ଟୋକନ ଥାଇ ମଣ୍ଡିରେ ଧାନ ବିକ୍ରି ହେଉନି, ଚାଷୀ ଅସନ୍ତୋଷ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ସରକାରଙ୍କ ଠାରୁ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ମଧ୍ୟ ସମବାୟ ସମିତିକୁ ମିଲର ଅଥରିଟି ସ୍ଲିପ (ମାସ) ଆସିନଥିବାରୁ ଧାନ ବିକିବାରେ ନିରାଶ ହୋଇ ଚାଷୀ ଫେରୁଛନ୍ତି। ଧାନ ବିକ୍ରି ହୋଇପାରୁନଥିବାରୁ ଚାଷୀଙ୍କ ଅସନ୍ତୋଷ ଉଗ୍ର ରୂପ ଧାରଣ କରୁଛି। ଆଗାମୀ ଦିନରେ ଅଭାବି ଧାନ ବିକ୍ରି ନେଇ ଚାଷୀଙ୍କ ପକ୍ଷରୁ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି।

ମିଳିଥିବା ସୂଚନା ଅନୁସାରେ, ବ୍ଲକରେ କେତେକ ସମବାୟ ସମିତିର ଧାନ କିଣା ବନ୍ଦ ହୋଇଯାଇଥିବାରୁ ଚାଷୀଙ୍କ ମୁଣ୍ଡ ବିନ୍ଧା ଦେଖାଦେଇଛି। ଆଜି ବାଗେଡ଼ିଆ ସମବାୟ ସମିତିରେ ୫ ପଞ୍ଚାୟତର ୩୫ ଟି ଗାଁର ୨୮ ଜଣ ଚାଷୀଙ୍କୁ ଆଜି ପାଳିରେ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲା। ହେଲେ ସମିତିକୁ ମିଲର ଅଥରିଟି ସ୍ଲିପ ଆସିନଥିବାରୁ ମଣ୍ଡି ବନ୍ଦ ହୋଇଯାଇଛି। ସମିତିରେ ସପ୍ତାହରେ ତିନିଦିନ ମଣ୍ଡି ଖୋଲି ୨୫ଟି ପାଳିରେ ମିଲର ଦ୍ୱାରା ଧାନ କିଣାଯାଇଛି। ୨୧ ହଜାର ୩୩୭.୩୬ କୁଇଣ୍ଟାଲ କିଣାସରିଛି । ସମିତିରେ ୬୫୮ ଚାଷୀ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ୫୪୯ ଚାଷୀଙ୍କ ଠାରୁ ୨୧ ହଜାର ୩୩୭.୩୬ କୁଇଣ୍ଟାଲ ଧାନ କିଣାଯାଇଛି। ୧୦୯ ଜଣ ଚାଷୀ ନିଜର ଅମଳ କରିଥିବା ଧାନକୁ ଆଦୌ ବିକ୍ରି କରିପାରିନାହାନ୍ତି । ପ୍ରାୟ ଚାଷୀଙ୍କ ନିକଟକୁ ଭିନ୍ନ ଭିନ୍ନ ମଣ୍ଡି ପାଳିରେ ଧାନ ବିକ୍ରି କରିବାକୁ ଟୋକନ ଆସିସରିଛି। ଟୋକନ ପାଇବା ପରେ ସମିତିକୁ ସ୍ଲିପ ଆସିନଥିବାରୁ ଚାଷୀଙ୍କ ଧାନ ବିକ୍ରି ଚିନ୍ତା ଘରିଛି । ଚାଷୀଙ୍କ ନିକଟରେ ବିକ୍ରି ପାଇଁ ପ୍ରାୟ ୧୧ ହଜାର କୁଇଣ୍ଟାଲ ରହିଛି। ଆଜି ଭୋର ସକାଳ ୭ ଟାରୁ ମନୁ ନାଥ, କିଶୋର ଚନ୍ଦ୍ର ନାୟକ, ବିଶ୍ୱନାଥ ସାହୁ, ଶରତ ବେହେରା, ସୁକାନ୍ତ ମାଝୀ, ବ୍ରଜବନ୍ଧୁ ପୁଢ଼, ପବିତ୍ର ମୋହନ ମାଝୀ, ବଟକୃଷ୍ଣ ନାୟକ, ବ୍ରଜବନ୍ଧୁ ଦେହୁରୀ, ମାଧବ ପ୍ରଧାନ, ଭଗବାନ ମାଝୀ, ସୁଶୀଲ କୁମାର ଗଡ଼ନାୟକ, ବାଳକୃଷ୍ଣ ପ୍ରଧାନଙ୍କ ସମେତ ୫୦ ରୁ ଉର୍ଧ୍ଵ ଚାଷୀ ବାଗେଡ଼ିଆ ସମିତିରେ ହୋହାଲା କରିବା ପରେ ଧାନ ବିକ୍ରି ପାଇଁ ସମିତି ସମ୍ପାଦକ, ଯୋଗାଣ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହିତ ଆନ୍ଦୋଳନ ଚେତାବନୀ ଦେଇ ଘରକୁ ଫେରିଥିଲେ। ବ୍ଲକରେ ୧୯ ଟି ସମବାୟ ସମିତିରେ ଧାନ ବିକ୍ରି ସମସ୍ୟା ନେଇ ଚାଷୀ ଅସନ୍ତୋଷ ଆନ୍ଦୋଳନ ରୂପ ନେବାକୁ ଯାଉଛି

ସମ୍ବନ୍ଧିତ ଖବର