ଯୋକଇ କ୍ରିକ୍ ବିପର୍ଯ୍ୟସ୍ତ, ଉଜୁଡ଼ି ଯାଉଛି ୪୦୦ ଏକର ଜମିର ଫସଲ

ଆଳି: ଆଳି ବ୍ଲକ୍‌ ଚଣ୍ଡିଆଗଡି-ରମ୍ଭିଳା ନିକଟସ୍ଥ ଯୋକଇ କ୍ରିକ୍‌ର ଦୂରବସ୍ଥା ଚିନ୍ତାର କାରଣ ହୋଇଛି। ଚଣ୍ଡିଆଗଡି ଭେଡାର ୪୦୦ ଏକର ଚାଷଜମିର ଧାନ ଫସଲ ଗତ ୪ ବର୍ଷ ହେଲା ଉଜୁଡି ଯାଉଛି। ଏହି କ୍ରିକ୍‌ର ମରାମତି ପାଇଁ ବର୍ଷବର୍ଷ ଧରି ସେମାନେ ଦାବି କରି ଆସୁଥିଲେ ହେଁ ବିଭାଗ କର୍ଣ୍ଣପାତ କରୁନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ବର୍ଷ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ନଦୀ ଭରପୁର ଥିବାରୁ ଚଣ୍ଡିଆଗଡ଼ି ଭେଡାର ୪୦୦ ଏକର ଚାଷଜମିରେ ଗତ ୧୫ ଦିନ ହେଲା ପାଣି ପଶି ରହି ରୁଆ, ବେଉଷଣ ହୋଇଥିବା ସବୁ ଧାନ ଫସଲ ଉଜାଡି ଦେଇଛି।

ଚଣ୍ଡିଆଗଡି ଭେଡାରେ ଚାଷ କରୁଥିବା ରମ୍ଭିଳା, ଚଣ୍ଡିଆଗଡି, ମାଣିକପାଟଣା, କୁଢିପାଟଣା, ସିଙ୍ଗିରି, ଧାନମଣ୍ଡଳ ଗ୍ରାମର ଚାଷୀ ଅଭିଯୋଗ କରିଛନ୍ତି ଯେ, ଚଣ୍ଡିଆଗଡି ଭେଡାର ଏହି ୪୦୦ ଏକର ଚାଷଜମିକୁ ଆବଶ୍ୟକ ସମୟରେ ବ୍ରାହ୍ମଣୀ ନଦୀର ଜଳ ପ୍ରବେଶ ଓ ଅଧିକ ଜଳକୁ ନିଷ୍କାସନ କରାଇବା ନିମନ୍ତେ ଯୋକଇ କ୍ରିକ୍‌ର ବ୍ୟବସ୍ଥା କରାଯାଇଥିଲା। ଏହି କ୍ରିକ୍ ଦ୍ବାରା ଚାଷୀମାନେ ବେଶ୍ ଚାଷକାମ ସୁରୁଖୁରୁରେ କରି ଉପକୃତ ହେଉଥିଲେ। ମାତ୍ର ଗତ ୫ ବର୍ଷ ତଳେ ଏହି ଜଳ ସରବରାହ କ୍ରିକ୍‌ର ପ୍ରବେଶ ପଥରେ ଥିବା ଫାଟକଗୁଡିକ ଭାଙ୍ଗି ବିପର୍ଯ୍ୟସ୍ତ ହୋଇ ପଡିଛି। କ୍ରିକ୍ ଦ୍ବାରା ଜଳ ପ୍ରବେଶ ଓ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ୫ ବର୍ଷ ହେଲା କେଉଁ ବର୍ଷ ଜଳ ବହୁଳେ ତ’ କେଉଁବର୍ଷ ଜଳ ବିହୁନେ ଫସଲ ନଷ୍ଟ ହେଉଛି। ଚଳିତ ବର୍ଷ ଭେଡାରେ ପାଣି ଭରପୂର ହୋଇ ରହିଥିବାରୁ ରୁଆ ବେଉଷଣ ହୋଇଥିବା ଧାନଫସଲ ବୁଡି ପଚୁଥିବା ବେଳେ ହଳ, ମହି ହୋଇ ରହିଥିବା ଜମିରେ ଚାଷକାମ ହୋଇ ପାରୁନାହିଁ। ଏଥିଯୋଗୁଁ ଏହି ଭେଡା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଶତାଧିକ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ତୁରନ୍ତ ଏହି ଜୋକଇ କ୍ରିକ୍‌ ମରାମତି ବ୍ୟବସ୍ଥା କରା ନ ଗଲେ ଚାଷୀମାନେ ଆନ୍ଦୋଳନ କରିବାକୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସେମାନେ ଯାହା କୁହନ୍ତି….

ମନୁଷ୍ୟକୃତ ବନ୍ୟା ଓ ମରୁଡି ଯୋଗୁଁ ଚଣ୍ଡିଆଗଡି ଭେଡାର ୪୦୦ ଏକର ଚାଷଜମିର ଧାନ ଫସଲ ଉଜୁଡି ଯାଉଛି। ଗତ ୫ ବର୍ଷ ହେଲା ଯୋକଇ ନାଳୀ କ୍ରିକ୍‌ର ପୁନରୁଦ୍ଧାର ପାଇଁ ଦାବି ହେଉଥିଲେ ମଧ୍ୟ ସ୍ଥାନୀୟ ଜଳସେଚନ ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ତୁରନ୍ତ ଏହି କ୍ରିକ୍‌ର ମରାମତି ପାଇଁ ଦାବି କରୁଛି।
-ସନାତନ ସାହୁ, ସରପଞ୍ଚ, ଚଣ୍ଡିଆଗଡି

ଯୋକଇ କ୍ରିକ୍ ମରାମତି ନ ହେବାରୁ ଆମ ଜମିର ଫସଲ ପ୍ରତିବର୍ଷ ଉଜୁଡି ଯାଉଛି।ଧାରକରଜ କରି ଫସଲ କରୁଛୁ ହେଲେ ଫସଲ ଅମଳ କରି ପାରୁନାହୁଁ। ବିଭାଗ ଏବର୍ଷ କ୍ରିକ୍ ମରାମତି ନ କଲେ ଆମେ ଆନ୍ଦୋଳନ କରିବୁ।
-ଦିଲ୍ଲୀପ ନନ୍ଦ, ଚାଷୀ

କୃଷିର ଉନ୍ନତି ପାଇଁ ସରକାର ବହୁ ଯୋଜନା କରୁଛନ୍ତି। ବନ୍ଧବାଡ, କ୍ରିକ୍ ମରାମତି ପାଇଁ ଜଳସେଚନ ବିଭାଗକୁ କୋଟିକୋଟି ଟଙ୍କାର ଅନୁଦାନ ଆସୁଛି। ହେଲେ ୪୦୦ ଏକର ଜମିର ଫସଲର ସୁରକ୍ଷା ପାଇଁ ବ୍ୟବସ୍ଥା ନ ହେବା ଅତ୍ୟନ୍ତ ଦୁଃଖଦାୟକ। ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ।

ସମ୍ବନ୍ଧିତ ଖବର