କାଳ ସାଜିଛି ଅକାଳ ବର୍ଷା: ଚାଷୀ ଉଚ୍ଛନ୍ନ, ପଚୁଛି ଧାନ, ପରିବା ଫସଲ

ଆଳି: ଗତ ୩ ଦିନର ଅଦିନିଆ ଲଗାଣ ବର୍ଷା ପୁଣିଥରେ ଚାଷୀ ପାଇଁ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି। ଗତ ଡିସେମ୍ବର ପ୍ରଥମ ସପ୍ତାହର ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ କିଆରୀରେ ପାଣି ପଶି  ଧାନ ଫସଲକୁ ଛିନଭିନ କରି ଦେଇଥିଲା। ବିରି ଓ ପନିପରିବା ଫସଲକୁ ଉଜାଡି ନେଇଥିଲା। ପାଚିଲା ଧାନ ବିଲରେ ପାଣିଜମି ରହି ବ୍ୟାପକ ଫସଲ ନଷ୍ଟ କରିଥିଲା। କାଁଭାଁ ଯାହା ବି ଧାନ ଥିଲା ଚାଷୀ ମାସାଧିକ କାଳ ପାଣି ଶୁଖିବାକୁ ଅପେକ୍ଷା କରି ଏବେ ଫସଲ ଅମଳ କରୁଥିଲା। ଗତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନେ ଜମିରୁ ଧାନ ଛାଣି କାଟି ବିଲରେ ଓ ଖଳାରେ ଗଦେଇଥିବା ବେଳେ ପୁଣି ଆରମ୍ଭ ହୋଇଯାଇଛି ବର୍ଷା।
ଆଳି ବ୍ଲକ ୩୪ ପଞ୍ଚାୟତର ୬ ହଜାର ହେକ୍ଟର ଜମିର ଧାନ ଓ ୨ ହଜାର ହେକ୍ଟର ଜମିର ବିରି ଓ ପନିପରିବା ଫସଲ କ୍ଷେତରେ ସମୂଳେ ଉଜୁଡୁଛି। ପତ୍ରପୁର ପଞ୍ଚାୟତ ବିଲିକଣାର ଚାଷୀ ଗତ ଲଗାଣ ବର୍ଷାରେ ପରିବା ସହିତ ବିରି ଫସଲ ହରାଇବା ପରେ ପୁଣିଥରେ ନୂଆ ପରିବା ମଞ୍ଜି ଲଗାଇଥିଲେ। ପୁଣି ଥରେ ଏ ଲଗାଣବର୍ଷା ଆମ ଉପରେ ଦାଉ ସାଜିଲା। ଏମିତି ସମୟରେ ଆମେ କଣ କରିବୁ, କରଜ କେମିତି ଶୁଝିବୁ ବୋଲି କୋହଭରା କଣ୍ଠରେ କହିଛନ୍ତି ବିଲିକଣାର ଚାଷୀ କୈବଲ୍ୟ ମଲିକ, ଘନଶ୍ୟାମ ମଲିକ, ଉଦକର ମଲିକ, କେଳୁ ମଲିକ, କୈଳାସମଲିକ, ସୌଭାଗ୍ୟ ତରାଇ, ନାରାୟଣ ମଲିକ, ପ୍ରଭାକର ମଲିକ ପ୍ରମୁଖ। ସେହିପରି ପତ୍ରପୁରର କ୍ଷତିଗ୍ରସ୍ତ ଧାନଚାଷୀ ବିନୋଦ ପରିଡା, କାଶୀନାଥ ବେହେରା, ବ୍ରହ୍ମାନନ୍ଦ ସାହୁ, ରାମଚନ୍ଦ୍ର ନାଥ, କପିଳ ପରିଡା, ପ୍ରହଲ୍ଲାଦ ମଲିକ, ଯଦୁମଣି ନାୟକ, ଗଣେଶଶ୍ବର ମହାନ୍ତି, ହରେକୃଷ୍ଣ ଦାସ, ଧରଣୀଧର ଗିରି, ଗଜେନ୍ଦ୍ର ମଲିକ, ମାନସ ସାହୁ, ସୋମନାଥ ମଲିକ, ସନ୍ୟାସୀ ବାରିକ, ରାଜୀବ ରାଉଳ, ସୁଶାନ୍ତ ଦାସ ପ୍ରମୁଖ ଜମିର ଫସଲ ହରାଇ ମୁଣ୍ଡରେ ହାତଦେଇ ବସିଛନ୍ତି।
ଗରଦପୁର: ସାମୁଦ୍ରିକ ଝଡ ‘ଜୱାଦ’ କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କୁ ମିଳି ପାରି ନାହିଁ। ପୁଣି ଅଦିନିଆ ବର୍ଷା ଚାଷୀକୁଳ ପାଇଁ ସମସ୍ୟା ବଢାଇ ଦେଇଛି। ଗତକାଲି ଓ ଆଜି ଅଂଚଳରେ ମେଘୁଆ ପାଗ ଲାଗି ରହିବା ସହିତ ଦିନ ସାରା ଝିପିଝିପି ବର୍ଷା ହୋଇଥିଲା। ଏବେ ରବି ଫସଲ ଭାବରେ ମୁଗ ବୁଣା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଜମିରେ ବିରି ଛୁଇଁ ପାଚିଯାଇଛି।

କେତେକ ଚାଷୀମାନେ ବର୍ଷା ଭୟରେ ଜମିରୁ ବିରି ଉପାଡି ଘରକୁ ଆଣି ଅତି ତରବର ସହକାରେ ଅମଳ କରୁଥିବା ଦେଖାଯାଇଛି। ଏବେ ଅଧିକାଂଶ ଜମିରେ ବିରି ଅମଳ ହେବା ପରିସ୍ଥିତିକୁ ଆସିଥିବାବେଳେ ଅଳ୍ପ କେତେକ ସ୍ଥାନରେ ବିରି ଗଛରେ ଛୁଇଁ ପାଚିବା ଅବସ୍ଥାକୁ ଆସିଯାଇଛି। ମାତ୍ର ଅମଳ ହୋଇ ପାରି ନାହିଁ। ସେହିପରି ଚିତ୍ରୋତ୍ପଳା ନଦୀପଠା ଜମି ଓ କୂଳପାଳ ଜମିମାନଙ୍କରେ ଚିନାବାଦାମ, ରାଶି, ଆଳୁ, ପିଆଜ, କୋବି, ମୂଳା, କଲାରା, ଶାଗ ଆଦି ବିଭିନ୍ନ ପନିପରିବା ଚାଷ କ୍ଷେତରେ ହସୁଛି। ଅଧିକ ଦିନ କୋହଲା ପାଗ ଲାଗିରହିଲେ ଓ ବର୍ଷା ହେଲେ ଚିନାବାଦାମ, ବିରି, ମୁଗ ଓ ପନିପରିବା ଗଛରେ ରୋଗ ପୋକ ଲାଗିବାର ଅଧିକାଂଶ ଚାଷୀ ଆଶଙ୍କା ପ୍ରକାଶ କରୁଛି। ନଦୀପଠାମାନଙ୍କରେ ହୋଇଥିବା ଅଳ୍ପ କେତେକ ସ୍ଥାନରେ ପନିପରିବା ଅମଳ ଆରମ୍ଭ ହୋଇଥିବାବେଳେ ବର୍ଷା ହେଲେ ସେ ସବୁ ନଷ୍ଟ ହୋଇଯିବ ବୋଲି ଚାଷୀ ମୁଣ୍ତରେ ହାତ ଦେଇ ଦେଲାଣି।
ପଟ୍ଟାମୁଣ୍ତାଇ: ଆଜି ସକାଳୁ ପୁଣି ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ଷା ଲାଗି ରହିଛି। କ୍ରମାଗତ ଦୁଇଦିନ ଧରି ବର୍ଷା ଚାଷୀକୁଳକୁ ଉଚ୍ଛନ୍ନ କରିପକାଇଛି। ଲଘୁଚାପଜନିତ ଅଦିନିଆ ବର୍ଷା ଯୋଗୁଁ ଧାନ ଓ ପନପରିବା ଫସଲ ସମୂଳେ ନଷ୍ଟ ହୋଇଯାଇଛି। ପଟ୍ଟାମୁଣ୍ତାଇ ବ୍ଲକର ଧାନ ଅମାର କୁହାଯାଉଥିବା ଉତିକଣ ଅଚଂଳର ସଂସାରଫଳ, ଖଣତା, ବିଲିକଣା ,ଓଉପଦା, ଚନ୍ଦନନଗର, ଦୋଷିଆ, ଖଡିଅଂଟା, ବଡପଡା, ବଡମୋହନପୁର, ସାନଜରିଆ, ଦିହୁଡିପୁର, କଖାରୁଣୀ, ସାନଜରିଆ, ଅରଡପଲ୍ଲୀ, ଗଙ୍ଗାରାମପୁର ସମେତ ଡିହାପଡା, ନରସିଂହପୁର, ବଡମୂଳବସନ୍ତ ଓ ଧୋୟାଚଂଳରେ ଥିବା ଅଣ୍ଢରା, ଅମୃତମଣୋହି, ବଲୁରିଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଳପୁଆ, ନୀଳକଣ୍ଠପୁର, ବାଲିପାଟଣା, ବାଛରା , ଶାସନ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଆଦି ପଚାଂୟତରେ ବ୍ୟାପକ ଧାନ ଓ ପନିପରିବା ଫସଲହାନୀ ଘଟିଛି। ସେହିପରି ପଟ୍ଟାମୁଣ୍ତାଇ ପୌରାଚଂଳର ବାଲିପଡା, କଷଣଅଂଟା, ତଳବାଲିପଡା, ବଳଦେବନଗର, ସିଦ୍ଧପାଟଣା, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ପୋଖରୀଆପଡା, ବେଲତଳ, ଦକ୍ଷିଣଦିଆ, ମାଟିଆ, ନୂଆଗାଁ, କାକୁଡୁପଲ୍ଲୀ, ବକ୍ତାରପୁର, ଅଳଭା ଆଦି ଅଚଂଳରେ ମଧ୍ୟ ବ୍ୟାପକ ଧାନ ଓ ପନିପରିବା ଫସଲ ହାନୀ ଘଟିଛି। ଏଭଳି ସ୍ଥିତିରେ ଚାଷୀମାନେ ନିଜର ତେଲଲୁଣ ସଂସାର ଚଳାଇବା ନେଇ ଚିନ୍ତିତ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର