ବର୍ଷା ଯୋଗୁଁ ମଣ୍ଡିରେ ଚାଷୀଙ୍କ ଅଡୁଆ ବଢୁଛି, ବର୍ଷ ବର୍ଷ ଧରି ମଣ୍ଡି ଭିତ୍ତିଭୂମିରେ ସୁଧାର ଆସୁନାହିଁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଧାନମଣ୍ଡିରେ ଚାଷୀଙ୍କ ଅଡୁଆ ବଢିବାରେ ଲାଗିଛି । ଜିଲ୍ଲାରେ ପ୍ରାୟ ମଣ୍ଡିରେ ଛାଉଣୀ ନଥିବା ଯୋଗୁଁ ଖୋଲା ଆକାଶ ତଳେ ମଣ୍ଡି ଚାଲିଛି । ବର୍ଷବର୍ଷ ଧରି ମଣ୍ଡି ଗୁଡିକରେ ଭିତ୍ତିଭୂମିର ସୁଧାର ହେଉନଥିବା ଯୋଗୁଁ ଚାଷୀମାନେ ପ୍ରତିବର୍ଷ ବର୍ଷାର ଶିକାର ହେଉଛନ୍ତି । ଧାନ ଭିଜିବା ଯୋଗୁଁ ଅଧିକ କଟନୀ ଛଟନୀ ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, କଳାହାଣ୍ଡି ଜିଲ୍ଲାର ବର୍ତ୍ତମାନ ଧାନ କ୍ରୟ ଚାଲିଥିବା ବେଳେ ବର୍ଷା ଯୋଗୁଁ ଭିଜି ଆଦ୍ରତା ବୃଦ୍ଧି ପାଇବାରେ ଲାଗିଛି । ଆଦ୍ରତାର ଆଳ ଦେଖାଇ ମିଲର୍ସମାନେ ଅଧିକ କଟନୀ ଛଟନୀ କରୁଛନ୍ତି ।

ଜିଲ୍ଲାର ଜୁନାଗଡ ବ୍ଲକର ରାଜପୁର, ଦାସିଗାଁ, ମାଟିଗାଁ, ନକଟିଗୁଡା, ବାଲିଛଡା ସମେତ ବହୁ ମଣ୍ଡିରେ ଛାଉଣୀ ନାହିଁ । ଫଳରେ ଖୋଲା ଆକାଶ ତଳେ ଚାଷୀମାନେ ଭିଜା ଧାନକୁ ନେଇ ମଣ୍ଡିରେ ପଡି ରହୁଛନ୍ତି । ସେହିଭଳି ଜୟପାଟଣା ବ୍ଲକର ବିମଲା, ବାଣ୍ଡି ଗାଁ, କର୍ମେଲି, ଖଲିଆଭଟା, ମୁଖୀଗୁଡା, ରେଙ୍ଗାଲପାଲି, ପାଇକକେନ୍ଦୁମୁଣ୍ଡି, କଲମପୁର ବ୍ଲକର ମିନଗୁର, ଦୁଲକିବନ୍ଧ, ବିଜମରା, ଦେପୁର, ପଣ୍ଡିଗାଁ, ପରୁଆଗୁଡା, ବନ୍ଦକୋନା ସମେତ ବହୁ ମଣ୍ଡିରେ ଛାଉଣି ନାହିଁ । ମିଲର୍ସମାନେ ଭିଜାଧାନ ସୁଯୋଗ ନେଇ ଚାଷୀଙ୍କୁ ୮ କେଜିରୁ ୧୦ କେଜି ଉର୍ଦ୍ଧ୍ବ କଟନୀ ଛଟନୀ କରିବା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଫଳରେ ମଣ୍ଡିକୁ ଆଣି ବର୍ଷା ଯୋଗୁଁ ଧାନ ସୁରକ୍ଷିତ ନଥିବା ଯୋଗୁଁ ଅଣ୍ଡର ରେଟରେ ବାଧ୍ୟ ହୋଇ ଦଲାଲ ହାତକୁ ଟେକି ଦେଉଛନ୍ତି ।

