ଉଜୁଡ଼ିଯିବ ଭାତହାଣ୍ଡି, ରାୟଗଡ଼ାରେ ପଡିଆ ପଡିଛି ୪୬ ପ୍ରତିଶତ ଚାଷ ଜମି

ସ୍ବାଭାବିକ ହୋଇପାରୁନି ମୌସୁମୀ, ଚିନ୍ତାରେ ଚାଷୀ, ଆବଶ୍ୟକ ତୁଳନାରେ ୩୫ ପ୍ରତିଶତ କମ୍ ବର୍ଷିଛି

ରାୟଗଡ଼ା: ଆଷାଢ଼ ଯାଇ ଶ୍ରାବଣ ସରିବାକୁ ବସିଲାଣି। ଅଥଚ ରାୟଗଡ଼ାରେ ସ୍ବାଭାବିକ ହୋଇପାରୁନି ମୌସୁମୀ ବର୍ଷା। ଅକ୍ଷୟ ତୃତୀୟା ପରଠୁ ଚାଷୀ ଚାଷ କାମ ଅନୁକୂଳ କରିଥିଲେ ମଧ୍ୟ ବର୍ଷା ଅଭାବ ଯୋଗୁ ରୁଆ, ବେଉଷଣ ସରିପାରୁନି। ଆବଶ୍ୟକ ତୁଳନାରେ ୩୫ ପ୍ରତିଶତ କମ୍ ବର୍ଷା ହୋଇଥିବାରୁ ଜିଲ୍ଲାରେ ୪୬ ପ୍ରତିଶତ ଧାନ ଜମି ପଡିଆ ପଡିଛି। ଫଳରେ ଭାତହାଣ୍ଡି ଭାବେ ପରିଚିତ ଜିଲ୍ଲାର ଧାନ ଚାଷ ଉଜୁଡ଼ିବା ନେଇ ଆଶଙ୍କା ଦେଖା ଦେଇଛି। ଚଳିତ ଖରିଫ୍ ଋତୁରେ ଜିଲ୍ଲାର ୪୭ ହଜାର‌ ହେକ୍ଟର ଜମିରେ ଧାନ ଚାଷ ଲକ୍ଷ୍ୟ ରହିଛି। କିନ୍ତୁ ବର୍ଷା ଅଭାବ ଯୋଗୁ ଚାଷ କାର୍ଯ୍ୟ ଜୋର୍ ଧରିପାରୁନି।

ଆଜି ସୁଦ୍ଧା ୨୫ ହଜାର ୪୧୦ ହେକ୍ଟର ଜମିରେ ଧାନ ରୁଆ, ବେଉଷଣ ସରିଛି। ଢ଼େପ, ଅଣ‌ଜଳସେଚିତ ଜମି ପଡିଆ ପଡିଥିବା ବେଳେ ଜଳସେଚିତ ଅଞ୍ଚଳର ଜମିକୁ କେନାଲ ମାଧ୍ୟମରେ ଆବଶ୍ୟକ ପାଣି ପହଞ୍ଚି ପାରୁନି। ରାୟଗଡ଼ା କୃଷି ଜିଲ୍ଲାର ୧୬ ହଜାର ୪୭୫ ହେକ୍ଟର ଜମିରୁ ୧୦ ହଜାର ୧୨୯ ହେକ୍ଟରରେ ଚାଷ କାମ ସରିଛି। ସେହିପରି ଗୁଣପୁର କୃଷି ଜିଲ୍ଲାର ୧୮ ହଜାର ୪୨୨ ହେକ୍ଟର ଜମିରୁ ୧୧ ହଜାର ୬୯୪ ହେକ୍ଟର, ମୁନିଗୁଡ଼ା କୃଷି ଜିଲ୍ଲାର ୧୨ ହଜାର ୧୦୩ ହେକ୍ଟର ଜମିରୁ ୩ ହଜାର ୫୮୭ ହେକ୍ଟର ଜମିରେ ଧାନ ଚାଷ ସରିଛି। ୩ କୃଷି ଜିଲ୍ଲାର କାଶୀପୁର, ପଦ୍ମପୁର ଓ ଗୁଡାରି ବ୍ଲକରେ ହିଁ ଚାଷ କାର୍ଯ୍ୟ ସନ୍ତୋଷଜନକ ରହିଛି।

