ସମବାୟ ସମିତିର ବିଚିତ୍ର ନୀତି; ବେପାରୀଙ୍କ ଧାନ ଧାନ ଉଠୁଛି, ଅସଲ ଚାଷୀ ହାତାଶ

ମଣ୍ଡିରେ ପଡି କାକରରେ ଭିଜୁଛି ହଜାର ହଜାର ବସ୍ତା ଧାନ; ଜିଲ୍ଲାରେ ୨୩ ଲକ୍ଷ ୨୩ ହଜାର କୁଇଣ୍ଟାଲ ଧାନ କିଣା ଟାର୍ଗେଟ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଖରିଫ୍ ଧାନ କିଣାରେ ଚାଲିଛି ବ୍ୟାପକ ହରିଲୁଟ୍। ମିଳି ମିଶି ଲୁଟି ନେବାକୁ ବସିଛନ୍ତି ଚାଷୀର ଧାନ ଟଙ୍କା। ଏଭଳି ଲୁଟ୍ କରିବା ପାଇଁ ଦାୟୀତ୍ବ ନେଇଛନ୍ତି କିଛି ସେବା ସମବାୟ ସଂସ୍ଥା। ସମବାୟ ସମିତିର ସଂପାଦକ ମାନଙ୍କର ବିଚିତ୍ର ନୀତିକୁ ନେଇ ଟୋକନ୍ ଧାରୀ ଅସଲ ଚା‌ଷୀ ଚିନ୍ତାରେ ରହିଛି। ଧାନ ବିକ୍ରି ହୋଇ ପାରୁ ନଥିବାରୁ ଚାଷୀ ମୁଣ୍ଡରେ ପଡିଛି ଚଡକ। ତେବେ କେଉଁମାନେ ଧାନ ବିକୁଛନ୍ତି। ଏହାର ତଥ୍ୟ ସଂଗ୍ରହ କଲା ବେଳକୁ ଜଣାପଡିଲା ଜିଲ୍ଲାର ସରକାରୀ ମଣ୍ଡିରେ ଧାନ ବିକ୍ରି କରିବାର ଭିତିରି ରହସ୍ୟ। ଜିଲ୍ଲାରେ ଯେଉଁ ଚାଷୀମାନଙ୍କୁ ଟୋକନ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ଅସଲି ଓ କିଛି ନକଲି ଚାଷୀ ରହିଛନ୍ତି। କିଛି ମଧ୍ୟ ଅଛନ୍ତି ଭାଗଚାଷୀ ଓ ନାମକମାତ୍ର ଚାଷୀ ଅସଲ ଚାଷୀର ଧାନ ଏବେ ସୁଦ୍ଧା ବିକ୍ରି କରିବାର ସୁଯୋଗ ପାଇନଥିବା ବେଳେ ନକଲି ଚାଷୀ, ଭାଗ ଚାଷୀ ଓ ନାମକମାତ୍ର ଚାଷୀଙ୍କର ଧାନକୁ କୌଶଳ କରି ଗ୍ରାମାଞ୍ଚଳର କିଛି ବେପାରୀ ଯେଉଁମାନେ ଧାନ କିଣା ବିକା ସମୟରେ ଗାଁ ଗାଁରେ ଧାନ କଣ୍ଟା ଖୋଲି ବସନ୍ତି।

ଆଉ କିଛି ଧାନ ଦଲାଲ ଗାଁ ଗାଁ ବୁଲି ଏଇସବୁ ଚାଷୀଙ୍କଠାରୁ କମ୍ ମୂଲ୍ୟରେ ଧାନ ଉଠାଇ ନେଇ ସମବାୟ ସମିତି ସଂପାଦକଙ୍କୁ ହାତ କରି ତମର ଅଧେକୁ ଆମର ଅଧେ ନାୟରେ ଚାଷୀର ଧାନ ଟଙ୍କାକୁ ଲୁଟି ଚାଲିଛନ୍ତି। ବେପାରୀ ଓ ଦଲାଲଙ୍କ ଧାନ ନାମକ ମାତ୍ର ଚାଷୀ, କ୍ଷୁଦ୍ର ଚାଷୀଙ୍କ ଖାତାରେ ପକାଇ ବେଶ୍ ଦିପଇସା ହାତ ଚିକଣ କରିବାରେ ସିଦ୍ଧହସ୍ତ ପାଲଟିଛନ୍ତି ଭଦ୍ରକ ଜିଲ୍ଲାର ଅଧିକାଂଶ ସେବା ସମବାୟ ସମିତି। ‌ପ୍ରତି ଗାଁରେ ଏବେ ଅସଲ ଚାଷୀ ତାର ଧାନ ବିକ୍ରି ନକରିପାରି ଟୋକନ ଧରି ବସିଛି। କେବେ ଆସିବ ତାର ତାର ‌ ଧାନ ବିକ୍ରି କରିବାର ସୁଯୋଗ। ଏଭଳି କିଛି ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରିବାକୁ ଅପେକ୍ଷା କରି କରି ପୁଣି ସେଇ ଦଲାଲ ବେପାରୀଙ୍କ ହାବୁଡରେ ପଡୁଛନ୍ତି। ସରକାରୀ ମୂଲ୍ୟରେ ଧାନ ବିକ୍ରି ନହେଲେ ନାହିଁ। ଯାହା କ୍ଷତି ହେଉପଛେ ବେପାରୀ ହାତକୁ ଟେକି ଦେଉଛି ତାର ଧାନ। ଏଥିପାଇଁ ଖାସ୍ ଭଦ୍ରକ ଜିଲ୍ଲାରେ ଚାଷୀ ଅଭାବୀ ଧାନ ବିକ୍ରିର ଶୀକାର ହୋଇଛି। ଏଇ ଘଟଣାର ଭିଜିଲାନସ୍ ତଦନ୍ତ କରଗଲେ ଏହାର ଅସଲ ତଥ୍ୟ ପଦାକୁ ଆସିପାରନ୍ତା ବ‌ୋଲି ଜିଲ୍ଲାର ବହୁ ଚାଷୀ ଅଭିଯୋଗ ଉଠାଇଛନ୍ତି।

ଚାଷୀର ଧାନ ଟଙ୍କା ଏଇଭଳି ଆଦବ କାଇଦାରେ ଚଳୁ କରି ଜଣେ ଜଣେ ସେବା ସମବାୟ ସମିତି ସଂପାଦକ କୋଟି କୋଟି ଟଙ୍କାର ମାଲିକ ସାଜିଛନ୍ତି। ଏମାନଙ୍କ ଦରମା କେତେ, ଏମାନେ ସଂପତ୍ତି କରିଛନ୍ତି କେତେ! ଏହାର ଖୋଳତାଡ ହେଲେ ବହୁ ଲୁଟେରା ସଂପାଦକଙ୍କ ଅସଲ ମୁଖା ପଦାରେ ପଡନ୍ତା ବୋଲି ଭଦ୍ରକର ଚାଷୀ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି, ଚଳିତ ବର୍ଷ ଜିଲ୍ଲାରେ ୯୮ ଟି ସେବା ସମବାୟ ସମିତି ଓ ୫୪ ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣାଯାଉଛି। ଡିସେମ୍ବର ମାସରୁ ଧାନ କିଣା ସରକାରୀ ଭାବେ ଆରମ୍ଭ କରାଯାଇଛି। ଏହା ଭିତରେ ତିନି ମାସ ବିତିବାକୁ ଯାଉଛି। ଚଳିତ ବର୍ଷ ଜିଲ୍ଲାରୁ ପ୍ରଥମ ଦଫାରେ ମୋଟ ୧୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଥିଲା। ପରେ ଏଇ କୋଟା ବୃଦ୍ଧି ହୋଇ ଜିଲ୍ଲାରେ ସରକାରୀ ଭାବେ ୨୩ ଲକ୍ଷ ୨୩ ହଜାର ୫୨୯ କୁଇଣ୍ଟାଲ ଧାନ କିଣା ଯିବା ନେଇ ଟାର୍ଗେଟ୍ ଦିଆଯାଇଛି। ଦ୍ବିତୀୟ ପର୍ୟ୍ୟାୟର ଏଇ ଟାର୍ଗେଟ୍ ରୁ ଏବେ ସୁଦ୍ଧା ୨୧ ଲକ୍ଷରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ କିଣା ସରିଛି। ଜିଲ୍ଲାରେ ଏବେ ସୁଦ୍ଧା ଆହୁରି ୩୫ ହଜାରରୁ ଉର୍ଦ୍ଧ୍ବ ଚାଷୀ ଟୋକନ୍ ଧରି ଧାନ ବିକ୍ରି କରିବାକୁ ବସିଛନ୍ତି। ୨୩ ଲକ୍ଷ ଟାର୍ଗେଟ ପୂରଣ ହେବା ପରେ ତଥ୍ୟ କହୁଛି ଜିଲ୍ଲାରେ ଆହୁରି ୧୦ ଲକ୍ଷରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଧାନ ବଳକା ରହୁଛି।

ଗୋଟିଏ ପଟରେ ସରକାର ଦେଇଥିବା ଟାର୍ଗେଟ ଶେଷ ହୋଇ ଆସୁଛି। ଅନ୍ୟପଟରେ ଟୋକନ୍ ଧରି ଆହୁରି ହଜାର ହଜାର ଚାଷୀ ଅପେକ୍ଷାରେ ରହିଛନ୍ତି। ଏଭଳି ପରିସ୍ଥିତିରେ ଅସଲ ଚାଷୀ କରିବ କଣ। କିଭଳି ବିକ୍ରି କରିବ ତାର ଶ୍ରମ ଅର୍ଜିତ ଧାନ। କେତେ ଦିନ ଏମିତି ସମାବାୟ ସମିତି ଅଫିସକୁ ଦୌଡୁଥିବ। ଆଉ ସମିତି ସଂପାଦକଙ୍କ ପାଖରେ ନେହୁରା ହେଉଥିବ। ଜଣେ ଚାଷୀ ତାର ଧାନ ବିକ୍ରି କରିବା ବେଳେ ସଂପାଦକଙ୍କ ପାଖରେ କାହିଁକି ଗୋଡ ଭାଙ୍ଗି ଠିଆ ହେବ। ଚାଷୀ ପ୍ରତି ଏଭଳି ଅନ୍ୟାୟ ଅସହ୍ୟ ହେଉଥିବା ବେଳେ ଅଧିକାଂଶ ଚାଷୀ ଏହା ବିରୋଧରେ ସ୍ବର ଉଠାଇ ନିରବି ଗଲେଣି। ଯାହାର ଫାଇଦା ଉଠାଉଛନ୍ତି ସମବାୟ ସମିତିର ସଂପାଦକ ଓ ଦଲାଲ । ସରକାରୀ ଭା‌ବେ ଚାଷୀର ଧାନ ବିକ୍ରି କରି ପାରୁ ନଥିବା ବେଳେ ବେସରକାରୀ ଭାବେ ଦଲାଲ ଧାନ ଉଠାଇ ନେଉଛନ୍ତି। କଳା ବଜାରରେ ଧାନ ବିକ୍ରୀ କରିବାର ସବୁ ଗଳାବାଟ ପ୍ରଶାସନ ଖୋଲି ଦେଇଛନ୍ତି। ଯେତେ ବାହାର ବେପାରୀ ଜିଲ୍ଲାକୁ ପଶିବେ।

ଯୋଗାଣ ବିଭାଗର ସେତେ ପିସି ମିଳିବ। ପକେଟ ସେତେ ସେମାନଙ୍କର ଗରମ ହେବ। ଜିଲ୍ଲା ଯେଗାଣ ବିଭାଗର ଚକ୍ରାନ୍ତ ହେଉଛି ଏଇପରି। ଯେମିତି ଚାଷୀ ସହଜ ଓ ସରଳ ଉପାୟରେ ମଣ୍ଡିରେ ଧାନ ବିକ୍ରୀ କରି ନପାରନ୍ତୁ। ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯେତେବେଳେ ଏହା ଚାହୁଁଛନ୍ତି। ସେତେବେଳେ ଚାଷୀ ଆଉ କାହା ମୁଣ୍ଡ ଧରି କାନ୍ଦିବ। ଚାଷୀର ଧାନ ଟଙ୍କାକୁ ଖାଇ ଜିଲ୍ଲାର କିଛି ଅଫିସର ମାଲେମାଲ ହେଉଥିବା ବେଳେ ଚାଷୀର ଦୁଃଖ ନକହିବା ଭଲ। ଏଇ ଲୁଟେରା ଅଧିକାରୀମାରନେ ଭିଜିଲାନସ୍ ବିଭାଗର ସ୍କାନରକୁ ନଆସିବା ପରିତାପର ବିଷୟ ହୋଇଛି। ସରକାରୀ ମଣ୍ଡିରୁ ଧାନ ଉଠାଇବା ପାଇଁ ଜିଲ୍ଲାରେ ୨୧ ଟି ମିଲର ଓ ବାହାର ଜିଲ୍ଲାରୁ ୨ଟି ମିଲର ମୋଟ ୨୩ ଟି ମିଲର ସାମିଲ ଅଛନ୍ତି। ଜିଲ୍ଲାରେ ୭୦ ହଜାର ଚାଷୀ ଖରିଫ ଧାନ ବିକ୍ରୀ କରିବା ପାଇଁ ପଂଜିକରଣ କରିଥିବା ବେଳେ ଏବେ ସୁଦ୍ଧା ଜିଲ୍ଲାର ଅନେକ ଚାଷୀ ଧାନ ବିକ୍ରି କରି ନପାରି ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର