ଚିନ୍ତାରେ ଧାନ ଚାଷୀ, ଚରିଗଲେଣି ମାଟିଆ ଗୁଣ୍ତି ପୋକ

କେନ୍ଦ୍ରାପଡ଼ା: ପ୍ରଥମେ ବିହନକୁ ନେଇ ସମସ୍ୟାରେ ପଡ଼ିଲେ। ମନ ପସନ୍ଦର ବିହନ ମିଳିଲା ନାହିଁ। ବଜାରରୁ ଚଢ଼ା ଦରରେ ବିହନ କିଣି ଧାନ ଚାଷ କଲେ ଚାଷୀ। ହେଲେ ଏବେ ଧାନ ଗଛରେ ଥୋଡ଼ ବାହାରିଲା  ମାଟିଆ ଗୁଣ୍ତି ପୋକ ଉତ୍ପାତ୍‌ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଲାଣି। ଏହି ପୋକ ଧାନ ଗଛରେ ଏମିତି ଚରି ଯାଉଛନ୍ତି ଯେ ଆଉ ଥୋଡ଼ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି। ଗଛ ପୂରା ଶୁଷ୍କ ଓ ଦୁର୍ବଳ ହୋଇପଡ଼ୁଛି। ଗୋଟିଏପଟେ ମାଟିଆଗୁଣ୍ତି ପୋକ ତ’ ଅନ୍ୟପଟେ ପାଣି ଅଭାବରୁ ଜମି ଫାଟି ଆଁ କରିବା ଘଟଣା ଚାଷୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଦେଲାଣି। ପାଣି ଯୋଗାଣ ପାଇଁ ଉଠା ଜଳସେଚନ ପ୍ରକଳ୍ପ ଥିଲେ ବି ତାହା ଅନେକ ଜାଗାରେ ଅଚଳ। ଭଡ଼ାରେ ମଟର ପମ୍ପ୍‌ ଆଣି ଚାଷ ଜମିରେ ପାଣି ମଡ଼ାଇବା ଚାଷୀ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଥିବାରୁ ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ କାହା ପାଇଁ ବୋଲି ପ୍ରଶ୍ନ ଉଠିଲାଣି। କେନ୍ଦ୍ରାପଡ଼ା ହେଉଛି ଏକ କୃଷି ପ୍ରଧାନ ଜିଲ୍ଲା। ଧାନ ଏଠିକାର ମୁଖ୍ୟ ଚାଷ। ଚାଷୀ ଧାନ ଫସଲ କରି ବର୍ଷକର ଆହାର ସ˚ଚୟ କରିବା ସହିତ ଯାହା ବଳେ ତାହାକୁ ବିକ୍ରି କରି ଲାଭବାନ୍‌ ହୋଇଥାଏ। କିନ୍ତୁ ବଡ଼ ସମସ୍ୟା ହେଉଛି ପ୍ରାକୃତିକ ଦୁର୍ବିପାକ। ଅନେକ ସମୟରେ ବନ୍ୟା ଅଥବା ବାତ୍ୟା ଦାଉ କାରଣରୁ ଜିଲ୍ଲାର ହଜାର ହଜାର ହେକ୍ଟର‌୍‌ ଧାନ ଫସଲ ଉଜୁଡ଼ି ଯାଏ। ଅତୀତରେ ଏହାର ଅନେକ ଦୃଷ୍ଟାନ୍ତ ରହିଛି। ଏଥର କିନ୍ତୁ ପ୍ରାକୃତିକ ଦୁର୍ବିପାକଠୁ ବଳିଗଲାଣି ପାଣି ସମସ୍ୟା। ଚାଷ ଜମିରେ ପାଣି ନାହିଁ। ଅନେକ ସ୍ଥାନରେ କ୍ଷେତ ଫାଟି ଆଁ କରିଥିବା ବେଳେ ମାଟିଆ ଗୁଣ୍ତି ପୋକ ଧାନ ଗଛକୁ ଚରିଗଲେଣି। ଗଛରୁ ଥୋଡ଼ ବାହାରିଲା ବେଳେ ପୋକ ଉତ୍ପାତ୍‌ ଚାଷୀ ନିଦ ହଜାଇ ଦେଲାଣି। ଜିଲ୍ଲା କୃଷି ବିଭାଗର ତଥ୍ୟ କହୁଛି ଚଳିତ ବର୍ଷ ୧ଲକ୍ଷ ୨୪ହଜାର ୬୦୦ହେକ୍ଟର‌୍‌ ଜମିରେ ଧାନ ଚାଷ ହୋଇଛି। ହେଲେ ଏଥର ଧାନ ଚାଷକୁ ନେଇ ଯେଭଳି ସମସ୍ୟାରେ ଚାଷୀ ଘାଣ୍ଟି ହେଉଛି, ତାହାକୁ ନା ସହିପାରୁଛି ନା କହିପାରୁଛି। ଉଦାହରଣ ଭାବେ ମହାକାଳପନା ବ୍ଲକ୍‌ ଗୟାସପୁର ଗାଁକୁ ନିଆଯାଉ। ଏହି ଗାଁରେ ହଳିଦୀବସନ୍ତ-୧ ଓ ୨ ନାଁରେ ଦୁଇଟି ଉଠାଜଳସେଚନ ପ୍ରକଳ୍ପ ରହିଛି।

