ମୁଗ, ବିରି, ତୈଳବୀଜ ଚାଷ ଜଡ଼ା, ସୂର୍ଯ୍ୟମୁଖୀ, ଦେଶୀୟ ତେଲ କୁସୁମ, ଟୋଲ ଚାଷ କରିଥାନ୍ତି। ପ୍ରାୟ ସମସ୍ତ ପ୍ରକାର ପନିପରିବା ଚାଷ କରି ମଧ୍ୟ ଆଦିବାସୀ ବେଶ୍ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏଠାକାର ଜନଜାତି।  ଧାନ, ମାଣ୍ଡିଆ ଓ ସୁଆଁ ପ୍ରଧାନ ଖାଦ୍ୟଶସ୍ୟ ହେଲେ ମଧ୍ୟ ଆଜିର ଦିନରେ ଆଉ ଚାଷ ପ୍ରତି କାହାର ଲୋଭ ନାହିଁ। ଆଦିବାସୀ ଅଞ୍ଚଳ ହେଲେ ମଧ୍ୟ ଏଠାରେ ଚାଷର ଚାହିଦା ଓ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ସରକାର ଓ ଘରୋଇ ଅନୁଷ୍ଠାନ ଗୁଡ଼ିକ ଅନେକ ପ୍ରକାରର ଦଳ, କମ୍ପାନୀ ବା ସଂଗଠନ ଗଠନ କରି ଚାଷୀ ଓ ଚାଷକୁ ଅନେକ ପ୍ରକାର ସହଯୋଗ ପ୍ରଦାନ କରୁଛନ୍ତି।

ଏମିତି ଅନେକ ପ୍ରକାର କମ୍ପାନି ମଧ୍ୟରୁ ରାୟଗଡ଼ା ଜୈବିକ ଉତ୍ପାଦକ କମ୍ପାନି ନିଆରା ପଦକ୍ଷେପ ନେଇ ପୁରୁଣା ଦେଶୀ ବିହନର ପ୍ରଚଳନ ପାଇଁ ପ୍ରୟାସ ଆରମ୍ଭ କରିଛି। ଯାହା ଜୈବିକ ଖତର ବ୍ୟବହାର ଓ ଜୈବିକ କୃଷିର ବିକାଶ ଦିଗରେ ସହାୟକ ହେବ। ରାୟଗଡ଼ା ଜିଲ୍ଲାରେ ୨୦୨୦ ମସିହାରେ ଗଠନ ହୋଇଥିଲା ରାୟଗଡ଼ା ଜୈବିକ ଉତ୍ପାଦକ କମ୍ପାନୀ। ଜିଲ୍ଲାର ରାୟଗଡ଼ା ଓ କାଶୀପୁର ବ୍ଲକରେ ଏହି ଉତ୍ପାଦକ କମ୍ପାନି କାର୍ଯ୍ୟ କରୁଛି। ନିକଟରେ ହେଇଥିବା  ଏକ ଗବେଷଣାରୁ ଜଣା ପଡ଼ିଛି ଯେ, ଗ୍ରାମାଞ୍ଚଳରେ କୃଷିର ବିକାଶ କେବଳ କୃଷକ ଉତ୍ପାଦକ ବା କମ୍ପାନି ଦ୍ଵାରା ହିଁ ସମ୍ଭବ ହୋଇପାରିଛି। ଓଡ଼ିଶାରେ ଅନେକ ଉତ୍ପାଦକ କମ୍ପାନୀ ଅଛି । ରାୟଗଡ଼ା ଜୈବିକ ଉତ୍ପାଦକ ସଂଘର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପଣ୍ଡା କହିଛନ୍ତି ଏହି ଦଳ ଗଠନ ହେବା ପୂର୍ବରୁ ଏଠାକାର ଅଧିବାସୀ ଧାଡ଼ି ରୁଆ ବା ଲାଇନ ଟ୍ରାନସପ୍ଲାଣ୍ଟିଙ୍ଗ କଣ ଜାଣିନଥିଲେ।  ବିହନ ସବୁ ବୁଣି ଦେଉଥିଲେ ଯାହା ଫଳରେ କି ଆଶାନୁରୂପ ଫଳ ପାଉ ନଥିଲେ। କିନ୍ତୁ ଏବେ ଦଳ ଗଠନ ହେବା ପରେ ରାୟଗଡ଼ା ଓ କାଶୀପୁର ବ୍ଲକର ଅନେକ ଗ୍ରାମରେ ଧାଡ଼ି ରୁଆ ପଦ୍ଧତି ଶିଖିଲେଣି। ଏହାଛଡା ଆଗକୁ ଆହୁରି ଅନେକ ପ୍ରକାର ଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟ ବିତରଣ କରିବା ଯୋଜନା ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ରାୟଗଡ଼ା ଜୈବିକ ଉତ୍ପାଦକ କମ୍ପାନି ମଧ୍ୟ ଅନେକ ପ୍ରକାର ଜୈବିକ ସାମଗ୍ରୀ ହଳଦୀ, କାଙ୍ଗୁ, ସୁଆଁ ଭଳି ଅନେକ ଜୈବିକ ପଦ୍ଧତିର ଶସ୍ୟ ବାହାର ଜିଲ୍ଲା ଓ ରାଜ୍ୟକୁ ମଧ୍ୟ ରପ୍ତାନି କରୁଛି।