ଜିଲ୍ଲାର ଆରଏମସି ମାନଙ୍କ ତରଫରୁ ଟିକସ ଆଦାୟ ହେଉଥିବା ବେଳେ ମଣ୍ଡି ଗୁଡିକର ଛାଉଣୀ ଓ ଭିତ୍ତିଭୂମିର ବିକାଶ ପାଇଁ ବିଳମ୍ବ ନେଇ କ୍ଷୋଭ ପ୍ରକାଶ ପାଇଛି ।ଆରଏମସି ମାନଙ୍କରେ ମଣ୍ଡି ଗୁଡିକର ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଅନାଗ୍ରହ ଯୋଗୁଁ ଏହା ଖର୍ଚ୍ଚ ନହୋଇ ବର୍ଷବର୍ଷ ଧରି ପଡି ରହିଛି । ଖୋଲା ମଣ୍ଡିରେ ଦିଆଯାଉଥିବା ତାରପୋଲିନ ସମୁଦ୍ରକୁ ଶଙ୍ଖେ ଥିବା ବେଳେ କେତେକ ତାରପୋଲିନରେ ଚିରାଫଟା ଥିବା ଯୋଗୁଁ ଚାଷୀଙ୍କ କାମରେ ଆସି ପାରୁନାହିଁ ।

ଚାଷୀମାନେ ନିଜ ଉଦ୍ୟମରେ ଜରିବସ୍ତା ଓ ତାରପୋଲିନ ଆଣି କଷ୍ଟ ଉପାର୍ଜିତ ଧାନକୁ ଓ ପ୍ରାକ ମୌସୁମୀ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଠିକାଦାର ମାନଙ୍କ କବଜାରେ ଆରଏମସି ଗୁଡିକ ଥିବା ଯୋଗୁଁ ରାଜନୈତିକ ପତିଆରା ସୃଷ୍ଟି କରି ଛାଉଣି ଓ ଭିତ୍ତିଭୂମି ଟେଣ୍ଡର ପ୍ରକ୍ରିୟାରେ ଜାଣିଶୁଣି ବିଳମ୍ବ କରୁଛନ୍ତି । ବହୁ ସ୍ଥାନରେ ତହସିଲ ମାନଙ୍କରେ ଭିତ୍ତିଭୁମି ପାଇଁ ଜାଗା ଯୋଗାଇ ଦେବାରେ ମଧ୍ୟ ବିଳମ୍ବ ଦେଖାଦେଉଛି । ଏଷ୍ଟିମେଟ ଓ ଏକ୍ସନପ୍ଲାନ ଅନୁମୋଦନ ପାଇଁ ସମବାୟ ବିଭାଗରେ ଫାଇଲ ବର୍ଷବର୍ଷ ଧରି ପଡି ରହୁଛି । ଉପଜିଲ୍ଲାପାଳମାନେ କାର୍ଯ୍ୟବ୍ୟସ୍ତତା ରହୁଥିବା ଯୋଗୁଁ ଆରଏମସି ମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ବିଳମ୍ବରେ ମଣ୍ଡି ଚାଲିଥିବା ବେଳେ ବର୍ଷା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ବର୍ଷା ଯୋଗୁଁ ଚାଷୀମାନେ ଖୋଲା ମଣ୍ଡିରେ ଧାନ ବିକ୍ରି ପାଇଁ ପଡି ରହୁଛନ୍ତି । ବସ୍ତା ବସ୍ତା ଧାନ ପଡି ରହୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷମାନେ ତାରପୋଲିନ ଦିଆଯାଉଥିବା କହି ନିଜ ଦାୟିତ୍ବ ଖସାଇବାକୁ ଚେଷ୍ଟା କରୁଛନ୍ତି । ଦଲାଲ କବଜାରେ ମଣ୍ଡି ଗୁଡିକ ଚାଲିଥିବା ବେଳେ କାଁଭାଁ ଚାଷୀ ମଣ୍ଡିକୁ ଆସି ହଟହଟା ହେବାକୁ ପଡୁଛି । ଜିଲ୍ଲାରେ ମିଲର୍ସ ମାନଙ୍କ ଉପରେ ଜିଲ୍ଲା ପ୍ରଶାସନର ଅଙ୍କୁଶ ରହୁନଥିବା ଯୋଗୁଁ ମଣ୍ଡିରେ ଏକ ଚାଟିଆ ଜୁଲୁମ ଚାଲିଥିବା ଅଭିଯୋଗ ହୋଇଛି । ପ୍ରକୃତ ଚାଷୀ ଅଣ୍ଡର ରେଟରେ ଧାନ ବିକ୍ରୟ କରୁଥିବା ବେଳେ ଦଲାଲ ଜରିଆରେ ଏହା ପଡୋଶୀ ଛତିଶଗଡକୁ ଚାଲାଣ ହେଉଛି ।

ସମ୍ବନ୍ଧିତ ଖବର