ୟୁରିଆ ପାଇଁ ଚାଷୀଙ୍କ ସହ ଖେଳ: ଜମି ଅଧିକା ରହିଥିଲେ ହେଁ, ଆଧାରକାର୍ଡ ପିଛା ମିଳୁଛି ୨ବସ୍ତା

ଜୟପୁର: ସମ୍ପ୍ରତି ଚାଷୀଙ୍କ ସହ ଚାଳିଛି ଖେଳ। ୟୁରିଆ ସାରକୁ ନେଇ ଚାଳିଛି ବ୍ୟାପକ ଦୁର୍ନିତୀ। ଚାଷୀ ଯେତେ ଏକର, ହେକ୍ଟର ଜମି ଚାଷ କରୁଥିଲେ ସୁଦ୍ଧା ଆଧାରକାର୍ଡ ପିଛା ମିଳୁଛି ୨ବସ୍ତା ୟୁରିଆ। ତାହା ପୁଣି ଭୋରରୁ ଆସି ଚାଷୀ ମାନେ ଆରସିଏମଏସ୍, ଲ୍ୟାମ୍ପ ଓ ଡିଲରଙ୍କ ନିକଟରେ ଲମ୍ବା ଲାଇନ୍ ଲଗାଇ ଅପେକ୍ଷା କରିବାକୁ ପଡ଼ୁଛି। ଯଦିଓ ଏହାରି ମଧ୍ୟରେ ୩ଟନ ୟୁରିଆ ଜିଲ୍ଲାକୁ ଆସିଥିଲେ ହେଁ ବଣ୍ଟନ ବ୍ୟବସ୍ଥାକୁ ନେଇ ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ଚାଷୀଙ୍କୁ ଆଧାରକାର୍ଡ ନେଇକି ଗଲେ ୟୁରିଆ ସାର୍ ମିଳିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବିତରଣ ଓ ବିକ୍ରୟ ଏଜେନସୀ ଗୁଡିକ ଜମିର ପରିମାଣ ବଦଳରେ ଆଧାରକାର୍ଡର ଜେରକ୍ସ ରଖିବା ସହ ଗୋଟିଏ ଆଧାରକାର୍ଡ ବାବଦକୁ ୨ଟି ୟୁରିଆ ବସ୍ତା ଦେଉଛନ୍ତି। ତେବେ ଅଧିକା ଜମି ଚାଷ କରୁଥିବା ଚାଷୀମାନେ ଏହି ସ୍ଥିତିରେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଉମୁରୀର ବଇଦ ବାଗଦେରିଆ। ବାରମ୍ବାର ସାର୍ ପାଇଁ ଆସି ଦିନ ତମାମ ଜଗି ରହିବୁ କି ବୋଲି ପ୍ରଶ୍ନ କରିଛନ୍ତି। ଯଦି ଏକାସହ ସବୁ ଜମି ପାଇଁ ସାର୍ ନେବାର ଅଛି ତେବେ କେତେ ଜମିରେ ଚାଷ କରୁଛନ୍ତି ତାହାକୁ ପ୍ରମାଣିତ କରିବା ପାଇଁ ଆରଆଇଙ୍କ ନିକଟରେ ଲେଖାଇ ସେହି କାଗଜକୁ ନିଜ ପଞ୍ଚାୟତର କୃଷି ଭିଏଲଡବ୍ଲୁ, ବ୍ଲକ ସହକାରୀ କୃଷି ଅଧିକାରୀଙ୍କ ଅନୁମୋଦନ କରିବା ପରେ ସେହି ଚିଠିକୁ ଡିଲର କିମ୍ବା ସାର ବିକ୍ରୟ ସଂସ୍ଥାକୁ ଦେଲେ ଅଧିକା ସାର୍ ଦେଉଥିବା କହିଛନ୍ତି ଚାଷୀ ଅମର ନାୟକ।

ଅପରପକ୍ଷରେ କିଛି ଦଲାଲ ଏବେ ଜାଗ୍ରତ ହେବା ସହ ପ୍ରତ୍ୟେକ ଦିନ କିଛି ମଜୁରିଆଙ୍କୁ ଏହି କାମରେ ନିୟୋଜିତ କରୁଛନ୍ତି। ଏମାନେ ସକାଳ ପାଇବା ମାତ୍ରକେ ଚାଷୀଙ୍କ ସହ ମିଶି ଲାଇନରେ ଲାଗି ଆଧାର କାର୍ଡ ଦେଇ ୨ବସ୍ତା ସାରର ରସିଦ ପାଉଛନ୍ତି। ବସ୍ତା ପିଛା ୧୦୦ଟଙ୍କା ହିସାବରେ ୨ବସ୍ତାକୁ ୨ଶହ ଟଙ୍କା ଏହି ମଜୁରିଆଙ୍କୁ ଦଲାଲ ମାନେ ଦେଇ ରସିଦ ସଂଗ୍ରହ କରୁଛନ୍ତି। ଜମା ରସିଦକୁ ଏକା ସହ ବିକ୍ରୟ ସଂସ୍ଥାକୁ ଦେଇ ସେଠାରୁ ୟୁରିଆ ଜମା କରି ପଡୋଶୀ ନବରଙ୍ଗପୁର ଜିଲ୍ଲାକୁ ଚାଳାଣ କରିବା ସହ ସେଠାରେ ମକା ଚାଷୀଙ୍କୁ ୭୦୦ଟଙ୍କାରେ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ନିର୍ମାଣ କୃଷକ ସଂଘର ନରେନ୍ଦ୍ର ପ୍ରଧାନ, ମନୋଜ ପାତ୍ର। ଜିଲ୍ଲାପାଇଁ ଆସୁଥିବା ସାର୍ ଏଭଳି ବାଟ ମାରଣା କରାଯାଉଥିବା ବେଳେ କିଭଳି ସବୁ ଚାଷୀ ସୁବନିମିୟରେ କିଭଳି ୟୁରିଆ ପାଇ ପାରିବେ ସେ ଦିଗରେ କୃଷି ବିଭାଗର ଅଧିକାରୀ ମାନଙ୍କର ଆନ୍ତରିକତା ନାହିଁ ବୋଲି ଜିଲ୍ଲା ନିର୍ମାଣ କୃଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୟୁରିଆ ସାର୍ ଜିଲ୍ଲାକୁ ଆସିବା ଠାରୁ ଚାଷୀଙ୍କ ବିତରଣ ପର୍ଯ୍ୟନ୍ତ ରହିଥିବା ସବୁ ପ୍ରକ୍ରିୟାକୁ ଯାଞ୍ଚ କଲେ ଏଥିରେ ରହିଥିବା ଦୁର୍ନିତୀର ପର୍ଦ୍ଧାପାସ ହେବ ବୋଲି ଜିଲ୍ଲା ନିର୍ମାଣ କୃଷକ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର