କଟକରେ ୫୩ ହଜାର ହେକ୍ଟର୍‌ ଜମିରେ ଉଜୁଡ଼ିଲା ଧାନ, ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା କୃଷି ବିଭାଗ

କଟକ: କଟକ ଜିଲ୍ଲାରେ ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ୫୩ ହଜାର ୪୫୧ ହେକ୍ଟର୍‌ ଚାଷ ଜମିରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ପ୍ରାଥମିକ ଆକଳନ ରିପୋର୍ଟରେ ଦର୍ଶାଇଛି। ସେହିପରି ଉଦ୍ୟାନକୃଷି ବିଭାଗ ପକ୍ଷରୁ ଜିଲ୍ଲାରେ କେତେ କ’ଣ କ୍ଷୟକ୍ଷତି ହୋଇଛି ‌ତା’ର ରିପୋର୍ଟ ପ୍ରସ୍ତୁତ ହୋଇ ନଥିବା ଜଣାପଡ଼ିଛି। ଏପରିକି ଉଦ୍ୟାନ ବିଭାଗରେ କ’ଣ କ୍ଷୟକ୍ଷତି ହୋଇଛି ତା’ର ଫଟୋ ଓ ଅଭିଯୋଗ କ୍ଷେତ୍ର ସ୍ତରରୁ ପହଞ୍ଚି ନଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
କୃଷି ବିଭାଗ ରିପୋର୍ଟ ଅନୁସାରେ ଖରିଫ୍‌ ଋତୁରେ କଟକ ଜିଲ୍ଲାରେ ୧ଲକ୍ଷ ୩୩ ହଜାର ୬୪୫ ହେକ୍ଟର୍‌ ଚାଷ ଜମିରେ ଧାନ ଫସଲ କରାଯାଇଛି। ସେଥିରୁ ମାତ୍ର ୨୯ହଜାର ହେକ୍ଟର୍‌ ଚାଷଜମିରୁ ଧାନ ଅମଳ କରାଯାଇଥିବା ବେଳେ ବାକି ୧ଲକ୍ଷ ୪ ହଜାର ୨୫୧ହେକ୍ଟର୍‌ ଚାଷଜମିରୁ ଧାନ ଅମଳ ହୋଇପାରିନି।

ବର୍ଷାରେ ସାଲେପୁର ବ୍ଲକ୍‌ରେ ସର୍ବାଧିକ ୧୨ହଜାର ୩୫୦ ହେକ୍ଟର୍‌ ଚାଷଜମିରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଙ୍କୀରେ ସବୁଠାରୁ କମ୍‌ ଅର୍ଥାତ୍‌ ୩୦୦ ହେକ୍ଟର୍‌ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନ ତଥ୍ୟରେ ଦର୍ଶାଯାଇଛି। ସେହିପରି କଟକ ସଦର ବ୍ଲକ୍‌ରେ ୭୦୬୦ ହେକ୍ଟର୍‌, ବାରଙ୍ଗରେ ୫୨୫ହେକ୍ଟର୍‌, କଣ୍ଟାପଡ଼ାରେ ୩୯୧୨, ନିଆଳିରେ ୩୭୪୦, ନିଶ୍ଚିନ୍ତକୋଇଲିରେ ୯୫୬୦, ମାହାଙ୍ଗାରେ ୨୧୩୬, ଟାଙ୍ଗୀ-ଚୌଦ୍ବାରରେ ୩୩୯୫, ଆଠଗଡ଼ରେ ୫୦୦, ତିଗିରିଆରେ ୩୩୫, ବଡ଼ମ୍ବାରେ ୯୫୦, ନରସିଂହପୁରରେ ୮୩୧୩, ଡମପଡ଼ାରେ ୩୭୫ ହେକ୍ଟର୍‌ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଛି।

ସମ୍ବନ୍ଧିତ ଖବର