ନରସିଂହପୁର: ବନ୍ୟାରେ ନରସିଂହପୁର ବ୍ଲକ୍‌ର ହେକ୍ଟର୍‌ ହେକ୍ଟର୍‌ ଚାଷଜମି ଏବେ ବି ପାଣିରେ ବୁଡ଼ି ରହିଛି। ଫଳରେ ଧାନ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ରୂପେ ଉଜୁଡ଼ି ଯାଇଥିବା ଚାଷୀମାନେ ସୂଚନା ଦେଇଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ କୃଷିଋଣ ଛାଡ଼ ସହ କ୍ଷତିପୂରଣ ପ୍ରଦାନ କରିବାକୁ ଅଞ୍ଚଳର କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି। ନରସିଂହପୁର ବ୍ଲକ୍‌ର ବାଲିଝରି, ଶ୍ୟାମସୁନ୍ଦରପୁର, କୁରାଞ୍ଜ, ବାସେଳିହତା, କଅଁରପୁର, ହରିପୁର, ଋଷିପଡ଼ା, କାନପୁର, ମାନପୁର, ତାମେରା, ନୂଆ କାଞ୍ଜିଆପଦା, ପୁରୁଣା କାଞ୍ଜିଆପଦା, ପଦାମାଳ, ଏକଡାଳ, ଧନୀପୁର, କାକୁଡ଼ିଆ, ଘୋରାଡ଼ିଆ, ବସନ୍ତପୁର, ପଦାମାଳ, ପାଇକବାରବାଟୀ, ଚଷାବାରବାଟୀ, ନୂଆପାଟଣା, ଡିମିରିଆ, ଓଡ଼ସିଙ୍ଗା, ସାନଗାଁ, ମନ୍ଦାଣିଆଁ, ଦଲକ, ଗଣଗଣା, ପଞ୍ଚମା ସମେତ ଅନେକ ଗାଁର ଚାଷଜମି ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଛି। ୧୮ଟି ପଞ୍ଚାୟତ ତଥା ୨୩ଟି ଗ୍ରାମର ୨୮ହଜାର ୭୬୩ଜଣ ବ୍ୟକ୍ତି ବନ୍ୟାପାଣି ଘେରରେ ରହିଥିଲା ବେଳେ ୫ ହଜାର ହେକ୍ଟର୍‌ରୁ ଅଧିକ ଧାନ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଅନ୍ୟପଟେ, ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି।

Advertisment

ବନ୍ୟା ଯୋଗୁଁ ଲୋକଙ୍କ ଜୀବନଜୀବିକା ଏକରକମ ଠପ୍‌ ହୋଇଯାଇଛି। ଗ୍ରାମାଞ୍ଚଳରେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିବା ଲୋକମାନେ ଫସଲ କ୍ଷୟକ୍ଷତି ଯୋଗୁଁ ହତାଶ ହୋଇଯାଇଛନ୍ତି। ବର୍ଷା ଦିନରେ ହେଉଥିବା ବାଇଗଣ, ଜହ୍ନି, ଭେଣ୍ଡି, ଝୁଡ଼ଙ୍ଗ, କାଙ୍କଡ଼, କଲରା, କାକୁଡ଼ି, ଲଙ୍କା, କୋବି ଆଦି ପନିପରିବା ସହ ମୁଗ, ବିରି, କୋଳଥ, କାଉଚି, ହରଡ଼ ଆଦି ଡାଲି ଜାତୀୟ ଫସଲ ଓ ଧାନ ଫସଲକୁ ବନ୍ୟାଜଳ ଛଡ଼ାଇ ନେଇଛି। ଏବେ ଚାଷୀମାନେ ଧାରକରଜ କିପରି ଶୁଝିବେ ଏବଂ ବର୍ଷସାରା କିପରି ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତାରେ ରହିଛନ୍ତି। ସେହିପରି ବନ୍ୟାଜଳରେ ଜମି ବୁଡ଼ି ରହିଥିବାରୁ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା କାଠିକର ହୋଇପଡ଼ିଛି। ବନ୍ୟା କ୍ଷତିଗ୍ରସ୍ତ କୃଷକମାନଙ୍କୁ ସରକାର ତୁରନ୍ତ ସହାୟତା ଯୋଗାଇ ଦେବା ସହ କୃଷିଋଣ ଛାଡ଼ କରିବାକୁ ନରସିଂହପୁର କୃଷକ ସଂଗଠନ ପକ୍ଷରୁ ସଭାପତି ସନାତନ ସ୍ୱାଇଁ ଦାବି କରିଛନ୍ତି।