ମୁନିଗୁଡ଼ା କୃଷି ଜିଲ୍ଲାରେ ସ୍ଥିତି ଜଟିଳ ରହିଛି। ଚନ୍ଦ୍ରପୁର ବ୍ଲକର ୨୧୯୩ ହେକ୍ଟର ଜମିରୁ ଧାନ ଚାଷ କେବଳ ୬୨୬ ହେକ୍ଟରରେ ସରିଛି। ସେହିପରି ବିଷମକଟକର ୫ ହଜାର ୧୮୦ ହେକ୍ଟର ବଦଳରେ ୧୨୧୦ ହେକ୍ଟର, ମୁନିଗୁଡ଼ାରେ ୪ ହଜାର ୭୩୦ ହେକ୍ଟର ବଦଳରେ ୧୭୫୧ ହେକ୍ଟର ଜମିରେ ସରିଛି ଚାଷ କାର୍ଯ୍ୟ। ରାୟଗଡ଼ା କୃଷି ଜିଲ୍ଲାର କଲ୍ୟାଣସିଂହପୁର, କୋଲନରା, ଗୁଣପୁର କୃଷି ଜିଲ୍ଲାର ରାମନାଗୁଡ଼ା, ଗୁଣପୁର ବ୍ଲକରେ ରୁଆ ବେଉଷଣ ୫୦ ପ୍ରତିଶତ ଛୁଇଁ ପାରିନି। ପାଣିପାଗ ବିଭାଗ ସୂଚନାନୁଯାୟୀ, ମେ’ ମା‌ସରେ ରାୟଗଡ଼ା ଜିଲ୍ଲାରେ ୪୨ ପ୍ରତିଶତ କମ୍ ବର୍ଷା ହୋଇଛି। ଜୁନରେ ୩୫ ପ୍ରତିଶତ, ଜୁଲାଇରେ ୨୭ ପ୍ରତିଶତ, ଅଗଷ୍ଟ ଆଜି ସୁଦ୍ଧା ୭୮ ପ୍ରତିଶତ କମ୍ ବର୍ଷା ହୋଇଛି।

ଜୁନ୍ ୧ରୁ ଅଗଷ୍ଟ ୭ ମଧ୍ୟରେ ଜିଲ୍ଲାରେ ୩୬୮.୫ ମିମି ବର୍ଷା ହୋଇଥିବା ବେଳେ ମୋଟାମୋଟି ଭାବେ ଜିଲ୍ଲାରେ ୩୫ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବର୍ଷା ନଥିବାରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡ଼ିକ ଶୁଖିଲା ପଡିଛି। ପ୍ରତିଦିନ ଡ୍ୟାମ୍ ଜଳସ୍ତର କମି ଚାଲିଥିବାରୁ ପଦ୍ମପୁର ବ୍ଲକ କେନ୍ଦୁଗୁଡ଼ାରେ ଥିବା ବଡନାଳ ପ୍ରକଳ୍ପ ପାଣି ‌ଶେଷ ମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚି ପାରୁନି। କେନାଲ ପାଣିକୁ ଭରଷା କରି ତଳି ପକାଇଥିବା ଚାଷୀ ପାଣିକୁ ନେଇ ଚିନ୍ତାରେ ପଡିଥିବା ବେଳେ ଟାଣ ଖରା ପ୍ରଭାବରେ ତଳି ପୋଡିବାକୁ ବସିଲାଣି। ରାମନାଗୁଡ଼ା ବ୍ଲକର ଝରା ଅଞ୍ଚଳର ବିଭିନ୍ନ ଚାଷ ଜମିରେ ତଳି ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଚଳିତ ସପ୍ତାହରେ ବର୍ଷା ସ୍ବାଭାବିକ ନ ହେଲେ ଆଉ ଧାନ ଚାଷ କରିବା ସମ୍ଭବପର ନଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ନଭେମ୍ବରରୁ ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହେଉଥିବା ବେଳେ ବିଳମ୍ବିତ ଚାଷ କାର୍ଯ୍ୟ ପାଇଁ ଜାନୁଆରୀ ଶେଷରେ ଧାନ ଅମଳ ପ୍ରକ୍ରିୟା ସ୍ବାଭାବିକ ହେଉଛି। ଏପଟେ ପଞ୍ଜିକରଣ, ଟୋକେନ୍ ସମସ୍ୟା ଯୋଗୁ ଚାଷୀ ଠିକ୍ ସମୟରେ ଧାନ ବିକ୍ରି କରିନପାରି ଅଭାବୀ ବିକ୍ରିର ଶିକାର ହେବା ସହିତ ଆନ୍ଧ୍ର, ଛତିଶଗଡ଼ ବେପାରୀଙ୍କ ଶୋଷଣର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର