ଭଞ୍ଜନଗର: ବର୍ଷ ସାରା ହାଡ ଭଙ୍ଗା ପରିଶ୍ରମ କରି କ୍ଷେତରେ ସୁନାର ଫସଲ ଫଳାଇଛନ୍ତି। ବର୍ତ୍ତମାନ ଆସନ୍ନ ବାତ୍ୟର ପ୍ରଭାବରେ ହେବାକୁ ଥିବା ବର୍ଷାର ସୂଚନା ପରେ ଚାଷୀକୁ ଚିନ୍ତା ଘାରିଛି। ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ରାଜ୍ୟ ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। କିନ୍ତୁ ବାତ୍ୟାର ବାହ୍ୟବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୧୦ ତାରିଖରେ ଏହି ସବୁ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ଧାନ ଫସଲ ଅମଳ ସମୟ ହୋଇଥିବାରୁ ବର୍ଷା ଫଳରେ ଧାନ ଓ ପନି ପରିବା ଫସଲ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଅନେକ କ୍ଷେତରେ ଫସଲ ପାଚି ସାରିଥିବା ବେଳେ ଭଞ୍ଜନଗର କୃଷି ଜିଲ୍ଲା ଅଧିନରେ ପ୍ରାୟ ୩୦ ରୁ ୪୦ ପ୍ରତିଶତ ଧାନ କଟା ହୋଇଛି। ଅମଳ ଫସଲକୁ ସୁରକ୍ଷିତ ରଖିବା ପାଇଁ ଚାଷୀ ମହଲରେ ଭାଳେଣୀ ପଡିଛି। ଭଞ୍ଜନଗର କୃଷି ଜିଲ୍ଲା ଅଧିନ ଭଞ୍ଜନଗର, ବୁଗୁଡା, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଳକର ହଜାର ହଜାର ହେକ୍ଟର ଚାଷ ଜମିରେ ବର୍ତ୍ତମାନ ସୁନାର ଫସଲ ଲହଡି ମାରୁଛି।
/sambad/media/post_attachments/wp-content/uploads/2022/12/FjSImaYUoAA4eZ4-୧.jpg)
ବର୍ତ୍ତମାନ ତାକୁ ସୁରକ୍ଷିତ ରଖିବା ପାଇଁ ତରବରିଆ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରୟାଶ ଆରମ୍ଭ କରିଛି। ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀ ମାନେ ବିଭିନ୍ନ ଜରିଆରେ ସଚେତନ କରାଯାଉଥିବା ବେଳେ ଚାଷୀ ମାନେ କାଟିଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସ୍ଥାନର ଅଭାବ ଦେଖା ଦେଇଛି। କିଛି ହାତଗଣତି ଚାଷୀ କଟା ଧାନକୁ ଅମଳ କରି ଅଖାରେ ଭରି ସୁରକ୍ଷିତ ସ୍ଥାନକୁ ନେଇ ପାରୁଥିବା ବେଳେ କିଛି ଚାଷୀ ଜମିରେ କିମ୍ବା ଖଳାକୁ ନେଇ ସେଠାରେ ବେଙ୍ଗଳା କରି ପଲିଥିନ ଢାଙ୍କିବା ବ୍ୟବସ୍ଥା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ନିଜର କଷ୍ଟାର୍ଜିତ ଫସଲକୁ ସୁରକ୍ଷିତ ରଖିବାକୁ ଚାଷୀ ମହଲରେ ଏକ ପ୍ରକାର ସଂର୍ଘଷ ଚାଲିଥିବା ତୃଣମୂଳ ସ୍ତରରେ ଦେଖିବାକୁ ମିଳୁଛି। ଧାନ ମଳା ଯନ୍ତ୍ର ଆଣି ଜମି ନିକଟରେ ହିଁ ଧାନ ଅମଳ କରୁଥିବା ସହ ନିଜସ୍ବ ଉଦ୍ୟମରେ ଚାଷୀ ମାନେ ସେମାନଙ୍କ ଫସଲ ସ୍ଥାନାନ୍ତର କରି ସୁରକ୍ଷିତ ରଖୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବହୁ ଜମିରେ ବର୍ତ୍ତମାନ ଫସଲ ପାଚିନଥିବାରୁ ତାହା ବଡ ବର୍ଷାରେ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି। ଯାହାକି ବର୍ଷ ତମାମର ସମସ୍ତ ପରିଶ୍ରମକୁ ବୃଥା କରିଦେବ। ବର୍ଷ ଦାଉରୁ କ୍ଷେତରେ ଠିଆ ହୋଇଥିବା ଧାନ ସୁରକ୍ଷିତ ରଖିବା ପାଇଁ କିଛି ବକଳ୍ପ ବ୍ୟବସ୍ଥା ନଥିବାରୁ ସେହି ଚାଷୀ ମାନଙ୍କ ଉପରେ ଏହି ବର୍ଷା ଦାଉ ସାଧିବ ବୋଲି କିଛି ଚାଷୀ ପ୍ରକାଶ କରିଛନ୍ତି।