‘ଫନି’ ବାତ୍ୟାକୁ ଦୁଇବର୍ଷ ଦୁଇମାସ; ଯାଞ୍ଚ ହେଲା, ରିପୋର୍ଟ ଗଲା

ମିଳୁନି କ୍ଷତିପୂରଣ, ଋଣଯନ୍ତାରେ ଆଉଟୁପାଉଟୁ ନିଆଳି ପାନଚାଷୀ

ନିଆଳି: ୨୦୧୯ ମେ’ ୩ ତାରିଖ ଦିନ ପୁରୀ ଉପକୂଳରେ ମାଡ଼ ହୋଇଥିଲା ‘ଫନି’ ବାତ୍ୟା। ଏହାର ପ୍ରଭାବରେ ନିଆଳି ଅଞ୍ଚଳର ପ୍ରଭୂତ କ୍ଷତି ହୋଇଥିଲା। ବିଶେଷ କରି, ପାନବରଜ କରିଥିବା ଚାଷୀମାନେ ବାତ୍ୟାରେ ନାହିଁ ନ ଥିବା କ୍ଷତିର ସମ୍ମୁଖୀନ ହୋଇଥିଲେ। ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲା। ହେଲେ, ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ଦୁଇବର୍ଷ ଦୁଇମାସ ଅତିକ୍ରାନ୍ତ ‌ହୋଇଥିଲେ ମଧ୍ୟ ନିଆଳି ବ୍ଲକ୍‌ର ଅଧିକାଂଶ ପାନଚାଷୀଙ୍କୁ ସହାୟତା ରାଶି ମିଳିପାରି ନାହିଁ।

ଏହା ସାଙ୍ଗକୁ ଗତ ଦୁଇବର୍ଷ ‌ଧରି କରୋନା କାଳରେ ପାନଚାଷୀଙ୍କ ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଏବେ ଅଞ୍ଚଳର ପାନଚାଷୀ ଋଣଯନ୍ତାରେ ପଡ଼ି ଆଉଟୁପାଉଟୁ ହେଉଥିବା ଦେଖିବାକୁ ମିଳିଛି। ବିଗତ ଦିନରେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଆସି ନିଆଳିବାସୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି। ଦୁଇବର୍ଷ ତଳେ ଆସିଥିବା ‘ଫନି’ ବାତ୍ୟା ଅଞ୍ଚଳର ପ୍ରଭୂତ କ୍ଷତି କରିଥିଲା ବେଳେ ୫ହଜାରରୁ ଅଧିକ ପାନବରଜ ନଷ୍ଟ ହୋଇଯାଇଥିଲା।

ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇ ନିଆଳି, ବାହାରଣା, ନୂଆଗାଁ, କୃଷ୍ଣପ୍ରସାଦ, ମାଧବ, ପୋଖରୀଗାଁ, ରାଣୀଓଳା, ନିଭରଣ, ବିନିଶପୁର, ତିହୁଡ଼ି, କପାସୀ, ବିଳାସୁଣୀ, ଅଁଳୋ, ଅଲଣା, ଜଲ୍ଲାରପୁର ଆଦି ୧୫ଟି ପଞ୍ଚାୟତର ୪ହଜାର ପାନଚାଷୀଙ୍କ ପାନବରଜ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇ ରିପୋର୍ଟ ଯାଇଥିଲା। ଚାଷୀମାନଙ୍କ ନିକଟରୁ ଆଧାର କାର୍ଡ, ବ୍ୟାଙ୍କ ଆଙ୍କାଉଣ୍ଟ ଆଦି ସଂଗ୍ରହ କରାଯାଇ ଉଦ୍ୟାନ ବିଭାଗରେ ପୈଠ ମଧ୍ୟ କରାଯାଇଥିଲା।

ସେମାନଙ୍କ ମଧ୍ୟରୁ କେବଳ ୧୫୦୦ ଅନୁସୂଚିତ ବର୍ଗର ପାନଚାଷୀଙ୍କୁ ୧୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଆଜି ପର୍ଯ୍ୟନ୍ତ ଅନ୍ୟ ୨୫୦୦ ସାଧାରଣ ବର୍ଗର ପାନଚାଷୀଙ୍କୁ ସହାୟତା ମିଳି ନ ଥିବା ଜଣାଯାଇଛି। କ୍ଷୟକ୍ଷତି ପ୍ରଦାନରେ ପ୍ରଶାସନର ଉଦାସୀନତା ଯୋଗୁଁ ଚାଷୀମାନେ ଧାରକରଜ କରି ପାନବରଜ ଠିଆ କରିଥିଲେ। ହେଲେ, ଆର୍ଥିକ ଅବସ୍ଥାରେ ସୁଧାର ହେବା ପରିବର୍ତ୍ତେ କରୋନା କାଳ ପାନଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି।

ଗୋଟିଏ ପଟେ, ସରକାର କ୍ଷୟକ୍ଷତି ଆକଳନ ସତ୍ତ୍ବେ ଆର୍ଥିକ ସହାୟତା ପ୍ରଦାନ କରିନାହାନ୍ତି। ଅନ୍ୟପଟେ, କଟକଣା ଯୋଗୁଁ ଦୋକାନବଜାର ବନ୍ଦ ଥିବାରୁ ଚାଷୀ ନିଜର ଉତ୍ପାଦିତ ପାନ ବଜାରରେ ବିକ୍ରି କରିପାରୁ ନାହିଁ। ଫଳରେ ସେମାନେ ଏବେ ଋଣଯନ୍ତାରେ ପଡ଼ି ଯାଇଛନ୍ତି ବୋଲି ପାନଚାଷୀ ଦୁଃଶାସନ ବସ୍ତିଆ, ସୁରେନ୍ଦ୍ର ରାଉତ, କ୍ଷେତ୍ରମୋହନ ମୁଦୁଲି, କାଳନ୍ଦୀ ବସ୍ତିଆ, ଗୋପାଳ ସ୍ବାଇଁ, ବିଷ୍ଣୁ ଚରଣ ରାଉତ, ସୁକାନ୍ତ ପ୍ରଧାନ, ତ୍ରିଲୋଚନ ମୁଦୁଲି, ଅଭିମନ୍ୟୁ ପ୍ରଧାନ, ନିହାର ବସ୍ତିଆ, ବାବାଜୀ ରାଉତ ପ୍ରମୁଖ କହିଛନ୍ତି।

ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ ସହକାରୀ ଉଦ୍ୟାନ ଅଧିକାରୀ ପ୍ରିୟଙ୍କା ଦାସଙ୍କୁ ପଚାରିବାରୁ ସେ କହିଛନ୍ତି‌ ଯେ ଅନୁଦାନ ଆସି ନ ଥିବାରୁ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିପାରି ନାହିଁ। ଏ ନେଇ ଉଚ୍ଚକର୍ତ୍ତୃପକ୍ଷ ଲିଖିତ ଭାବେ ଅବଗତ କରାଯାଇଛି। ଅନୁଦାନ ଆସିଲେ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅପରପକ୍ଷେ, ପାନଚାଷୀଙ୍କୁ ସରକାର ଘୋଷଣା କରିଥିବା କ୍ଷୟକ୍ଷତି ବାବଦ ସହାୟତା ନ ମିଳିଲେ ସାମାଜିକ ସଂଗଠନ ‘ଅଭିମନ୍ୟୁ’ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ଏବଂ ବ୍ଲକ୍‌ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଗଠନର ଆବାହକ ଅଭିମନ୍ୟୁ ମଲ୍ଲିକ ସୂଚନା ଦେଇଛନ୍ତି। ଏ ସଂପର୍କରେ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଉଦ୍ୟାନ ବିଭାଗ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଥିବା ମଧ୍ୟ ଜଣାପଡ଼ିଛି।

ସମ୍ବନ୍ଧିତ ଖବର