ଭଞ୍ଜନଗର: ଗତ ଦୁଇଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଅମଳ ହେବାକୁ ଥିବା ଧାନ ଫସଲ ପାଣିରେ ବୁଡ଼ି ଯାଇଥିଲା। ଏଥିସହ ହେକ୍ଟର ହେକ୍ଟର ଜମିର ପରିବା ଚାଷ ମଧ୍ୟ ନଷ୍ଟ ହୋଇଥିଲା। ରବିବାର ଠାରୁ ବର୍ଷା ଛାଡି ଯାଇଥିବା ବେଳେ ଚାଷୀମାନେ ଯେଣେତେଣେ ନିଜର ଫସଲକୁ ଉଦ୍ଧାର କରି ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିଥିବା ବେଳେ ଆଜି ସଂନ୍ଧ୍ୟାରୁ ପୁଣି ବର୍ଷା ଆରମ୍ଭ ହୋଇଛି। ଯାହାକି ଚାଷ କାର୍ଯ୍ୟକୁ ଦୋହଲାଇ ଦେଇଛି। କିଛି ସ୍ଥାନରେ ଚାଷୀ ଧାନ କାଟି ଜମି ଭିତରେ ପକାଇ ରଖିଥିବା ବେଳେ ତାହା ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି। ସେଥିରୁ ଗଜା ବାହାରିଥିବା ବେଳେ ଆଜି ରାଜସ୍ବ, କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ମିଳିତ ଭାବେ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରାଯାଇଛି।
ଆଜି ବିଭାଗୀୟ ଅଧିକାରୀ ମାନେ ଭଞ୍ଜନଗର ବ୍ଳକର ସାନକୋଦଣ୍ଡା, ବଡ଼ କୋଦଣ୍ଡା ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମକୁ ବୁଲି କ୍ଷୟକ୍ଷତି ଆକଳନ କରିଥିଲେ। ସହକାରୀ କୃଷି ଅଧିକାରୀ ଦିବ୍ୟରଞ୍ଜନ ମାଝୀ, ସହକାରୀ ଉଦ୍ୟାନ ଅଧିକାରୀ ସମ୍ବିତ କୁମାର ଆଚାର୍ଯ୍ୟ, ଗ୍ରାମ୍ୟ କୃଷି କର୍ମଚାରୀ ବିଷ୍ଣୁ ଚରଣ ବେହେରା, ଉଦ୍ୟାନ ସଂପ୍ରସାରଣ ଅଧିକାରୀ ପଙ୍କଜ ଲୋଚନ ପ୍ରଧାନ, କୃଷକ ସାଥୀ ରଞ୍ଜୀତ ବିଷୋୟୀଙ୍କ ସମେତ ରାଜସ୍ବ ନିରୀକ୍ଷକ ପ୍ରମୁଖ ବାହାଡାପଦର, ମହାଗୁଡ ଓ ଯୋଗୀମାରି ଗ୍ରାମର ପରିବାର ଚାଷ ଓ ଧାନ କ୍ଷେତ ବୁଲି ଦେଖିଥିଲେ। ହେକ୍ଟର ହେକ୍ଟର ଇଲାକାରେ ପରିବା ଚାଷ ନଷ୍ଟ ହୋଇଥିବା ବେଳେ ଧାନ ଗଛ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ପାଇଥିଲେ।
ଏହି ରିପୋର୍ଟ ଏସ୍ଆର୍ସିଙ୍କୁ ତୁରନ୍ତ ପ୍ରଦାନ କରି ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଚାଷୀ ମାନେ ନିବେଦନ କରିଛନ୍ତି। ବହୁ ବାଧାବିଘ୍ନ ସାମ୍ନା କରି ଚଳିତବର୍ଷ ଚାଷୀ ମାନେ ଚାଷ କାର୍ଯ୍ୟକୁ ଆଗେଇ ନେଇଥିବା ବେଳେ ଅମଳ ବେଳକୁ ଅଦିନିଆ ବର୍ଷା ସେମାନଙ୍କ ସବୁ ଆଶାକୁ ଫସର ଫଟାଇ ଦେଇଛି। ଏଭଳି ସ୍ଥିତିରେ କେବଳ ଧାନ କାଟି ଜମିରେ ପକାଇଥିବା ଚାଷୀ ମାନେ କ୍ଷତିପୂରଣ ପାଇବା ପାଇଁ ଯୋଗ୍ୟ ହେବେ ବୋଲି ଜଣାପଡିବା ପରେ ଚାଷୀ ମାନଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି। ଅନେକ ଚାଷୀଙ୍କ ଧାନ ଫସଲ ପାଚିଥିଲେ ମଧ୍ୟ ବର୍ଷା ପୂର୍ବରୁ କାଟି ନଥିଲେ କିନ୍ତୁ ସେମାନଙ୍କ ଧାନ ଗଛ ମଧ୍ୟ ଅଦିନିଆ ବର୍ଷା ପ୍ରଭାବରେ ପାଣିରେ ଶୋଇ ପଡିବାରୁ ନଷ୍ଟ ହୋଇଛି। କିନ୍ତୁ ସେମାନେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବେ ବୋଲି ଜଣାପଡିବା ପରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଭାଗଚାଷୀ ମାନେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବେ ବୋଲି ଜଣାପଡିଛି। ଅଧିକାଂଶ ଚାଷୀ ନିଜର ଜମି ନଥିବା ବେଳେ ଧାର କରଜ କରି ଅନ୍ୟର ଜମିକୁ ଚାଷ କରୁଛନ୍ତି। କିନ୍ତୁ ବର୍ଷା ଜଳରେ ସେମାନଙ୍କ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବହୁ ଭାଗଚାଷୀ ଦାବି କରିଛନ୍ତି। ଯୋଗୀମାରି ଗ୍ରାମର ବୁଲୁ ଗୌଡ଼, ପଞ୍ଚୁ ପ୍ରଧାନ, ଦିବାକର ପ୍ରଧାନ, ସୂର୍ଯ୍ୟ ନାରାୟଣ ପ୍ରଧାନ, ଦିବାକର ବିଷୋୟୀ, ପୁନିଆ ପ୍ରଧାନଙ୍କ ଭଳି ବହୁ ଭାଗ ଚାଷୀ ନିବେଦନ କରିଛନ୍ତି।