ଧାନ ବିକ୍ରି ନ ହେବାରୁ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ଦେଓଗାଁ: ଟୋକନ ସରିଯିବାରୁ ଧାନ ବିକ୍ରି କରିପାରିଲେନି ଚାଷୀ | ଆଉ ଏଥିପାଇଁ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ | ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ରବି ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଚାଷୀ ଦେଓଗାଁ ଡାକ ବଙ୍ଗଳାଠାରେ ଜାତୀୟ ରାଜପଥ ୨୬ କୁ ଅବରୋଧ କରିଛନ୍ତି | ଆଉ ରାସ୍ତା ଅବରୋଧ ଯୋଗୁଁ ରାଜପଥର ଦୁଇ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି | କୁତୁର୍ଲା ପେକ୍ସକୁ ଆସିଥିବା ଟୋକନ ସରି ଯାଇଥିବାରୁ ୨୮ ଜଣ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି | ବର୍ତ୍ତମାନ ଦେଓଗାଁ ତହସିଲଦାର ଆସି ଚାଷୀଙ୍କ ସହ ଆଲୋଚନା କରୁଛନ୍ତି | ସୂଚନା ଥାଉ କି ପୂର୍ବରୁ ଦେଓଗାଁ ପେକ୍ସର ଚାଷୀ ରାସ୍ତାରୋକ କରିଥିବାବେଳେ ତହସିଲଦାର ଆଲୋଚନା କରୁଥିଲେ |

ଆଉ ଏହି ସମୟରେ କିଛି ଚାଷୀ ତହସିଲଦାରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ | ଅନ୍ୟପଟେ ଆଜି ଟୋକନ ଅନିୟମିତତା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଯୋଗାଣ ନିଗମ ଅଫିସ ଆଗରେ ଧାରଣା ଦିଆଯାଇଛି । ଏହି ଆନ୍ଦୋଳନରେ ପ୍ରଦୀପ ପୁରୋହିତଙ୍କ ସମେତ ୪ଜଣ ବିଧାୟକ ସାମିଲ ହୋଇଥିଲେ । କୁସୁମ ଟେଟେ, ମୁକେଶ ମହାଳିକ, ନାଉରି ନାୟକ ଓ ସୁବାସ ପାଣିଗ୍ରାହୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଟୋକନ ଅନିୟମିତତା ହେଉଥିବାରୁ ଧାନ ମଣ୍ଡିରେ ଚାଷୀ ଧାନ ବିକ୍ରି କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଚାଷୀଙ୍କ ଅମଳ ଧାନ ମଣ୍ଡିରେ ଗଜା ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହାକୁ ବିରୋଧ କରି ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଯୋଗାଣ ନିଗମ ଅଫିସ ଆଗରେ ଧାରଣା ଦିଆଯାଇଛି ।

ସମ୍ବନ୍ଧିତ ଖବର