ଖୋଲୁନି ଧାନମଣ୍ଡି; ଚିନ୍ତାରେ ଚାଷୀ, ଖଳାରେ ଗଦା ହୋଇଛି ଟ୍ରିପ ଟ୍ରିପ ଧାନ

ବାଲିଅନ୍ତା: ସ୍ଥାନୀୟ ଅଞ୍ଚଳରେ ଏବେ ଅଭାବୀ ଧାନ ବିକ୍ରି ସମସ୍ୟା ଉଗ୍ର ରୂପ ନେଇଛି। ଧାନ ଅମଳ ପରେ ସରକାରୀ ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ବର୍ତ୍ତମାନ ଖରିଫ ଧାନ ଅମଳର ହେଉଛି ପ୍ରକୃତ ସମୟ। ଅଧିକାଂଶ ଚାଷୀ ହାର୍ବେଷ୍ଟର ସାହାଯ୍ୟରେ ଧାନ ଅମଳ କରିସାରି ଚୂନାଧାନ ଖଳାରେ ଗଦାକରି ରଖିଛନ୍ତି। ଆଉ କିଛି ଚାଷୀଙ୍କର ଧାନଖଳା ସୁବିଧା ନଥିବାରୁ କଂକ୍ରିଟ ରାସ୍ତାରେ ଧାନବସ୍ତା ଓ ଚୂନାଧାନ ଗଦାକରି ରଖିଛନ୍ତି। କଂକ୍ରିଟ ରାସ୍ତାରେ ଧାନହଳା ପକାଇ ଅମଳ କରୁଥିବାରୁ ଗାଡ଼ିମଟର ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ରାସ୍ତା ସଂକୀର୍ଣ୍ଣ ହେବା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଥିସହିତ ବସ୍ତାହେବା ପାଇଁ ଗଦା ହୋଇଥିବା ଚୂନା ଧାନ ଉପରେ ଗାଡ଼ିମଟର ମାଡ଼ିଯିବା ଯୋଗ ନଷ୍ଟ ହୋଇଯାଉଛି। ଅନ୍ୟପକ୍ଷରେ ବାଲିଅନ୍ତା ବ୍ଲକର ୧୬ଟି ଯାକ ପଞ୍ଚାୟତରେ ଅଭାବୀଧାନ ବିକ୍ରି ସମସ୍ୟା ଯୋଗୁ ଏଠାରେ ଅସାଧୁ ଧାନ ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠିଛନ୍ତି। ସ୍ଥାନୀୟ ଦଲାଲଙ୍କ ସାହାଯ୍ୟରେ ଚାଷୀଙ୍କ ଠାରୁ ବହୁ କମ ଦରରେ କିଣିଥିବା ଧାନକୁ ପରବର୍ତ୍ତୀ ସମୟରେ ସରକାରୀ ମଣ୍ଡିରେ ବିକ୍ରି କରି ମୁନାଫା ଉଠାଇବା ପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି।

ଉଲ୍ଲେଖଯୋଗ୍ୟ ପୂର୍ବରୁ କ୍ବିଣ୍ଟାଲ ପିଛା ସାଧାରଣ ଧାନର ମୂଲ୍ୟ ୧୮୧୫ ଟଙ୍କା ଥିବା ବେଳେ ଚଳିତ ବର୍ଷ ଖରିଫ ଋତୁଠାରୁ କ୍ବିଣ୍ଟାଲ ପିଛା ଧାନ ମୂଲ୍ୟ ୫୩ ଟଙ୍କାକୁ ବୃଦ୍ଧି ପାଇଛି। ହେଲେ ବିଭିନ୍ନ କୃଷି ସମବାୟ ସମିତିରେ ଧାନମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଅସାଧୁ ଧାନ ବ୍ୟବସାୟୀଙ୍କୁ ବେଶ ସୁହାଉଛି। ତେଣୁ ଚାଷୀମାନେ ବହୁ କମ ଦାମରେ କ୍ୟୁଣ୍ଟାଲ ପିଛା ୧୩ ଶହରୁ ୧୪ ଶହ ଟଙ୍କା ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଆଗକୁ ରବିଋତୁ ଓ ନିଜର ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଟଙ୍କା ଦରକାର ପଡ଼ୁଥିବାରୁ ଚାଷୀ ଅସାଧୁ ଧାନ ବ୍ୟବସାୟୀଙ୍କ ଦ୍ବାରା ଖୁଲମଖୁଲା ଶୋଷଣର ଶିକାର ହେଉଛନ୍ତି। ଏଭଳି ସ୍ଥତିରେ ଧାନମଣ୍ଡି ଖୋଲିବା ନିହାତି ଭାବେ ଆବଶ୍ୟକ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏସଂପର୍କରେ ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ଯୋଗଣ ନିରୀକ୍ଷକ ଦେବସ୍ମିତା ମଲ୍ଲିକଙ୍କୁ ପଚାରିବାରେ ମଣ୍ଡି ଖୋଲିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର