କେନ୍ଦ୍ରାପଡ଼ା: କ୍ଷେତରେ ପାଚିଲା ଧାନ ଖିଲିଖିଲି ହେଇ ହସୁଛି। ଏବେ ଅମଳର ବେଳ। ଚାଷୀ ଧାନ କାଟିବାକୁ ପାଗ ଭିଡ଼ିଲା ବେଳକୁ ବାତ୍ୟାଜନିତ ବର୍ଷା ଭୟଙ୍କର ବିପଦ ଡାକି ଆଣିଛି। ଗୁରୁବାର ବିଳମ୍ବିତ ରାତିରୁ ଲାଗି ରହିଥିବା ଝିପଝିପ ବର୍ଷା। ଚାଷୀର ଶସ୍ୟଶ୍ୟାମଳା ଧାନ ଫସଲକୁ ଉଜାଡ଼ିଦେବା ଆଶଙ୍କା ସୃଷ୍ଟି କରିଛି। ଏଇଥିପାଇଁ ହଜାର ହଜାର ହେକ୍ଟର୍ ଜମିରେ ମୂଳ ନଇଁ ମାଟିରେ ଲୋଟିପଡ଼ିଥିବାରୁ ବର୍ଷା ଯୋଗୁ ପାଚିଲା ଧାନ କେଣ୍ଡା ପାଣିରେ ବୁଡ଼ିଛି। ନିଷ୍କାସନର ବାଟ ନାହିଁ। କ୍ଷେତ ନ ଶୁଖିଲେ ଚାଷୀ ଧାନ କାଟିପାରିବ ନାହିଁ। ମେସିନ୍ ବି କାଟିବା ପାଇଁ ଯିବା କଷ୍ଟକର ହୋଇପଡ଼ିବ। ଏଭଳି ସ୍ଥିତିରେ କ୍ଷେତରେ ଚାରି ପାଂଚ ଦିନ କାଳ ଯଦି ପାଣିରେ ଧାନ ବୁଡ଼ି ରହେ, ତେବେ ଖଳାକୁ ଆଉ ଫେରିବା ଆଶା କମ୍। ଧାନ ଗଜା ଅଥବା ଫିମ୍ଫି ମାରିଯିବ ବୋଲି କୃଷି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରୁଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଚଳିତ ବର୍ଷା ଜିଲ୍ଲାରେ ପାଖାପାଖି ଲକ୍ଷେ ୨୪ହଜାର ୬୦୦ ହେକ୍ଟର୍ ଜମିରେ ଧାନ ଫସଲ ହୋଇଛି। ଏଥର ପୁଣି ବିଗତବର୍ଷ ତୁଳନାରେ ବହୁତ ଭଲ ଧାନ ହୋଇଛି। ଆସନ୍ତା ୨୪ତାରିଖରୁ ମଣ୍ଡିରେ ଧାନ କିଣା ଆରମ୍ଭ ହେଇଥାନ୍ତା। ପ୍ରଶାସନ ଏ ସଂକ୍ରାନ୍ତରେ ସୂଚନା ଦେବା ପରେ କୃଷି ସେବା ସମବାୟ ସମିତି ଗୁଡ଼ିକରେ ମଣ୍ଡି ଖୋଲିବାକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି।
ଏଭଳି ସ୍ଥିତିରେ ‘ଜୱାଦ’ ଜନିତ ବର୍ଷା ଚାଷୀଙ୍କ ନିଦ ହଜାଇ ଦେଇଛି। କାରଣ ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ ପାଖାପାଖି ୯୦ପ୍ରତିଶତ ଅ˚ଚଳରୁ ଧାନ କଟା ହୋଇନାହିଁ। ଚାଷୀ ଧାନ କାଟିବା ପାଇଁ ସଜ ହେଲା ବେଳକୁ ବର୍ଷା ଦାଉ ସାଧିଛି। ଶୁକ୍ରବାର ରାତିରୁ ଆଜି ମଧ୍ୟାହ୍ନ ସୁଦ୍ଧା ଜିଲ୍ଲାରେ ମୋଟ୍ ୧୧୩ ମିମି ବର୍ଷା ରେକର୍ଡ କରାଯାଇଛି। ଖାଲୁଆ ଜମିରେ ବର୍ଷା ପାଣି ଜମି ରହିଥିବା ବେଳେ ଆଉ କେଉଁଠି ଧାନ କେଣ୍ଡା ପାଣିରେ ବୁଡ଼ି ରହିଛି। ଅମଳ ବେଳକୁ ପ୍ରକୃତିର ଏ ପ୍ରକାର କୋପ ଚାଷୀ ମୁହଁରୁ ବର୍ଷକର ଆହାର ଛଡ଼ାଇ ନେବା ପରିସ୍ଥିତି ସୃଷ୍ଟି କରିଛି। ବାତ୍ୟା ସତର୍କତାକୁ ନେଇ ପ୍ରଶାସନ ଯେବେ ଧାନ ଫସଲ ସୁରକ୍ଷିତ ସ୍ଥାନକୁ ଆଣିବାକୁ ଚାଷୀଙ୍କୁ କହିଲା, ସେତେବେଳକୁ ହାତରେ ସମୟ ନ ଥିଲା। ଧାନ କାଟିବା ପରେ ସଂଗେ ସଂଗେ ଉଠାଯାଇପାରିବ ନାହିଁ ା ଶୁଖିବା ପାଇଁ ଦୁଇ ତିନି ଦିନ ଦରକାର। ତେଣୁ ଚାଷୀ ଏତେ କମ୍ ସମୟ ଭିତରେ ଧାନ କାଟି ଖଳାକୁ ଆଣିବା ସମ୍ଭବ ନୁହେଁ ବୋଲି ଚାଷୀ ଜାଣିବା ପରେ ସବୁକିଛି ପ୍ରକୃତି ଉପରେ ଛାଡ଼ି ଦେଇଛି। ଜିଲ୍ଲା କୃଷି ଅଧିକାରୀ ଶିବପ୍ରସାଦ ମଲ୍ଲିକଙ୍କ କହିବାନୁସାରେ ଏ ବର୍ଷ ବହୁତ ଭଲ ଧାନ ଫସଲ ହୋଇଥିଲା। ଧାନ ପାଚି ସାରିଛି। ଏବେ କଟା ହେବାର ବେଳ। ଆଜି ଦିନତମାମ ଯେତିକି ବର୍ଷା ହେଇଛି, ତାହା ଚଳନୀୟ। ସେଥିରେ ବିଶେଷ କ୍ଷତି ହେବ ନାହିଁ। କିନ୍ତୁ ଆସନ୍ତାକାଲି ଯଦି ବର୍ଷା ଲାଗି ରହେ, ତାହେଲେ ଅବସ୍ଥା ଆହୁରି ସାଂଘାତିକ ହୋଇପଡ଼ିବ। କ୍ଷେତରେ ପାଣି ଜମି ରହିଲେ ପାଚିଲା ଧାନ ଉଜୁଡ଼ିଯିବାର ଯଥେଷ୍ଟ ସମ୍ଭାବନା ରହିବ। ଚାଷୀ କ୍ଷେତକୁ ଯାଇପାରିବ ନାହିଁ। ପାଗ ନ ହେଲା ଯାଏ ଧାନ କଟାଯିବା ମୁସ୍କିଲ୍।ତେଣୁ ପାଣି ଭିତରେ ଚାରି ପାଂଚ ଦିନ ଧାନ ବୁଡ଼ି ରହିଲେ ଗଜା ମାରିଯବା ଥୟ । ତେଣୁ ଆଉ ବର୍ଷା ନ ହେଉ ବୋଲି ଈଶ୍ବରକୁ ପ୍ରାର୍ଥନା କରିବା ଛଡ଼ା ଆମ ପାଖେ ଅନ୍ୟ କିଛି ଚାରା ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ା