ଲୁଣା ଜୁଆର ଖାଉଛି ପରିବା ଚାଷ: ଅଳକା ଖନନ ନେଇ ବଢ଼ୁଛି ଚାଷୀ ଅସନ୍ତୋଷ

ଗାରୋଇ: ମାଛଗାଁ ନିକଟରେ ଦେବୀ ନଦୀରେ ମିଶିଥିବା ଅଳକା ନଦୀ ଶଯ୍ୟାରେ ନିର୍ମିତ ୭ ଫାଟକ ବିଶିଷ୍ଟ ସ୍ଲୁଇସ୍‌ ଗେଟ୍‌ ଉପଯୁକ୍ତ ରକ୍ଷଣାବେକ୍ଷଣରୁ ପରିତ୍ୟକ୍ତ ଅବସ୍ଥାରେ ପହଞ୍ଚିଛି। କେଉଁ ଫାଟକରେ ଛିଦ୍ର ସୃଷ୍ଟି ହୋଇଛି ତ କେଉଁ ଫାଟକ ସଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏଣେ ଅଳକା ପୁନରୁଦ୍ଧାର କାମ ଠିକ୍‌ ଭାବେ ହୋଇ ପାରିନାହିଁ। ନଦୀ ବନ୍ଧକୁ ପଥର ପ୍ୟାକିଂରେ ସୁଦୃଢ଼ କରାଯାଇ ନାହିଁ। ଗ୍ରୀଷ୍ମଋତୁରେ ଦେବୀ ନଦୀର ଲୁଣା ଜୁଆର ଏହି ଫାଟକ ଦେଇ ପଶିଆସି ଆଖପାଖ ଗ୍ରାମର ପନିପରିବା ଫସଲକୁ ନଷ୍ଟ କରିଦେଉଛି। ଲେଉଟାଣି ଜୁଆର ମାଡ଼ି ଆସିବା ବେଳେ ସ୍ଲୁଇସ୍‌ଗେଟ୍‌କୁ ନିୟମିତ ବ୍ୟବଧାନରେ ବନ୍ଦ କରାଯାଉ ନଥିବାରୁ ଏପରି ସମସ୍ୟା ଚାଷୀଙ୍କ ପାଇଁ କାଳ ହୋଇଛି। ଏଠାରେ ଚାଷୀଙ୍କ ପାଇଁ ଉଠାଜଳସେଚନ ପ୍ରକଳ୍ପଟିଏ ନଥିବାରୁ ସେମାନେ ୨୦ ଫୁଟରୁ ଅଧିକ ଗଭୀରର ଚୁଆ ଖୋଳି ଚାଷଜମିକୁ ଜଳଚେିତ କରିବାକୁ ପଡ଼ିଥାଏ ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ଠାରୁ ୪୦ କିଲୋମିଟର ଅତିକ୍ରମ କରିଥିବା ଅଳକା ନଦୀ ଶଯ୍ୟାର ଅଧିକାଂଶ ସ୍ଥାନରେ ଜମି କିସମ ବଦଳାଯାଇ କୋଠା ଘରମାନ ନିର୍ମାଣ କରାଯାଇଛି। ଫଳରେ କେତେକ ସ୍ଥାନରେ ନଦୀର ଗତିପଥ ବଦଳିଛି ଓ ଶଯ୍ୟା ଶୁଷ୍କ ରହୁଛି।

ଏହି ଅଳକା ନଦୀର ଉଭୟ ପାର୍ଶ୍ବରେ ଲୋକମାନେ ପନିପରିବା ଚାଷ କରିଥାନ୍ତି। ଦେବୀ ନଦୀ ମୁହାଣରେ ଅଳକା ମିଶିଥିବା ପାର୍ଶ୍ବବର୍ତ୍ତୀ ଚାଷ ଜମିରେ ୧୦ଖଣ୍ତ ଗାଁର କୃଷିଜୀବୀ ବର୍ଷ ତମାମ ପନିପରିବା ଚାଷ କରିଥାନ୍ତି। ଡାବର ପଂଚାୟତର ନଦୀ ପଠା(କଣ୍ଡିଆ)ରେ ପ୍ରାୟ ୨୦ ଏକର ଜମିରେ ପନିପରିବା ଚାଷ ହୋଇଥାଏ। ସେସବୁ ଲୁଣି ପାଣି ଯୋଗୁଁ ନଷ୍ଟ ହେଉଛି ଓ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଡାବର ପଂଚାୟତର ଚାଷୀ ନିରଞ୍ଜନ ସାହୁ, ବଟ ମଲ୍ଲିକ, ପ୍ରତାପ ସେଠୀ ପ୍ରମୁଖ ଚାଷୀ ଏହି ନଦୀ ପୁନରୁଦ୍ଧାର କାର୍ଯ୍ୟ ନେଇ ଅସନ୍ତୋଷ ଝାଡ଼ିଛନ୍ତି। ଚାଷୀ ସଂଗଠନର ସହସଂଯୋଜକ ଅଶୋକ ସ୍ବାଇଁ ଜଗତସିଂହପୁର-ଅଳକା ଖନନକୁ ନେଇ ଜିଲ୍ଲା ଜଳସେଚନ ଓ ଜଳ ନିଷ୍କାସନ ବିଭାଗକୁ କୃତଜ୍ଞତା ଜଣାଇଥିଲେ ହେଁ ପଥର ପ୍ୟାକିଙ୍ଗ କରି ବନ୍ଧ ସୁଦୃଢ଼ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର