ଧାନ ବିକିବା ଅପେକ୍ଷାରେ ୪୪ ହଜାର ଚାଷୀ, ବଳିପଡିବେ ୧୯ ହଜାର ଚାଷୀ

ଟାକି ବସିଛନ୍ତି ଦାଲଲ, ଉଠାଇ ନେବେ ଧାନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ସରକାରୀ ମଣ୍ଡିରେ ଧାନ ବିକିବାକୁ ଏବେ ବି ଅପେକ୍ଷାରେ ଅଛନ୍ତି ଆହୁରି ୪୪ ହଜାର ଚାଷୀ। ଧାନ ବିକ୍ରି କରିବାର ସରକାରୀ ଅବଧି ଶେଷ ପରେ ମଧ୍ୟ ଜିଲ୍ଲାରେ ୪୪ ହଜାର ଚାଷୀ ଧାନ ବିକ୍ରି କରିବାର ସୁଯୋଗ ପାଇ ପାରିବେ ନାହିଁ। ସରକାରଙ୍କର ଧାନ କିଣାର ଧାର୍ଯ୍ୟ କୋଟା ପୂରଣ ହେବା ପରେ ଆଉ ସରକାର ଚାଷୀଙ୍କ ଠାରୁ ଧାନ କିଣିବେ କି ନାହିଁ। ତାକୁ ନେଇ ପ୍ରଶ୍ନ ଉଠିଛି। ଯଦି ସରକାର ପ୍ରଥମ ଦଫାର ଧାନ କିଣା କୋଟା ଶେଷ କରିବା ପରେ ଆଉ ଦ୍ବିତୀୟ ଦଫାର ଧାନ କିଣିବାକୁ ଯୋଜନା ନ କରିବେ ତେବେ ଜିଲ୍ଲାର ଧାନ ବିକ୍ରି କରିବା ପାଇଁ ସରକାରୀ ପଞ୍ଜିକୃତ ମୋଟ ୮୯ ହଜାର ୧୩୩ ଜଣଙ୍କ ଚାଷୀଙ୍କ ମଧ୍ୟରୁ ୧୯ ହଜାରରୁ ଉର୍ଦ୍ଧ୍ବ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବ‌େ। ଏଭଳି ଚିତ୍ର ଏବେ ଜିଲ୍ଲାରେ ସ୍ପଷ୍ଟ ହୋଇଛି। ସୂଚନାରୁ ପ୍ରକାଶ ଯେ, ୨୦୨୨-୨୩ ଖରିଫ ଚାଷରେ ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୬ ଲକ୍ଷ କ୍ବିଣ୍ଟାଲ ଧାନ କିଣିବେ ବୋଲି ଯୋଜନା କରିଥିଲେ। ଏହି ଟାର୍ଗେଟ ଅନୁଯାୟୀ ଗତ ଡିସେମ୍ବର ୩୧ ତାରିଖ ଠାରୁ ଧାନ କିଣା ଆରମ୍ଭ ହୋଇଥିଲା। ଧାନ କିଣା ଆରମ୍ଭ ବେଳରୁ ହିଁ ଜିଲ୍ଲାରେ ମଣ୍ଡିରେ ଧାନ କିଣା ବେଳେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ସମବାୟ ସମିତି ସମ୍ପାଦକ ମାନେ ସବୁଠାରୁ ଚାଷୀଙ୍କର ବଡ ଶତ୍ରୁ ପାଲଟିଛନ୍ତି। କେବଳ ସମ୍ପାଦକ ନୁହେଁ, ମିଲରଙ୍କ ମନମାନି ଓ ଚାଷୀଙ୍କ ଧାନ ଟଙ୍କାକୁ ଲୁଟ୍ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଛନ୍ତି ମିଲର।

ସରକାରୀ ମଣ୍ଡିରେ ଧାନ କିଣାବିକାବେଳେ ମିଲରମାନେ ସବୁଠାରୁ ବେଶୀ ଫାଇଦା ହାତେଇବାକୁ ସବୁ ପ୍ରକାର କୌଶଳ ଖଞ୍ଜୁଛନ୍ତି। ଭଦ୍ରକ ଜିଲ୍ଲାରେ ମିଲର ମାଲେମାଲ ହେଉଥିବା ବେଳେ ସରକାରୀ ମଣ୍ଡିରେ ଧାନ ବିକ୍ରି କରି କାଙ୍ଗାଳ ହେଉଛି। ଚାଷୀଙ୍କର ଏଭଳି ଦୟନୀୟ ଅବସ୍ଥା ଦେଖି ପ୍ରଶାସନ ନିଦାବିଷ୍ଣୁ ସାଜି ବସିଛି। ଜିଲ୍ଲା ପ୍ରଶାସନ ଚାଷୀର ସମସ୍ୟା ବୁଝିବାରେ ବିଫଳ ହୋଇଛି। ଯାହାକୁ ନେଇ ଧାନ କିଣା ଆରମ୍ଭ ପର୍ବରୁ ହିଁ ଜିଲ୍ଲାରେ ଚାଷୀ ଅସନ୍ତୋଷ ‌ ଦେଖିବାକୁ ମିଳିଛି। ହଜାର ହଜାର ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ସେମାନଙ୍କୁ ନ୍ୟାୟ ଦେବାରେ ଭଦ୍ରକ ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା ବେଳେ ବାଧ୍ୟ ହୋଇ ଚାଷୀ ତାର ଶ୍ରମ ଅର୍ଜିନ ଧାନ ଗଣ୍ଡାକ ନେଇ ଦଲାଲଙ୍କ ହାତକୁ ଅପେକ୍ଷାକୃତ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ଜିଲ୍ଲାରେ ୨୬ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ କୋଟା ଫିକ୍ସ କରାଯାଇଥିବାବେଳେ ଏବେ ସୁଦ୍ଧା ୧୭ ଲକ୍ଷ କ୍ବିଣ୍ଟାଲ ଧାନ ସରକାରୀ ଭାବେ ମଣ୍ଡିରେ ବିକ୍ରି ହୋଇଛି। ସରକାର ଆଉ ୯ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ କରିବେ। ଆସନ୍ତା ଫେବୃଆରୀ ୨୫ ତାରିଖ ସୁଦ୍ଧା ସରକାରଙ୍କର ଧାର୍ଯ୍ୟ କୋଟା ଧାନ ସଂଗ୍ରହ ଶେଷ ହୋଇଯିବ। ଜିଲ୍ଲାର ମୋଟ ପଞ୍ଜିକୃତ ଚାଷୀ ସଂଖ୍ୟା ୮୯ ହଜାର ୧୩୩ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୪୫ ହଜାର ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବାର ସୁଯୋଗ ପାଇଛନ୍ତି। ଏବେ ସୁଦ୍ଧା ଆହୁରି ୪୪ ହଜାର ଚାଷୀ ଧାନ ବିକ୍ରି କରିବାକୁ ଅପେକ୍ଷା କରିଥିବା ବେଳେ ସରକାରଙ୍କର ଧାନ ସଂଗ୍ରହର ଧାର୍ଯ୍ୟ କୋଟାର ବଳକା ୯ ଲକ୍ଷ କ୍ବିଣ୍ଟାଲ ଧାନକୁ ବିକ୍ରି କରିବା ପାଇଁ ୨୪ ହଜାର ଚାଷୀ ସୁଯୋଗ ପାଇପାରିବେ। ତେବେ ଆହୁରି ୧୯ ହଜାର ପଞ୍ଜିକୃତ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବ‌େ ବୋଲି ଜଣାପଡିଛି। ଯେଉଁ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି। ସେମାନେ ସରକାରୀ ମଣ୍ଡିରେ ଧାନ ବିକ୍ରି କରି ନ ପାରିଲେ କଣ କରିବେ ବୋଲି ଚିନ୍ତାରେ ରହିଛନ୍ତି। ଏହି ଚାଷୀମାନେ ନାମ ପଞ୍ଜିକରଣ କରି ଟୋକନ ପାଇ ଧାନ ବିକ୍ରି କରିବା ପାଇଁ ସେମାନଙ୍କର ଧାନକୁ ମଣ୍ଡିରେ ପକାଇଛନ୍ତି। ଶୀତ କାକରରେ ଧାନ ମଣ୍ଡିରେ ପଡି ନଷ୍ଟ ହେଉଛି।

ସରକାର ଯଦି ଦ୍ବିତୀୟ ପର୍ଯ୍ୟାୟର ଧାନ କିଣା ପାଇଁ ଭଦ୍ରକ ଜିଲ୍ଲାକୁ ଆଉ କୋଟା ନଦିଅନ୍ତି ତେବେ ଏଇ ଚାଷୀମାନେ ବାଧ୍ୟ ହୋଇ ଦଲାଲଙ୍କ ଶରଣ ପଶିବେ। ଦଲାଲ ବି ଚାଷୀର ଧାନ ଉଠାଇ ନେବାକୁ ଟାକି ବସିଛି। ବାହାର ଦଲାଲ ୧୫ ଶହ ଟଙ୍କାରେ ଚାଷୀଙ୍କ ଠାରୁ ଧାନ ଉଠାଇ ନେଉଥିବା ବେଳେ ଆହୁରି ବଳକା ଧାନ ଉଠାଇବାକୁ ଯୋଜନା କରି ରହିଛି। ଜିଲ୍ଲାରେ ଚାଷୀ ଶେଷ ବେଳକୁ ଅଭାବୀ ଧାନ ବିକ୍ରିର ଶିକାର ନହେବା ପାଇଁ ସରକାର ଭଦ୍ରକ ଜିଲ୍ଲା ପାଇଁ ଧାନ କିଣାର ଦ୍ବିତୀୟ ପର୍ଯ୍ୟାୟରେ କୋଟା ଫିକ୍ସ କରନ୍ତୁ ବୋଲି ଚାଷୀ ନେତାମାନେ ଦାବି ଉଠାଇଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସରକାର ଖରିଫ୍ ଧାନ ସଂଗ୍ରହ ପାଇଁ ସମୟ ଧାର୍ଯ୍ୟ କରିଥିବା ବେଳେ ଚଳିତ ଫେବ୍ରୁଆରୀ ମାସ ୨୫ ତାରିଖ ବେଳକୁ ସରକାର ୨୬ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ କରି ସାରିଥିବେ। ଅବଶିଷ୍ଟ ସମୟ ଅବଧି ମଧ୍ୟରେ ଆଉ ଅତିରିକ୍ତ କୋଟା ଧାନ ସଂଗ୍ରହ ପାଇଁ ସରକାର କଣ ଯୋଜନା ପ୍ରସ୍ତୁତ କରୁଛନ୍ତି। ତାକୁ ଭଦ୍ରକ ଜିଲ୍ଲାର ହଜାର ହଜାର ଚାଷୀ ଅପେକ୍ଷା କରି ରହିଛନ୍ତି। ସରକାର ବଳକା କୋଟା ଦେବ‌େ ନା ଚାଷୀ ଦଲାଲଙ୍କ ହାତକୁ ଧାନ ଟେକି ଦେବେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଭଦ୍ରକ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ ଓ ଚାଷୀ ନେତା ଦାବି ଉଠାଇଛନ୍ତି। କେବଳ ଧାନ ସଂଗ୍ରହ ପାଇଁ ଦାବି ଉଠି ନାହିଁ। ଯେଉଁ ଚାଷୀମାନେ ସରକାରୀ ମଣ୍ଡିରେ ଧାନ ଦେଇଛନ୍ତି। ସେମାନଙ୍କର ଧାନ ଟଙ୍କା ମଧ୍ୟ ଏବେ ସୁଦ୍ଧା ଚାଷୀଙ୍କୁ ମିଳି ପାରି ନାହିଁ। ଚାଷୀଙ୍କର ଧାନ ଟଙ୍କା ତୁରନ୍ତ ସରକାର ପ୍ରଦାନ କରିବା ଦିଗରେ ମଧ୍ୟ ପ୍ରୟାସ କରିବା ଉଚିତ।

ସମ୍ବନ୍ଧିତ ଖବର