ଏହି ପ୍ରକଳ୍ପ ଜରିଆରେ ହିଁ ଚାଷ ଜମିକୁ ପାଣି ମଡ଼ାଯାଏ। କିନ୍ତୁ ଏଥର ହଳଦୀବସନ୍ତ ପ୍ରକଳ୍ପ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମଳ ଅଚଳ ହୋଇଯାଇଥିବାରୁ ତାହା ଚାଲି ପାରୁନାହିଁ। ଦୁଇ ନମ୍ବର ପ୍ରକଳ୍ପର ବି ଅନୁରୂପ ଅବସ୍ଥା। ଖୁଣ୍ଟରୁ ଶଙ୍ଖ ଫାଟି ଯାଇଥିବାରୁ ବିଦ୍ୟୁତ୍‌ ଯୋଗାଣ ହେଇପାରୁନାହିଁ। ତେଣୁ ଦୁଇଟି ଯାକ ପ୍ରକଳ୍ପ ବନ୍ଦ ଥିବାରୁ ଉଭୟ ପ୍ରକଳ୍ପ ଅଧୀନରେ ଥିବା ପାକାପାଖି ୪୦୦ହେକ୍ଟର‌୍‌ ଚାଷ ଜମି ଫାଟି ଆଁ କରିଛି। ଏହା ସା˚ଗକୁ ମାଟିଆ ଗୁଣ୍ତି ପୋକର ପ୍ରାଦୁର୍ଭାବ ଧାନ ଫସଲକୁ ଉଜାଡ଼ି ଦେବାକୁ ବସିଛି। ଚାଷୀ ମାନେ ଭଡ଼ାରେ ମଟର ପମ୍ପ୍‌ ଆଣି ବିଲରେ ପାଣି ମଡ଼ାଉଥିବା ଦେଖିବାକୁ ମିଳିଛି। କିନ୍ତୁ ପାଣି ସିନା ମଡ଼ାଇ ଦେଉଛନ୍ତି, ହେଲେ ପୋକ ମାରିବା ପାଇଁ କୌଣସି ବିଳଳ୍ପ ବ୍ୟବସ୍ଥା ହିଁ ନାହିଁ। ତେଣୁ ଗୋଟିଏପଟେ ପାଣି ଅଭାବରୁ ଧାନ ଗଛ ଦୁର୍ବଳ ହୋଇପଡ଼ିଥିବା ବେଳେ ଏବେ ପୋକ ଉତ୍ପାତ୍‌ ଚାଷୀଙ୍କ ସୁନାର ଫସଲକୁ ଉଜାଡ଼ି ଦେବାକୁ ବସିଛି। ଚାଷୀ ଚିନ୍ମୟ ମଲ୍ଲିକଙ୍କ କହିବାନୁଯାୟୀ, ଚାଷ ଆରମ୍ଭ କରିବା ଦିନରୁ ବାରମ୍ବାର ଗୁହାରି କରିବା ପରେ ବି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କଥା କେହି ଶୁଣିଲେ ନାହିଁ। କାଲି ହେବ ନ୍ୟାୟରେ ଦିନ ଗଡ଼ାଇ ଚାଲିଲେ। ଆଜିଯାଏ ବି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ବାଧୢ ହୋଇ ଭଡ଼ାରେ ମଟର ପମ୍ପ୍‌ ଆଣି ଜମିରେ ପାଣି ମଡ଼ାଉଛି। କିନ୍ତୁ ପୋକ ଯେଭଳି ଗଛଗୁଡ଼ିକୁ ଚରିଗଲେଣି, ସେଥିରେ ଆଉ ଧାନ ଅମଳ କରି ଘରକୁ ନେବା ଆଶା ଛାଡ଼ି ଦେଲୁଣୁ କ୍ଷୋଭ ପ୍ରକାଶ କରି ଶ୍ରୀ ମଲ୍ଳିକ କହିଛନ୍ତି। ତାଙ୍କ କହିବାନୁଯାୟୀ ଅଯଥା ଖର୍ଚ୍ଚାନ୍ତ ହୋଇ ମଟର ଜରିଆରେ ପାଣି ସିନା ମଡ଼ାଇ ଦେଉଛୁ। ହେଲେ ପୋକ ତ ମାରିପାରିବୁ ନାହିଁ। ବଡ଼ ଧାନ ଗଛ ହୋଇଥିବାରୁ କେହି ତାହା ଭିତରେ ଯାଇ ଔଷଧ ସିଞ୍ଚନ ବି କରିପାରିବେ ନାହିଁ। ତେଣୁ ଭାଗ୍ୟକୁ ଆଦରି ରହିବା ଛଡ଼ା ଅନ୍ୟ କିଛି ବାଟ ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର