ଲଘୁଚାପ ଜନିତ ବର୍ଷା ଯୋଗୁ କପା ଓ ଧାନ ଚାଷ ନଷ୍ଟ ହେବା ଆଶଙ୍କା, ଚିନ୍ତାରେ ଚାଷୀ

ନାରାୟଣପାଟଣା: ଚଳିତବର୍ଷ ମୌସୁମୀ ଜନିତ ବର୍ଷା ବିଳମ୍ବରେ ପ୍ରବେଶ କାରଣରୁ ଏବଂ ଉପଯୁକ୍ତ ସମୟରେ ଆବଶ୍ୟକ ସାର ନ ମିଳିବାରୁ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହେବା ସହ ବିଳମ୍ବ ହୋଇଥିଲା। ଚାଷୀ ବହୁ କଷ୍ଟରେ ଜମିରେ ଧାନ, କପା ଏବଂ ଡାଲି ଜାତୀୟ ବିହନ ବୁଣି ସାର ପକାଇ ଚାଷ କାର୍ଯ୍ୟ କରିଥିଲା। ବର୍ତ୍ତମାନ ଜମିରେ ଫସଲ ଅମଳ ସମୟ ହୋଇଥିବା ବେଳେ ଗତ ତିନିଦିନ ହେଲା ଲଘୁଚାପ ଜନିତ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛି। ବିଶେଷ କରି ଲଘୁଚାପ ବର୍ଷା ଧାନ ଏବଂ କପା ଚାଷୀଙ୍କ ନିଦ ହଜାଇ ଦେଇଛି। ବ୍ଲକର ଅର୍ଦ୍ଧାଧିକ ଧାନ ବିଲରେ ଫସଲ ପାଚି ଯାଇଥିଲା ବେଳେ ଧାନ ଗଛ କଟା ହୋଇ ପାରିନଥିବାରୁ ଲଘୁଚାପ ଜନିତ ବର୍ଷାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଗୋଟିଏପଟେ ବର୍ଷା ଏବଂ ଅନ୍ୟପଟେ ଏଭଳି ସମୟରେ ଧାନ କାଟିବାକୁ କୁଲି ମିଳୁନଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସି ପଡ଼ିଛି। ସେହିପରି କିଛି ଚାଷୀ ଜମିରୁ ଧାନ ଫସଲ କାଟି ଖଳାକୁ ନେବା ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ବର୍ଷା ଯୋଗୁଁ କଟା ଧାନ କେଣ୍ଡା ଗୁଡ଼ିକ ବିଲରେ ପଡ଼ି ବର୍ଷାରେ ଭିଜୁଛି। ଆଉ କିଛି ଚାଷୀ ଧାନ ଫସଲ ଖଳାକୁ ଆଣି ରଖିଥିଲା ବେଳେ ବର୍ଷା ଯୋଗୁଁ ଧାନ ଗଦା ନଷ୍ଟ ହେବାରେ ଲାଗିଛି। ସେହିପରି କେରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଅଞ୍ଚଳପୁର ଠାରୁ ପୋଡ଼ାପଦର ପର୍ଯ୍ୟନ୍ତ ପ୍ରାୟ ୧୭୦ ଏକର ଜମିରେ କପା ଚାଷ କରାଯାଇଥିଲା ବେଳେ ଲଘୁଚାପ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାକୁ ବସିଛି।

Sambad

ଏଭଳି ସ୍ଥିତିରେ ବିଭିନ୍ନ ବ୍ୟାଙ୍କ, ଲ୍ୟାମ୍ପ, ବେପାରୀ ଠାରୁ ଧାର କରଜା କରି ଟଙ୍କା କପା ଏବଂ ଧାନ ଚାଷରେ ଲଗାଇଥିଲା ବେଳେ ଏହି ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିବାରୁ ଘରର ସୁନା ବିକ୍ରି କରି ଋଣ ସୁଝିବାକୁ ପଡ଼ିବ ବୋଲି ଚାଷୀ ସମ୍ବରୁ ଶିରିକା, କିତାନା ମିଣିଆକା କହିଛନ୍ତି। ଚଳିତବର୍ଷ ବିଳମ୍ବରେ ହେଲେ ବି ଧାନ ପାଚି ଭଲ ହୋଇଥିଲା। କିନ୍ତୁ ବର୍ଷା କାରଣରୁ ଧାନ କାଟି ମଳିବା ପରେ କେତେ ଫସଲ ଉତ୍ପାଦନ ହୋଇଛି ତାହା ଜଣାପଡ଼ିବ ବୋଲି ଚାଷୀ ନୁକାଲୁ ମିଣିଆକା, ଅଭି ସିରିକା, କାମେୟା ଏବଂ ଅନ୍ୟ ଚାଷୀମାନେ କହିଛନ୍ତି। ତେବେ ମଣ୍ଡିରେ ଧାନ କ୍ରୟ ସମୟରେ ଧାନର ମାନରେ କୋହଳ ନୀତି ପ୍ରଣୟନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ ଅଞ୍ଚଳର ଚାଷୀମାନେ ଅନୁରୋଧ କରିଛନ୍ତି। ସୂଚନା ଥାଉକି, ନାରାୟଣପାଟଣା ବ୍ଲକରେ ଚଳିତ ଖରିଫ ଋତୁରେ ମୋଟ ୬୫୧୧ ହେକ୍ଟର ଜମିରେ ଚାଷ କରାଯାଇଛି। ସେଥିମଧ୍ୟରୁ ୧୧୯୬ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା ବେଳେ ବଳକା ଜମିରେ ଡାଲି ଜାତୀୟ, କପା ଏବଂ ଅନ୍ୟାନ୍ୟ ଫସଲ ଚାଷ କରାଯାଉଛି। ସେହିପରି ୮୫ ହେକ୍ଟର ଜମିରେ ଲେମନ ଗ୍ରାସ ଚାଷ କରାଯାଉଥିବା ନାରାୟଣପାଟଣା କୃଷି ଅଧିକାରୀ ଗାବ୍ରିଏଲ ଡୁଙ୍ଗଡୁଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର