ଟୋକନ ଚିନ୍ତାରେ ଭଦ୍ରକ ଜିଲ୍ଲାର ଚାଷୀ 

ଭଦ୍ରକ: ଧାନ ସଂଗ୍ରହ ପୂର୍ବରୁ ଚାଷୀଙ୍କୁ ଟୋକନ ଚିନ୍ତା ଘାରିଲାଣି । ଗତବର୍ଷ ସରକାରଙ୍କୁ ଧାନ ବିକ୍ରି କରିବାକୁ ଜିଲାରେ ଯେତିକି ଚାଷୀ ଅନଲାଇନ୍ ପଂଜିକରଣ କରିଥିଲେ, ସେଥିରୁ ପ୍ରାୟ ୨୫ ପ୍ରତିଶତ ଚାଷୀଙ୍କୁ ଟୋକନ ମିଳିଥିଲା, ତାହା ମଧ୍ୟ ସେମାନଙ୍କ ବଳକା ଧାନ ବିକ୍ରି କରିବାକୁ ପର୍ଯ୍ୟାପ୍ତ ନଥିଲା । ସରକାର ଗୋଟିଏ ଟୋକନ ବିନିମୟରେ ସର୍ବାଧିକ ୪୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ କିଣିବାକୁ ଅନୁମତି ଦେଇଥିବା ଯୋଗୁଁ ୪୦ କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିବାକୁ ଚାହୁଁଥିବା ଚାଷୀଙ୍କୁ ସରକାରଙ୍କ ଦ୍ୱିତୀୟ ଟୋକନ ପାଇବାକୁ ପୁଣି ଅପେକ୍ଷା କରିବାକୁ ପଡୁଥିଲା । ହେଲେ ଜିଲାରେ ଧାନ ସଂଗ୍ରହ ସରିଗଲା । କିନ୍ତୁ ଅଧିକାଂଶ ଚାଷୀଙ୍କୁ ଦ୍ୱିତୀୟ ଟୋକନ ମିଳିନଥିଲା । ଗତବର୍ଷ ଟୋକନ ଯୋଗାର କ୍ଷେତ୍ରରେ ଏହି ଧରଣର ଅବ୍ୟବସ୍ଥା ଯୋଗୁଁ ଜିଲାର ବହୁ ଚାଷୀ ସରକାରଙ୍କ ନିକଟରେ ଆଗୁଆ ଅନଲାଇନ୍ ପଂଜିକରଣ କରି ମଧ୍ୟ ସରକାରଙ୍କୁ ସେମାନଙ୍କ ଧାନ ବିକ୍ରି କରିପାରିନଥିଲେ ।
ସୂଚନା ଅନୁଯାୟୀ ଗତବର୍ଷ ଜିଲାରେ ସରକାରଙ୍କୁ ଧାନ ବିକ୍ରି କରିବାକୁ ଜିଲାରେ ମୋଟ ୫୧ ହଜାର ୨୦୩ ଜଣ ଚାଷୀ ଆଗୁଆ ଅନଲାଇନ୍ ପଂଜିକରଣ କରିଥିବାବେଳେ ଟୋକନ ଯୋଗାଣ କ୍ଷେତ୍ରରେ ଏହି ଧରଣର ଅବ୍ୟବସ୍ଥା ପାଇଁ ପାଖାପାଖି ୧୨ ହଜାର ଚାଷୀ ଟୋକନ ନ ପାଇ ସରକାରୀ ଧାନ ସଂଗ୍ରହରୁ ବାଦ୍ ପଡିଥିଲେ । କେବଳ ସେତିକି ନୁହେଁ ଗତବର୍ଷ ଅନଲାଇନ୍ ପଂଜିକରଣ ଅନୁଯାୟୀ ଜିଲାରେ ବଳକା ଧାନ ଚାଷୀଙ୍କ ବିକ୍ରିଯୋଗ୍ୟ ଧାନର ପରିମାଣ ପ୍ରାୟ ୩୫ ଲକ୍ଷ କ୍ୱିଣ୍ଟାଲ ହୋଇଥିବାବେଳେ ପଂଜିକୃତ ଚାଷୀଙ୍କୁ ଆବଶ୍ୟକ ମତେ ଟୋକନ ନମିଳିବାରୁ ଜିଲାରେ ସରକାରୀ ଭାବେ ମାତ୍ର ୨୧ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ସମ୍ଭବ ହୋଇଥିଲା । ଗତବର୍ଷର ଏହି ଘଟଣା ଚଳିତ ବର୍ଷ ଧାନ ସଂଗ୍ରହ ପୂର୍ବରୁ ଚାଷୀଙ୍କୁ ଚିନ୍ତାରେ ପକାଇଛି । କାରଣ ଗତବର୍ଷ ମାତ୍ର ୫୧ ହଜାର ଚାଷୀ ସରକାରଙ୍କୁ ସେମାନଙ୍କ ବଳକା ଧାନ ବିକିବାକୁ ପଂଜିକରଣ କରିଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ପାଖାପାଖି ୭୦ ହଜାରରେ ପହଞ୍ôଚଛି ।
ସେମାନଙ୍କ ମଧ୍ୟରୁ ପାଖାପାଖି ୬୦ ହଜାର ଚାଷୀଙ୍କ ଜମି ଏବଂ ବ୍ୟାଙ୍କ ଜମାଖାତା ରେକର୍ଡ ଭେରିଫିକେଶନ ସରିବା ପରେ ସେମାନେ ସେମାନଙ୍କ ବଳକା ଧାନ ବିକ୍ରି କରିବାକୁ ଟୋକନକୁ ଅପେକ୍ଷା କରି ବସିଛନ୍ତି । ଟୋକନ ପାଇବା ମାତ୍ରେ ସେମାନେ ଧାନ ମଣ୍ଡିକୁ ଆଣିବାକୁ ଏକ ପ୍ରକାର ପ୍ରସ୍ତୁତ ହୋଇ ରହିଛନ୍ତି । ସରକାରୀ ସୂଚନା ମୁତାବକ ଚଳିତ ମାସ ୨୦ ତାରିଖ ଠାରୁ ଜିଲାରେ ବିଧିବଦ୍ଧ ଭାବେ ସରକାରୀ ଧାନ ସଂଗ୍ରହ ହେବାକୁ ଯାଉଛି । ହେଲେ ସରକାରଙ୍କ ତରଫରୁ ଏଯାଏ ଜିଲାର ଜଣେ ହେଲେ ଚାଷୀଙ୍କ ନାଁରେ କୌଣସି ଟୋକନ ଆସିନଥିବା ଜଣାପଡିଛି । ଫଳରେ ଚଳିତ ମାସ ୨୦ ତାରିଖ ଠାରୁ ଜିଲାରେ ସରକାରୀ ଧାନ ସଂଗ୍ରହ ଆରମ୍ଭ ହେଲେ ମଧ୍ୟ ଟୋକନ ନଥିବା ଯୋଗୁଁ କୌଣସି ଚାଷୀ ମଣ୍ଡିକୁ ଧାନ ଆଣିପାରିବେ ନାହିଁ ।
ସେହିଭଳି ଜିଲାରେ ଆଉ ମାତ୍ର ୩ ଦିନ ପରେ ଧାନ ସଂଗ୍ରହ ଆରମ୍ଭ ହେବାକୁ ଯାଉଥିଲେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଜଣେ ହେଲେ ମିଲରଙ୍କ ସହିତ ଧାନ ସଂଗ୍ରହ ପାଇଁ କୌଣସି ଏଗ୍ରିମେଣ୍ଟ ମଧ୍ୟ କରାଯାଇନାହିଁ । ଏଥିନେଇ ଜିଲା ଯୋଗାଣ ଅଧିକାରୀ ରଂଜନ ସେଠ୍‌ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଜିଲାରେ ଧାନ ସଂଗ୍ରହ ପୂର୍ବରୁ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଟୋକନ ଆସିଯାଇଥିବ । ସେହିଭଳି ଜିଲାରେ ମିଲର ଏଗ୍ରିମେଣ୍ଟ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଖୁବଶୀଘ୍ର ମିଲର ଏଗ୍ରିମେଣ୍ଟ ମଧ୍ୟ ଆରମ୍ଭ ହୋଇଯିବ । ତେବେ ଯୋଗାଣ ନିଗମର ଏହି ପ୍ରତିଶ୍ରୁତି ସତ୍ୱେ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ଆଶା ଏବଂ ଆଶଙ୍କାରେ ଦିନ ଗଣୁଛନ୍ତି ଜିଲାର ହଜାର ହଜାର ପଂଜିକୃତ ଚାଷୀ । କାରଣ ଚଳିତବର୍ଷ ଜିଲାରେ ରେକର୍ଡ ପରିମିତ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିବାକୁ ଆଗୁଆ ଅନଲାଇନ୍ ପଂଜିକରଣ କରିଥିଲେ ମଧ୍ୟ ସରକାର ପ୍ରଥମ ଦଫାରେ ଜିଲାରୁ ମାତ୍ର ୧୪ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ୍ ଘୋଷଣା କରିଛନ୍ତି । ଚାଷୀମାନେ ଟୋକ ନ  ପାଇନଥିବାରୁ ସେମାନେ ଏବେ ଚି ନ୍ତାରେ ରହିଛନ୍ତି।
ସମ୍ବନ୍ଧିତ ଖବର